ହିଞ୍ଜିଳି ଦୁର୍ଘଟଣାରେ ୫ ମୃତ: ଏମକେସିଜିରେ ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ, କମିଶନର୍ | News Room Odisha

ହିଞ୍ଜିଳି ଦୁର୍ଘଟଣାରେ ୫ ମୃତ: ଏମକେସିଜିରେ ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ, କମିଶନର୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟରେ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୫ ହୋଇଛି। ଏଥିରେ ଜଣେ ବସ୍ ଯାତ୍ରୀ, ତିନି ଜଣ ସ୍ଥାନୀୟ ବାସିନ୍ଦା, ଜଣେ ଟ୍ରକ୍ ହେଲପର୍ ରହିଛନ୍ତି। ଟ୍ରକଟି ରାସ୍ତାକଡ଼ରେ ପାର୍କିଂ କରିଥିଲା। ଡ୍ରାଇଭର୍ ଚାହା ପିଇବାକୁ ଯାଇଥିଲା ବେଳେ ହେଲପର୍ ଗାଡ଼ି ପଛପଟେ ସଜାଡୁ ଥିଲା ବେଳେ ଆସିକା ପଟକୁ ଯାଉଥିବା ଟ୍ୟାଙ୍କର୍ ପ୍ରଥମେ ତାକୁ ଧକ୍କା ଦେଇଥିଲା। ସେଠାରେ ହିଁ ହେଲପରଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଜୀବନ ଚାଲି ଯାଇଥିଲା। ରାସ୍ତା ମଝିରେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର୍ ଅଟକି ଥିବା ବେଳେ ଯାତ୍ରୀବାହୀ ବସ୍ ଆସି ଧକ୍କା ଦେବା ସହ ରାସ୍ତାକଡ ଚାହା ଦୋକାନ ଉପରେ ଓଲଟି ପଡିଥିଲା। ଏଥିରେ ବୁଲାବୁଲି କରି ବିକ୍ରି କରୁଥିବା ଜଣେ ପରିବା ବ୍ୟବସାୟୀ ଓ ଜଣେ ଫଳ ବ୍ୟବସାୟୀ (ଦୁହେଁ ସମ୍ପର୍କୀୟ) ସମେତ ସୋରଡ଼ାରୁ ଆସିଥିବା ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଓଲଟି ପଡିଥିବା ବସର ଜଣେ ଯାତ୍ରୀଙ୍କ ଜୀବନ ଚାଲି ଯାଇଥିଲା ବେଳେ ଚାହା ଦୋକାନୀ ସମେତ ପ୍ରାୟ ୨୦ ଜଣ ଗୁରୁତର ଆହତ ହୋଇଥିଲେ।

ସେପଟେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବିଭାଗୀୟ କମିଶନର୍ ଅମିତାଭ ଠାକୁର। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଭାରପ୍ରାପ୍ତ ଏସପି (ଡିଆଇଜି) ଡ଼ା. ସାର୍ଥକ ଷଡ଼ଙ୍ଗୀ, ଗଞ୍ଜାମ ଏସପି ଜଗମୋହନ ମୀନା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତାଗିର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆହତଙ୍କୁ ଉପଯୁକ୍ତ ଓ ମାଗଣା ଚିିିକିତ୍ସା ଯୋଗାଇ ଦେବାକୁ ମନ୍ତ୍ରୀ କହିଥିଲେ। ଏଥିସହ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆହତଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଥିଲେ। ଘଟଣାର ବିସ୍ତୃତ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଓ କମିଶନର୍।