ଜଳଗ୍ରାମ କୁରେସିଉନୀ | News Room Odisha

ଜଳଗ୍ରାମ କୁରେସିଉନୀ

ଲେଖକ:- ହୃଦାନନ୍ଦ ମହାପାତ୍ର

ଆଜିର ସମାଜରେ ଜଳବାୟୁ ପରିବର୍ତ୍ତନର କୁପରିମାଣରେ ସାରା ବିଶ୍ବ ପ୍ରଭାବିତ ହୋଇଛି। କୃଷି ଓ କୃଷକର ବିକାଶ ପଛରେ ଏହା ଏକ ମୁଖ୍ୟ ପ୍ରତିବନ୍ଧକ ରୁପେ ଉଭା ହୋଇଛି। ଆମ ରାଜ୍ୟରେ ଅଧିକାଂଶ କୃଷକ ଚାଷ ଉପରେ ସେମାନଙ୍କ ମୁଖ୍ୟ ଜିବନ ଜୀବିକା ନିର୍ବାହ କରୁଛନ୍ତି। ଏଥିପାଇଁ ଖରିଫ୍ ୠତୁରେ ସେମାନେ ବର୍ଷାଜଳ ଉପରେ ନିର୍ଭର କରି ଧାନ, ଡାଲି ଜାତୀୟ ଫସଲ ଯଥା କାନ୍ଦୁଲ, ବିରି, ମକା, ପନିପରିବା ଇତ୍ୟାଦି ଚାଷ କରିଥାନ୍ତି।କିନ୍ତୁ ରବି ୠତୁରେ ସେମାନଙ୍କ ଜଳସେଚନର ଅଭାବ ଏବଂ ଭୂତଳ ହାରସ ଯୋଗୁଁ ପନିପରିବା ତଥା ଅନ୍ୟ ଅର୍ଥକାରୀ ଫସଲ ଚାଷ କରିପାରନ୍ତି ନାହିଁ। ଏହି ସବୁ ସମସ୍ୟା ଗୁଡ଼ିକୁନେଇ ଜଳ ଗ୍ରାମର ପରିକଳ୍ପନା କରାଯାଇଛି । ଏହାର ଉଦ୍ଧେଶ୍ୟ ହେଲା ଗ୍ରାମର ପ୍ରତେକ ଚାଷୀ ଅତି କମ୍ ରେ ୧ ଏକର ଜମିରେ ଅତି କମ୍ ରେ ବର୍ଷକୁ ୨ ଟି ଫସଲ ଚାଷ କରିପାରୁଥିବେ ଏଵଂ ବିଶୁଦ୍ଧ ପାନୀୟ ଜଳପାନ କରିପାରୁଥବେ । ଏଭଳି ଉଦ୍ଧେଶ୍ୟ କୁ ସାଧନ କରିବା ଦିଗରେ ଆମ ଏହି ଉପସ୍ଥାପନରେ ଏକ ପ୍ରୟାସ କରାଯାଇଛି। ଏଥିରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ଆମ ରାଜ୍ୟର ୩୦ଟି ଦାଦନ ପ୍ରବକ୍ତା ବ୍ଲକ୍ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଗୋଲୋମୁଣ୍ଡା ର ବ୍ଲକ ଖଲିଆକାନି ଗ୍ରାମ ପଞ୍ଚୟାତର କୁରେସିଉନୀ ଗ୍ରାମରେ ଏ ଦିଗରେ ପ୍ରୟାସ ଆରମ୍ଭ ହୋଇଛି। ଏହି ଗ୍ରାମରେ ୩ ଟି ପଡ଼ାରେ ୭0 ଟି ପରିବାର ବସବାସ କରୁଛନ୍ତି। ଯେଉଁଥିରେ ୧୪ ଜଣ ପରିବାର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି ଏବଂ ୫୬ ଜଣ ପରିବାର OBC ଅଟନ୍ତି,ଏହି