ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଗଦେଇଥିଲେ ।

ଇ- ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଂଚି ପାରୁଛି । ଏହି ସର୍ବେକ୍ଷଣ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍- କିଷାନ ତଥା ଅନେକ ଅନ୍ଯ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇ ପାରିବେ । ଏବଂ ଏହାର ପ୍ରଥମ କିସ୍ତି ଆସନ୍ତା ସେପ୍ଟେମ୍ବର ୮ ତାରିଖ ନୁଆଁଖାଇ ଦିନ ଡିବିଟି ମାଧ୍ଯମରେ ପ୍ରଦାନ କରାଯିବ। ବାଦ ପଡିଥିବା ସମସ୍ତ ଯୋଗ୍ୟ ଚାଷୀ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।

କୃଷକଙ୍କ ତଥ୍ୟ ଏକ ରେଜିଷ୍ଟ୍ରିରେ ଆଇଡି ସହ ରହିବ। ଏଥିପାଇଁ ପ୍ରତିଜିଲ୍ଳାରେ ନୋଡାଲ ଅଧିକାରୀ ମାନେ ରହିବେ ଓ ସେମାନେ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ । ବାଦ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି ବିଭାଗକୁ ଜଣାଇବେ । ଏ ନେଇ ଏକ ମାର୍ଗଦର୍ଶିକା ତିଆରି ହେବ ଓ ସିଏମ୍ କିଷାନ ପୋର୍ଟାଲ ବର୍ଷ ତମାମ ଖୋଲା ରହିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଛନ୍ତି ।

ଚାଷୀମାନେ ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ କୌଣସି ପ୍ରକାର ଦେୟ ପ୍ରଦାନ କରିବେ ନାହିଁ । ଏହାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।

ଶେଷରେ ଜିଲ୍ଳାପାଳ ମାନେ ନିଜ ନିଜର ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାଜ୍ଯରେ କୃଷି ଓ କୃଷକର ଉନ୍ନତି ପାଇଁ ଡିଜିଟାଲ୍ ପ୍ରଯୁକ୍ତି ବ୍ଯବହାର କ୍ଷେତ୍ରରେ ଓଡିଶା ସମଗ୍ର ଦେଶରେ ଏକ ଅଗ୍ରଣୀ ରାଜ୍ଯ ଭାବେ ଅଗ୍ରସର ହେଉଛି।

Comments are closed.