ପୁରୀ ଗଜପତି ମହାରାଜାଙ୍କ ସୁନିଆଁ ପର୍ବ ଅବସରରେ ସ୍ଵର୍ଣ୍ଣ ମୋହର ପ୍ରଚଳନ | News Room Odisha

ପୁରୀ ଗଜପତି ମହାରାଜାଙ୍କ ସୁନିଆଁ ପର୍ବ ଅବସରରେ ସ୍ଵର୍ଣ୍ଣ ମୋହର ପ୍ରଚଳନ

ଭାଦ୍ରବ ମାସ ଶୁକ୍କପକ୍ଷ ଦ୍ୱାଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ସୁନିଆଁ ଓ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ରାଜନଅରରେ ଆଜି ରାତିରେ ପାଳିତ ହେବ ସୁନିଆଁ ପର୍ବ । ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହୋଇଥାଏ । ମହାରାଜଙ୍କ ଶାସନର ୬୮ ଅଙ୍କ ଓ ୧୪୩୨ ସାଲ୍ ଆଜି ଠାରୁ ଆରମ୍ଭ ହୋଇଛି। ଗଜପତି ମହାରାଜାଙ୍କ ନାମ ସହ ନୂଆ ସାଲ ଓ ନୂଆ ଅଙ୍କ ଉଲ୍ଲେଖ ଥିବା ସୁବର୍ଣ୍ଣ ମୁଦ୍ରା ଆଜି ଠାରୁ ପ୍ରଚଳିତ ହେବ। ପାରିଷଦ ବର୍ଗ ଏହି ଅବସରରେ ଗଜପତି ମହାରାଜଙ୍କୁ ସୁନିଆଁ ଭେଟି ପ୍ରଦାନ କରିବେ।

ପରମ୍ପରା ଅନୁଯାୟୀ ସଂଧ୍ୟାରେ ରାଜନଅର ସୁନିଆଁ ପାଇଁ ଉତ୍ସବମୁଖର ହୋଇ ଉଠିବ। ପାରିଷଦ ବର୍ଗ ଗଜପତି ମହାରାଜଙ୍କୁ ବନ୍ଦାପନା ସହ ସୁନିଆଁ ଭେଟି ଦେବେ। ବିଜେ କାହାଳୀ ସହ ସୁନିଆଁ ପର୍ବ ବେଶ୍ ଧୁମ୍ଧାମ୍ରେ ପାଳିତ ହେବ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ଆରମ୍ଭର ପ୍ରଥମ ଦିନ ହେଉଛି ସୁନିଆଁ। ପ୍ରତିବର୍ଷ ଏହି ଦିନ ଗଜପତି ମହାରାଜଙ୍କ ନୂଆ ଅଙ୍କ ଗଣନା କରାଯାଇଥାଏ। ସୁନିଆଁର ଅର୍ଥ ଏକ ସୁବର୍ଣ୍ଣ ମୋହରରେ ଅଙ୍କ କଷିବା। ଏହି ଅବସରରେ ଗଜପତି ମହାରାଜ ଗାଦି ଘରକୁ ଯିବା ପରେ ପୂଜାର୍ଚ୍ଚନା କରାଯିବ।

ପଞ୍ଚଦେବଙ୍କୁ ପୂଜା ସହ ମଙ୍ଗଳାର୍ପଣ କରାଯାଇ ପରେ ଗଜପତି ମହାରାଜ ଗାଦିରେ ଅଧିଷ୍ଠିତ ହେବେ। ତାଙ୍କ ନାଁରେ ସୁନାର ନୂଆ ମୁଦ୍ରା ପ୍ରଚଳିତ ହେବ। ଯେଉଁଥିରେ ନୂଆ ଅଙ୍କ ଓ ସାଲ୍ ଉଲ୍ଲେଖ ରହିଥିବ। ପାରିଷଦ ବର୍ଗ ଏହି ଅବସରରେ ଗଜପତି ମହାରାଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଶୁଭାର୍ଶୀର୍ବାଦ ଦେବେ। ଭିନ୍ନ ଭିନ୍ନ ସୁନିଆଁ ଭେଟି ଦେବା ସହ ମଙ୍ଗଳକାମନା କରିବେ।