ଗ୍ରାମରେ ୭୦ ଜଣ ସକ୍ରିୟ ଜବକାର୍ଡ଼ ସ୍ରମିକ ଅଟନ୍ତି । ଏହି ଗ୍ରାମରେ ପ୍ରାୟ ସମସ୍ତ ପରିବାର ନିଜର ଗୁଜୁରାଣ ମେଣ୍ଟଇବା ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି। ପ୍ରାୟ ୧୨୦ ଏକର ରୁ ଉର୍ଦ୍ଧ ଅଞ୍ଚଳରେ ପରିବେଷିତ ଏହି ଗ୍ରାମରେ ଉଚ୍ଚ ଜମି ପ୍ରାୟ ୪୫ ଏକର, ମଧ୍ଯମ ଜମି ପ୍ରାୟ ୩୫ ଏକର, ନାଳି ଜମି ପ୍ରାୟ ୨୫ ଏକର ,୩ ଟି ଗ୍ରାମ ପୋଖରୀ ଜଳଉର୍ଷ ରୁପେ ରହିଅଛି। ୨୦୧୬-୧୭ ଅଧିକ ବର୍ଷ ପୂର୍ବରୁ ଏହି ଗ୍ରାମରେ କୃଷି ବିଭାଗ ପକ୍ଷରୁ ୨ ଟି ସେଚ କୁପ ନିର୍ମାଣ କରାଯାଇଥିଲା। ଏଵଂ ୫ଟି ଛୋଟ ଛୋଟ ଚୁଆଁମାନ ଚାଷୀ ମାନେ ନିଜ ଜମିରେ ଖୋଳି ରବି ୠତୁରେ ୭ ଜଣ ଚାଷୀ ହାରାହାରୀ 0.2 ଏକର ଜମିରେ ପନିପରିବା ଚାଷ ଯଥା – ପିଆଜ, ଟମାଟୋ, ଆଦି କରୁଥିଲେ।୨୦୧୯-୨୦ ମସିହାରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଦନ ପ୍ରବଣ ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ତ୍ବରାନ୍ବିତ କରିବା, ଦାଦନକୁ ରୋକିବା ଦିଗରେ ଏକ ସ୍ଵତନ୍ତ ଯୋଜନା ପ୍ରସ୍ତୁତି କରାଗଲା ।

ଏହି ଯୋଜନାର ବିଶେସ୍ଵତ ହେଲା ପ୍ରତ୍ୟେକ ଜବ୍ କାର୍ଡ ଧାରୀ ଙ୍କୁ ବର୍ଷ କୁ ୩୦୦ ଦିନରେ କାମ ଓ ଅତିରିକ୍ତ ମଜୁରୀ ବାବଦକୁ ୧୧୫.୦୦ ଟଙ୍କା ପ୍ରତି ଅଣକୁଶଲୀ ଦିବସ ପାଇଁ ଡିସେମ୍ବର ୨୦୧୯ ରୁ ଦିଆଯାଉଅଛି। ଏହି ସ୍ବତନ୍ତ୍ର ଯୋଜନାର ମୁଲ ଲକ୍ଷ୍ୟ ହେଲା ସମନ୍ବିତ ପ୍ରାକୃତିକ ସମ୍ପଦର ପରିଚାଳନା ଦ୍ଵାରା ଚାଷୀମାନଙ୍କ କୃଷିଭିତ୍ତିକ ଜୀବନ ଜୀବିକାର ଉନ୍ନତି ଆଣିବା, ଯାହା ଦ୍ଵାରା ଦାଦନ ସମସ୍ୟାକୁ ଦୁର କରାଯାଇ ପାରିବ। ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଯୋଜନା ପ୍ରସ୍ତୁତି କରିବା ପାଇଁ ଖାଲିଆକାନୀ ଗ୍ରାମପଞ୍ଚାୟତ ରେ ସରପଞ୍ଚଙ୍କ ନେତୃତ୍ଵରେ ଏକ ପଞ୍ଚାୟତ ଯୋଜନା କମିଟି ବା GPFT ଗଠନ କରାଗଲା । ସ୍ଥାନୀୟ ସ୍ୱେଚ୍ଛା ସେବୀ ସଂସ୍ଥା “କର୍ତ୍ତବ୍ୟ” ଓ ଜିଲ୍ଲା ସମ୍ବଳ ସ୍ୱେଚ୍ଛ ସେବୀ ସଂସ୍ଥା “ପ୍ରଦାନ” ଗ୍ରାମରେ ଲୋକଙ୍କ ସଂଗଠିତ କରି ଜିବନ ଜୀବିକା ଓ ସମନ୍ବିତ ପ୍ରାକୃତିକ ସମ୍ପଦର ପରିଚାଳନା କରିବା ପାଇଁ ଗାଁ ଲୋକଙ୍କ ସହିତ ମିଶି ଯୋଜନା ପ୍ରସ୍ତୁତି କରାଗଲା। ଏହି ଯୋଜନାରେ ଉଚ୍ଚ ଜଙ୍ଗଲ କିସମ ଜମିରେ ଟ୍ରେଞ୍ଚ, କମ୍ ବଣ୍ଡ ନିର୍ମାଣ ୧୦ ହେକ୍ଟର , ଆମ୍ବ ଗଛ ରୋପଣ ୪ ହେକ୍ଟର, ଗ୍ରାମ ପୋଖୋରି ନିର୍ମାଣ , ନୂତନ ଗ୍ରାମ ପୋଖୋରୀ ଖନନ, ସେଚକୁପ ନିର୍ମାଣ୨ଟି, ଚାଷ ପୋଖରୀ ନିର୍ମାଣ ୬ଟି, ଆଟୀ ପସ୍ତାବ ପଲ୍ଲୀ ସଭା ଓ ଗ୍ରାମ ସଭା ମାଧ୍ୟମରେ ସର୍ବ ସମ୍ମତି କ୍ରମେ ନିଷ୍ପତି କରାଗଲା। ଏହି ଯୋଜନାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପର୍ଯ୍ୟୟକ୍ରମେ ଅନୁମୋଦିତ କଲେ। ଏହାଦ୍ବାରା କୁରେସିଉନୀ ଗ୍ରାମରେ ଉଚ୍ଚ ଜମିରେ ୧୦ ହେକ୍ଟର ପରିମିତ ଜାଗାରେ ଟ୍ରେଞ୍ଚ, କମ୍ ବଣ୍ଡ ନିର୍ମାଣ କରାହୋଇଛି। ଗୋଟିଏ ଗାଁ ପୋଖରିର ଯାହା ୨.୫ ଏକର ଜାଗାରେ ପରିବ୍ୟାପ୍ତ, ତାକୁ ପୁନୁରୁଦ୍ଧ।ର କରାଯାଇଛି।ଏହାଦ୍ବାରା ବର୍ଷା ପାଣିକୁ ଅମଳ କରାଯାଇଛି ଓ ମୃତ୍ତିକା କ୍ଷୟ ମଧ୍ୟ କରାଯାଇଛି । ସେହିପରି ଉଚ୍ଚ ଜମିରେ ୪ ହେକ୍ଟର ସ୍ଥାନରେ ଆମ୍ବ ଗଛ ରୋପଣ କରାଯାଇଛି। ଏହାଦ୍ବାରା ୨ଟି ଆଦିବାସୀ ପରିବାର ଲାଭାନ୍ଵିତ ହୋଇଛନ୍ତି। ସେହିପରି ମଧ୍ୟମ ଧରଣର ଜମିରେ ୮ଟି ସେଚକୁପ ନିର୍ମାଣ କରାଯାଇଛି। ଯାହାଦ୍ବାରା ଚାଷୀ ଯଥା ଅର୍ଜୁନ ନାଏକ, ବଳରାମ ନାଏକ, ଅମଳ ନାଏକ,ଚନ୍ଦ୍ର ନାଏକ ଏବଂ ଅନ୍ୟ ୧୬ ଜଣ ଗୋଟିଏ ବର୍ଷରେ ସର୍ବମୋଟ ୨୫ ରୁ ୩୦ ଏକର ଜମିରେ ପନିପରିବା ଚାଷ କରିପାରୁଛନ୍ତି। ସେହିପରି