ନବ ଦାସ ହତ୍ୟାକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପତ୍ନୀ ମୀନତି | News Room Odisha

ନବ ଦାସ ହତ୍ୟାକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପତ୍ନୀ ମୀନତି

ନବ ଦାସ ହତ୍ୟାକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପତ୍ନୀ ମୀନତି

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ପ୍ରକୃତ ଦୋଷୀ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ନବଙ୍କ ପତ୍ନୀ ମୀନତିଙ୍କୁ ଏହି ଆଶ୍ବାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଲୋକସେବା ଭବନରେ ଶ୍ରୀ ମାଝୀଙ୍କୁ ଭେଟିବା ଅବସରରେ ମୀନତିଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାର ଉଚିତ ତଦନ୍ତ କରିବାକୁ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି।

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ସାନି ତଦନ୍ତ ଆରମ୍ଭ ହୋଇଛି। ଗତକାଲି ପରିବାର ଲୋକଙ୍କ ସହ କ୍ରାଇମବ୍ରାଞ୍ଚ ଅଧିକାରୀ ଆଲୋଚନା କରିଥିଲେ। ଆଉ ଆଜି ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀଙ୍କୁ ଲୋକ ସେବା ଭବନରେ ଭେଟିଥିଲେ। ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ନେଇ ଆଲୋଚନା କରିଛନ୍ତି। ଏହି ସମୟରେ ତାଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ

ମୁଖ୍ୟମନ୍ତ୍ରୀ ନବଙ୍କ ହତ୍ୟାକାଣ୍ଡକୁ ଅତି ନିନ୍ଦନୀୟ ଏବଂ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଥିଲେ। ଏହି ଘଟଣାକୁ ସରକାର ଗୁରୁତର ନେଇ ପୁଣି ଥରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀକୁ ଠାବ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶ୍ରୀମତୀ ଦାସଙ୍କୁ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେ କୌଣସି ସମୟରେ ତାଙ୍କୁ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଅବଗତ କରାଇପାରିବେ। ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନ୍ୟାୟ ମିଳିବାର ଆଶା ଥିବା ମୀନତି କହିଛନ୍ତି।