ଆଜି ଗଜଳକ୍ଷ୍ମୀ ପୂଜା ସହ କୁମାର ପୂର୍ଣ୍ଣିମା,  କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିଥାନ୍ତି

ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନ‌ଙ୍କର ପର୍ବ ରୂପେ ବିବେଚନା କରାଯାଏ । ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସ‌ହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି । ଏହା ସ‌ହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ । ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି । ସେ ଏହି ଦିନ ତାଡ଼କାସୁର ସ‌ହିତ ଯୁଦ୍ଧ ଆରମ୍ଭ କରିଥିଲେ ।

ଏହି ଦିନ ଘରର କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇ ଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜା ଯାଇଥାଏ । ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ । ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି ।

ଆଜି ମଧ୍ୟ ଗଜଲକ୍ଷ୍ମୀ ପୂଜା।କୁମାର ପୂର୍ଣ୍ଣିମା ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସ‌ହ ପୂଜା କରାଯାଇଥାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ । କିନ୍ତୁ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ତିଆରି ହୋଇଥାଏ ।

ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ । ଏଠାରେ ଏହି ପୂଜା କୁମାର ପୂର୍ଣ୍ଣିମା (ହିନ୍ଦୁ କ୍ୟାଲେଣ୍ଡର୍ ଅନୁସାରେ ଆଶ୍ୱିନ ଶୁକ୍ଳ ପକ୍ଷର ୧୫ତମ ଦିନ) ଦିନଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଢେଙ୍କାନାଳରେ ଏହି ପୂଜା ପ୍ରଥମ ଥର ପାଇଁ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର)ଠାରେ ଆରମ୍ଭ ହୋଇଥିଲା । ଢେଙ୍କାନାଳର କଲେଜ୍ ରୋଡ଼୍‌ଠାରୁ ଆରମ୍ଭ କରି କୋରିହାଁ ଛକ (ପ୍ରାୟ ୭ କିଲୋମିଟର) ଯାଏଁ ରାସ୍ତାର ଦୁଇ କଡ଼ରେ ଅନେକ ଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ ।

ଓଡ଼ିଶା ବ୍ୟତୀତ ଏହି ପର୍ବ ଭାରତର ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ ଓ ମିଥିଳାରେ ମଧ୍ୟ ପାଳନ କରାଯାଏ । ତେବେ ଏହି ସ୍ଥାନ‌ଗୁଡ଼ିକରେ କୁମାର ପୂର୍ଣ୍ଣିମା ଶରତ ପୂର୍ଣ୍ଣିମା ନାମରେ ଜଣାଶୁଣା । ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀ ଘର ଘର ବୁଲିଥା’ନ୍ତି ଏବଂଯେଉଁମାନେ ରାତିସାରା ଜାଗ୍ରତ ରହନ୍ତି କେବଳ ସେମାନ‌ଙ୍କ ଉପରେ ହିଁ କୃପା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନ ରାତିରେ ଲୋକମାନେ ଗୀତ ଗାଇ କିମ୍ବା ବିଭିନ୍ନ ପ୍ରକାରର ଖେଳ ଖେଳି ରାତିସାରା ନିଜକୁ ଉଜାଗର ରଖିଥାନ୍ତି । ଆହୁରି ମଧ୍ୟ ଏହି ଦିନ ଲୋକେ କଠିନ ଖାଦ୍ୟ ନ ଖାଇ କେବଳ ତରଳ ଖାଦ୍ୟ, ଯଥା ନଡ଼ିଆ ପାଣି, କ୍ଷୀର ଇତ୍ୟାଦି ଖାଇଥାନ୍ତି । କ୍ଷୀରକୁ ବ‌ହଳିଆ ହେଲା ପର୍ଯ୍ୟନ୍ତ ଫୁଟାଯାଇଥାଏ । ଏହା ପରେ ଏଥିରେ କାଜୁ, ପେସ୍ତା ବାଦାମ ଇତ୍ୟାଦି ପକାଇ ପାନୀୟ ରୂପେ ଗ୍ରହଣ କରାଯାଇଥାଏ । କେତେକ ଲୋକ ଏହି ଦିନ ରାତିରେ ଥଣ୍ଡା କ୍ଷୀର ଓ ଚୁଡ଼ା ମଧ୍ୟ ଖାଇଥାନ୍ତି । ମରାଠୀମାନ‌ଙ୍କ ପାଇଁ ଏହା ଏକ ବିଶେଷ ପର୍ବ । ଏହି ପର୍ବରେ ଘରର ଜ୍ୟେଷ୍ଠ ସନ୍ତାନ‌କୁ ବିଭିନ୍ନ ପ୍ରକାରର ଉପ‌ହାର ଦିଆଯାଇଥାଏ ।

ଗୁଜରାଟର ପଶ୍ଚିମାଞ୍ଚଳରେ ଏହି ପୂର୍ଣ୍ଣିମାକୁ ଶରଦ୍ ପୁନମ୍ କୁହାଯାଏ । ଏହି ଦିନ ରାତି ସାରା ସେଠାକାର ଲୋକମାନେ ଗରବା ଓ ଦାଣ୍ଡିଆ ଖେଳିଥାନ୍ତି ।

ପଶ୍ଚିମ ବଙ୍ଗରେ ଏହି ପର୍ବକୁ ଲୋଖୀ ପୂଜୋ କୁହାଯାଏ ଏବଂ ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅତି ଆଡ଼ମ୍ବରରେ କରାଯାଇଥାଏ । ମିଥିଳାରେ ଏହି ପର୍ବ କୋଜାଗରାହ ନାମରେ ଜଣାଶୁଣା ।

Comments are closed, but trackbacks and pingbacks are open.