ପୂର୍ବରୁ କେବଳ ୨ଟି ୠତୁରେ ଚାଷୀମାନେ ପନିପରିବା ଚାଷ କରୁଥିଲେ, ବର୍ତ୍ତମାନ ସେମାନେ ବର୍ଷକୁ ୪ଥର ପନିପରିବା ଚାଷ କରୁଛନ୍ତି ଯଥା ରବି ୠତୁରେ କୋବି, ବନ୍ଧାକୋବି, ପିଆଜ, ଟମାଟୋ । ଗ୍ରୀଷ୍ମ ୠତୁରେ ଭେଣ୍ଡି,ଝୁଲଣ , ବୋଇତାଲୁ ,କାକୁଡି, ଲଙ୍କା। ଖରିଫ୍ ଋୁତୁରେ ବାଇଗଣ,ଫୁଲକୋବି , କଲରା ଇତ୍ୟାଦି। ଏହାଦ୍ବାରା ଚାଷୀମାନେ ବର୍ଷକୁ ହାରାହାରି ୧ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ ରୋଜଗାର କରିପାରୁଛନ୍ତି। ପ୍ରତ୍ୟେକ ଚାଷୀଙ୍କ ପାଖରେ ଏକ ବିଦ୍ୟୁତ୍ ଚାଳିତ ପମ୍ପ ସେଟ୍ ଅଛି। ଯେଉଁଥିରେ ସେମାନେ ଜଳସେଚନ କରିପାରୁଛନ୍ତି। ଉପସ୍ଥିତ ଜମିରେ ଟ୍ରେଞ୍ଚ ନିର୍ମାଣ ଦ୍ଵାରା ବର୍ଷା ଜଳର ସଂରକ୍ଷଣ, ତଥା ପୋଖରୀ ପୁନୁରୁଦ୍ଧ।ର ଦ୍ଵାରା ବର୍ଷା ଜଳକୁ ଅମଳ କରାଯାଇଛି । ଯାହାଦ୍ଵାରା ଭୂତଳ ଜଳର ସ୍ତର ବଢି ଯାଇଛି । ଯେଁଉ ଶେଚକୂଅ ୨୦୧୭-୧୮ ବର୍ଷରୁ ଗ୍ରୀଷ୍ମ ୠତୁରେ ୨୦ ଫୁଟ୍ ତଳରେ ରହୁଥିଲା । ବର୍ତ୍ତମାନ ସେହି ଗ୍ରୀଷ୍ମ ଋତୁରେ ୧୫ ଫୁଟ୍ ରେ ରହୁଛି। ଏହାଦ୍ବାରା ଚାଷୀମାନଙ୍କୁ ଖୁବ୍ ସହାୟକ ହୋଇଛି। ସେହିପରି ନାଲି ଜମିରେ ୪ଟି ଚାଷ ପୋଖରୀ ନିର୍ମାଣ କରାଯାଇଛି। ଏହାଦ୍ବାରା ୪ ଜଣ ଚାଷୀ ମାଛ ଚାଷ କରି ଲାଭ ହୋଇ ପାରିଛନ୍ତି। ଏହି ସବୁ କାର୍ଯ୍ୟ ଯୋଜନା MGNREGS ମାଧ୍ୟମରେ କୁରେସିଊନୀ ଗ୍ରାମରେ କାର୍ଯ୍ୟକାରୀ ହୋଇଆସୁଅଛି ଏବଂ ଏହାର ଉପକାରିତା ଚାଷୀ ମୁହଁରେ ହସ ଫେରାଇଛି। ବିଗତ ୩ବର୍ଷ ହେଲା ଏହି ଗ୍ରାମରୁ କୌଣସି ବ୍ୟକ୍ତି ବାହାର ବ୍ଲକ୍, ଜିଲ୍ଲା,ବା ରାଜ୍ୟ କୁ ଦାଦନ ଶ୍ରମିକ ଭାବେ କାର୍ଯ୍ୟ ପାଇଁ ଯାଇନାହାନ୍ତି। ଗ୍ରାମର ଯୁବକମାନେ ବର୍ତ୍ତମାନ କୃଷି ଭିତ୍ତିକ କାର୍ଯ୍ୟ ଗ୍ରାମରେ ମନୋନିବେଶ କରିପାରିଛନ୍ତି। ଖଲିଆକାନୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଘରମାଇ ମଂଗରାଜ୍, ଗ୍ରାମ ରୋଜଗାର ସେବକ ଧର୍ମେନ୍ଦ୍ର ମେହେର, ଗ୍ରାମ ସାଥୀ ନବୀନ ତୋଳତିଆ, ଯନ୍ତ୍ରି ଶ୍ରୀନିକୁଞ୍ଜ ବିହାରୀ ଙ୍କ ଅହରହ ଉଦ୍ୟମ ବଳରେ ଗ୍ରାମବାସୀଙ୍କୁ ଠିକ୍ ସମୟରେ କାର୍ଯ୍ୟ ଯୋଗାଇ ଦିଆଯାଇଅଛି । ତେଣୁ ରାଜ୍ୟ ସରକାରଙ୍କର ଏଭଳି ପଦକ୍ଷେପ ଗ୍ରହଣ କରାଯିବା ଦ୍ଵାରା କୁରେସିଊନୀ ଗ୍ରାମ ଏକ “ଜଳଗ୍ରାମ” ରୁପେ ଆଗକୁ ଅଗ୍ରସର ହେଉଛି। ଏହି ଗ୍ରାମରେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ମଧ୍ୟ କାର୍ଯ୍ୟକାରୀ ହୋଇଛି। ଯଥା GIS ପଦ୍ଧତିରେ କାର୍ଯ୍ୟ ଯୋଜନା ପ୍ରସ୍ତୁତି ପାଇଁ ଗ୍ରାମବାସୀଙ୍କୁ ତାଲିମ୍ ପ୍ରଦାନ କରାଯାଇଛି। ଏହି ତାଲିମ୍ କାର୍ଯ୍ୟ କ୍ରମକୁ “ପ୍ରଦାନ” ସଂସ୍ଥାର ଜିଲ୍ଲା ମୁଖ୍ୟ ହୃଦୟାନନ୍ଦ ମହାପାତ୍ର ଓ MGNREGS ର ଜିଲ୍ଲା ସଂଯୋଜକ ପାର୍ବତୀ ପଟ୍ଟନାୟକ, APO କ୍ଷେତ୍ର ମୋହନ ମାଝୀ ପରିଚାଳନା କରିଥିଲେ। ଏହିଭଳି କାର୍ଯ୍ୟକ୍ରମ କୁ ଅନ୍ୟ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାରେ ବ୍ୟାପକ ରୁପେ ପ୍ରସ୍ତୁତି ଓ ରୁପାୟନ କରିବା ପାଇଁ ଉଦ୍ୟମ କରାଯାଇଛି।ଏହି ଗ୍ରାମର ଅଗ୍ରଗତି ନେଇ ତତ୍କାଳୀନ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ କୁହନ୍ତି ଯେ ସମନ୍ନିତ ପ୍ରାକୃତିକ ସମ୍ପଦର ପରିଚାଳନା କାର୍ଯ୍ୟ ଯୋଜନାକୁ କୁରେସିଉନୀ ଗ୍ରାମରେ ସଫଳ ରୁପାୟନ କରାଯାଇ କୃଷିଭିତ୍ତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ଭୂତଳ ଜଳର ସ୍ତର ବଢ଼ିଛି ଏବଂ ଚାଷୀମାନେ ସେଚକୂଅ ମାଧ୍ୟମରେ ଲାଭବାନ୍ ହୋଇପାରିଛନ୍ତି। ଏହି ଯୋଜନାର ଏଭଳି ପ୍ରୟାସ କରାଗଲେ କୃଷି ଓ କୃଷକଙ୍କ ବିକାଶରେ ଏକ ନୂତନ ସମ୍ଭାବନା ଉଜ୍ଜବିତ ହୋଇପାରିଛି।