ମାତା ବ୍ରହ୍ମଚାରିଣୀ ହେଉଛନ୍ତି ପର୍ବତରାଜ ହିମାଳୟ ଏବଂ ମୈନାବତୀଙ୍କ କନ୍ୟା । ମହାଦେବଙ୍କୁ ବର ସ୍ୱରୂପ ପ୍ରାପ୍ତ କରିବା ପାଇଁ ମା’ ବ୍ରହ୍ମଚାରିଣୀ ଘୋର ତପସ୍ୟା କରିଥିଲେ । କଠିନ ତପସ୍ୟା କାରଣରୁ ମା’ଙ୍କ ନାଁ ତପସ୍ୱୀରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ରୁପେ ଖ୍ୟାତ ହେଲା । ଏଠାରେ ବ୍ରହ୍ମାର ଅର୍ଥ ହେଉଛି ତପସ୍ୟା । ବ୍ରହ୍ମଚାରିଣୀର ଅର୍ଥ ତପର ଚାରିଣୀ (ଯେ ତପର ଆଚରଣ କରେ) । ଦେବୀଙ୍କ ଏହି ଜ୍ୟୋର୍ତିମୟ ଏବଂ ଅତ୍ୟନ୍ତ ଭବ୍ୟ ରୂପ ଭକ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିଥାଏ । ଦେବୀ ନିଜ ଡାହାଣ ହସ୍ତରେ ଜପର ମାଳା ଏବଂ ବାମ ହାତରେ କମଣ୍ଡଳ ଧାରଣ କରିଛନ୍ତି । ଦେବଋଷି ନାରଦଙ୍କ କଥାରେ ଦେବୀ ମହାଦେବଙ୍କୁ ପତୀ ରୁପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ ।
ଏକ ହଜାର ବର୍ଷ ପର୍ଯ୍ୟନ୍ତ ଦେବୀ କେବଳ ଫୁଲ , ଫଳ ଖାଇ ଏବଂ ଶହେ ବର୍ଷ ପର୍ଯ୍ୟନ୍ତ କେବଳ ଚଟାଣରେ ବସି ଦେବୀ ଘୋର ତପସ୍ୟାରେ ବିଲୀନ ଥିଲେ । ପୌରାଣିକ କଥାନୁସାରେ , ଦେବୀ କିଛି ବର୍ଷ ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ଖରା ଏବଂ ବର୍ଷାକୁ ସହ୍ୟ କରି ତପସ୍ୟା କରିଥିଲେ । ତିନି ହଜାର ବର୍ଷ ପର୍ଯ୍ୟନ୍ତ ଗଛରୁ ତଳେ ପଡିଥିବା ବେଲପତ୍ର ଖାଇ ବଞ୍ôଚଥିଲେ । ର୍ନିଜଳ,ନିରାହାରରେ ଦେବୀଙ୍କ ଉଜ୍ଜ୍ୱଳ ରୂପ ମଳିନ ପଡିବାକୁ ଲାଗିଥିଲା । ମା’ଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ମା’ ବ୍ରହ୍ମଚାରିଣୀଙ୍କୁ ବିବାହ କରିଥିଲେ । ମା’ ବ୍ରହ୍ମଚାରିଣୀ ଦେବୀଙ୍କ କୃପାରେ ସର୍ବସିଦ୍ଧି ପ୍ରାପ୍ତ ହୋଇଥାଏ । ଦୂର୍ଗା ପୂଜାର ଦ୍ୱିତୀୟ ଦିନରେ ଦେବୀଙ୍କ ଏହି ଶାନ୍ତରୂପର ପୂଜାର୍ଚ୍ଚନା କରାଯାଏ ।