ଓଡିଆ ଅସ୍ମିତାକୁ ନେଇ ବିଜେପି ଉପରେ ବର୍ଷିଲେ ବିଜେଡି ନେତ୍ରୀ ଲେଖାଶ୍ରୀ

ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ନେଇ ବିଜେପି ଉପରେ ସାଂଘାତିକ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ମନ୍ତ୍ରୀ ଭାରତକୁ ଡାରତ ଲେଖି ପରୋକ୍ଷରେ ଓଡ଼ିଆ ଅସ୍ମିତାର ଧଜ୍ଜା ଉଡାଉଛନ୍ତି। ଓଡ଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଥିବା ବିଜେପିର ନେତା ମନ୍ତ୍ରୀ ଓଡ଼ିଆର ନିଲାମ କରିବାକୁ ବସିଲେଣି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

     ସେ କହିଛନ୍ତି ଯେ, ବିଜେପି ଯେଉଁପରି ଭାବେ ଓଡ଼ିଆ ଅସ୍ମିତା କଥା ନିର୍ବାଚନ ପୂର୍ବରୁ ଉଠାଇଲା, ଲାଗିଲା ଶାସନକୁ ଆସିଲେ ଓଡ଼ିଆ ଅସ୍ମିତା ଚନ୍ଦ୍ରରେ ରହିବ, ହେଲେ ଏବେ ଯାହା ଦେଖୁଛୁ ଓଡ଼ିଆ ଅସ୍ମିତାଙ୍କୁ ସେମାନେ ବେଜିତ୍ ଓ ନିଲାମ କରିବାକୁ ଆସିଛନ୍ତି । ମନ୍ତ୍ରୀ ଓଡ଼ିଆ ଲେଖିକି ପଢିପାରୁନାହାଁନ୍ତି, ଚିହ୍ନିପାରୁନାହାଁନ୍ତି । ଭାରତ ମାତା କି ଜୟ ଜାଗାରେ, ଡାରତ ମାତା କି ଜୟ ବୋଲି ଲେଖୁଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମଧ୍ୟ ନା ଓଡିଆ କହିପାରୁଛନ୍ତି, ନା ଇଂରାଜୀ କହିପାରୁଛନ୍ତି ।

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଆ ଜାଣିନଥିବା ଲୋକ ଆମକୁ ଓଡ଼ିଆ ଅସ୍ମିତା ପାଠ ପଢାଇବାକୁ ଆସିଛନ୍ତି। ସେମାନେ ଓଡ଼ିଆ ଅସ୍ମିତାର ଅବନତି କରିବାକୁ ହିଁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ଦିଲ୍ଲୀ ଯାଉଛନ୍ତି ନିର୍ଦ୍ଦେଶ ନେବାକୁ, କେନ୍ଦ୍ର ଅସ୍ମିତା ରକ୍ଷା କରିବାକୁ ସେ ଆସିଛନ୍ତି । ଏଠି ସିଏମ୍ଓ ନୁହେଁ ପିଏମଓର ଶାଖା ଅଫିସ ଆସିଛି । ଏହା କି ପ୍ରକାର ଓଡ଼ିଆ ଅସ୍ମିତା ବୋଲି ସେ ପ୍ରଶ୍ନ କରିଛନ୍ତି। ମିଛର ଆଶ୍ରୟ ନେଇଥିବା ଦଳ କେବେ ଓଡ଼ିଆଙ୍କ ଉନ୍ନତି କରି ପାରିବ ନାହିଁ ବୋଲି ସେ କହିଛନ୍ତି।

Comments are closed.