ଭୁବନେଶ୍ୱର: ଅର୍ଥ ବିଭାଗ ତରଫରୁ ୨୦୨୪-୨୫ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଖର୍ଚ୍ଚ ସମୀକ୍ଷା କରାଯିବା ସହିତ ରାଜ୍ୟରେ ଆଜି ଅପରାହ୍ନରେ ସଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ଆର୍ଥିକ ବର୍ଷ ମାର୍ଚ୍ଚ ୬ ତାରିଖ ସୁଦ୍ଧା ବଜେଟ୍ ପ୍ରାବଧାନ ଅନୁସାରେ ଉପସ୍ଥାପନ କରାଯାଇଥିଲା । ବିଭିନ୍ନ ବିଭାଗ ତରଫରୁ କରାଯାଇଥିବା କାର୍ଯ୍ୟକାରୀ ହେଉଥିବା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ, ଆଇଜି ଓଟି କର୍ମଯୋଗୀ ପ୍ଲାଟଫର୍ମରେ କର୍ମଚାରୀ ତଥା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସଂପର୍କରେ ସମୀକ୍ଷା କରାଯାଇଥିଲା ।
ବୈଠକରୁ ଜଣାଯାଇଛି ଯେ ଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗକୁ ବଜେଟ୍ ଅନୁମୋଦନ ଅନୁସାରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖ୍ ବିଭାଗମାନଙ୍କ ଦ୍ବାରା ବଜେଟ୍ ପ୍ରାବଧାନ ଅନୁସାରେ ଖର୍ଚ୍ଚ ବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯାଇଥିଲା ।
ବୈଠକରୁ ଜଣାଯାଇଛି ଯେ, ବିଭିନ୍ନ ବିଭାଗ ଦ୍ଵାରା ଚଳିତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ଗତ ବର୍ଷ ତୁଳନାରେ ଏହି ସମୟ ମଧ୍ୟରେ ସାମଗ୍ରିକ ଭାବେ ଖର୍ଚ ୧୬.୫ ପ୍ରତିଶତ ଖର୍ଚ୍ଚ ବୃଦ୍ଧି ପାଇଛି । କାର୍ଯ୍ୟକ୍ରମ ବାବଦକୁ ଖର୍ଚ ହାର ଗତବର୍ଷ ତୁଳନାରେ ୧୭.୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ବିଭାଗ ଦ୍ଵାରା ବଜେଟ୍ ମୁତାବକ ଖର୍ଚ୍ଚ ଗତବର୍ଷ ତୁଳନାରେ ଅଧ୍ବକ କରାଯାଇଛି । ବୈଠକରେ ୮୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରିଥିବା ବିଭାଗମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୯୦ ରୁ ୯୫ ପ୍ରତିଶତ ଖର୍ଜ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ୭୦
ପ୍ରତିଶତ ଖର୍ଚ ହାସଲ କରିଥିବା ବିଭାଗମାନଙ୍କୁ ୮୦ ରୁ ୮୫ ପ୍ରତିଶତ ଖର୍ଚ୍ଚ କରିବାକୁ କୁହାଯାଇଛି । ବିଭିନ୍ନ ବିଭାଗ ତରଫରୁ ଖର୍ଚ୍ଚର ସ୍ଥିତି କେତେ ରହିଛି ଏବଂ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ହାର କେତେ ରହିବ, ସେ ସମ୍ପର୍କରେ ବିଭାଗୀୟ ସଚିବମାନେ ଉପସ୍ଥାପନ କରିଥିଲେ । କମ ଖର୍ଚ୍ଚ କରିଥିବା ବିଭାଗମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷ ସମୟସୀମା ମଧ୍ୟରେ ତଥା ନୂତନ ଆର୍ଥିକ ବର୍ଷ ପୂର୍ବରୁ ଯଥାସମ୍ଭବ ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ବଜେଟ୍ ପ୍ରାବଧାନ ଅନୁସାରେ ଏବେଠାରୁ ପ୍ରସ୍ତୁତି କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।