ବ୍ରହ୍ମପୁର ରିଙ୍ଗ୍ ରୋଡ୍ କାର୍ଯ୍ୟ ଆରମ୍ଭ: ସୁଫଳ ପାଇବେ ଗୋପାଳପୁର ସହ ୪ ନିର୍ବାଚନମଣ୍ଡଳୀ ବାସିନ୍ଦା

ବ୍ରହ୍ମପୁର: ଦୀର୍ଘ ଦିନର ଦାବି ପୂରଣ ହେବ। ଅନେକ ଦିନର ସମସ୍ୟା ସମାଧାନ ହେବ। ସୁଧୁରିବ ଟ୍ରାଫିକ୍ ସମସ୍ୟା। ରାସ୍ତାରେ ଜନଗହଳି ସାଙ୍ଗକୁ ଯାନବାହନର ଭିଡ଼ କମିବ। ସିଧାସଳଖ ସୁଫଳ ପାଇବେ ଗୋପାଳପୁର ସମେତ ବ୍ରହ୍ମପୁର, ଛତ୍ରପୁର ଓ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବାସିନ୍ଦା। ବିଶେଷ କରି ଗ୍ରାମାଞ୍ଚଳବାସୀଙ୍କୁ ଆଉ ଦୀର୍ଘ ଦୂରତା ଅତିକ୍ରମ କରିବାକୁ ପଡ଼ିବନି କି ସହରରେ ପ୍ରବେଶ କରି ଟ୍ରାଫିକ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି। କାରଣ ଆରମ୍ଭ ହୋଇଯାଇଛି ବ୍ରହ୍ମପୁର ରିଙ୍ଗ୍ ରୋଡ୍ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଭେଟି ୪ ନିର୍ବାଚନମଣ୍ଡଳୀର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବାସିନ୍ଦାଙ୍କ ଯାତାୟାତ ଜନିତ ସମସ୍ୟାକୁ ବେଶ୍ ମାତ୍ରାରେ ଲାଘବ କରିବାରେ ସହାୟକ ହେବାକୁ ଯାଉଛି।

କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହର ସମେତ ଉପକଣ୍ଠ ବିଭିନ୍ନ ଗ୍ରାମାଞ୍ଚଳର ଜନସଂଖ୍ୟା, ଗମନାଗମନକୁ ନଜରରେ ରଖି ଭବିଷ୍ୟତରେ ଯାତାୟାତକୁ ସହଜକର କରିବା ଉଦ୍ଦେଶ୍ୟରେ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ପାଇଁ ରିଙ୍ଗ୍ ରୋଡ୍ ପ୍ରକଳ୍ପ ଘୋଷଣା କରିଥିଲେ। ଏହି ପ୍ରକଳ୍ପର ୩ଟି ପର୍ଯ୍ୟାୟ ଥିଲା। ରଘୁନାଥପୁର- ରତନପୁର ପର୍ଯ୍ୟନ୍ତ ଦୁଇ ଜାତୀୟ ରାଜପଥ ସଂଯୋଗୀକରଣ ପ୍ରକଳ୍ପ (୧୩.୨ କିମି), ରଘୁନାଥପୁର- କରାପଲ୍ଲୀ (୧୮.୮ କିମି) ଏବଂ ରତନପୁର- ହଳଦିଆପଦର (୧୩ କିମି) ରାସ୍ତା ନିର୍ମାଣ ଯୋଜନା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ରଘୁନାଥପୁର- କରାପଲ୍ଲୀ ପ୍ରକଳ୍ପ ବାଦ୍ ପଡ଼ିଥିଲା। ଅବଶିଷ୍ଟ ଦୁଇଟି ପ୍ରକଳ୍ପରୁ ରଘୁନାଥପୁର- ରତନପୁର ପ୍ରକଳ୍ପ ଜାତୀୟ ରାଜପଥ ବିଭାଗ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ରାଜପଥ ବିଭାଗର ଅନାଗ୍ରହ ଓ ଅବହେଳା ହେତୁ ଉକ୍ତ କାମ ବିଳମ୍ବିତ ହୋଇଯାଇଛି। ଅପରପକ୍ଷରେ ରାଜ୍ୟ ସରକାର ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ସହର ସମେତ ରଙ୍ଗେଇଲୁଣ୍ଡା, ଛତ୍ରପୁର, କୁକୁଡ଼ାଖଣ୍ଡି, ଦିଗପହଣ୍ଡି ଆଦି ବ୍ଲକ୍ ବାସିନ୍ଦାଙ୍କ ସୁବିଧା ଦୃଷ୍ଟିରୁ ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି।

ସହର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ କୁସୁମୀ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିପାଇଁ ଭୂମି ପୂଜନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ- ରିଙ୍ଗ୍ ରୋଡ୍ ଦ୍ଵାରା ବ୍ରହ୍ମପୁରର ଟ୍ରାଫିକ୍ ସମସ୍ୟାରେ ଅନେକାଂଶରେ ସୁଧାର ଆସିବ। ଜାତୀୟ ରାଜପଥ ୧୬ ଠାରୁ ୫.୧୯ କିଲୋମିଟର ରିଙ୍ଗ୍ ରୋଡ୍ ନିମନ୍ତେ ଟେଣ୍ଡର ଡକାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ବିନିଯୋଗ ହେବ ୨୦.୭୧ କୋଟି ଟଙ୍କା। ମହୁଡ଼ା, କୁମାରପୁର, କୁସୁମୀ, ଗୋବିନ୍ଦପୁର- ୧, ଗୋବିନ୍ଦପୁର- ୨, ମନୋହରପୁର, ମଦନମୋହନ ଗ୍ରାମ ଦେଇ ଏହି ରାସ୍ତା ନିର୍ମାଣ କରାଯିବ। ଏହି ରିଙ୍ଗ୍ ରୋଡ୍‌ରେ ୧ କିମି ରେଳବାଇ ଓଭରବ୍ରିଜ୍ ତିଆରି ହେବ। ଭୂମିପୂଜନ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍, କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ରାସ୍ତା ଓ କୋଠାବାଡ଼ି ବିଭାଗ ନଂ ୧ ନିର୍ବାହୀ ଯନ୍ତ୍ରୀ ବଙ୍କିମ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ରଞ୍ଜନ ପରିଡା ଉପସ୍ଥିତ ଥିଲେ।

କ୍ରିଷନ୍‌ କୁମାର ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ପ୍ରଥମେ ବିଡିଏ ଏହି ପ୍ରକଳ୍ପ ଆଗତ କରିଥିଲା। ସେତେବେଳେ ୪୫ କିମି ଲମ୍ବର ରିଙ୍ଗ୍ ରୋଡ୍ ନିର୍ମାଣ ପ୍ରସ୍ତାବ ରହିଥିଲା। ଜମି ଅଧିଗ୍ରହଣ ମଧ୍ୟ ଆରମ୍ଭ ହୋଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ରାଜପଥ ବିଭାଗର ଅନାଗ୍ରହ ହେତୁ ପ୍ରକଳ୍ପ ଅହେତୁକ ବିଳମ୍ବ ଘଟିଛି। ଏଣୁ ରାଜ୍ୟ ସରକାର ନିଜ ପଟୁ ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଏହାଦ୍ଵାରା ଆଖପାଖ ଗ୍ରାମାଞ୍ଚଳ ବିଶେଷ କରି ବେଳାଭୂମି ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଗୋପାଳପୁର ସହର ସମେତ ରଙ୍ଗେଇଲୁଣ୍ଡା ବ୍ଲକ୍, କୁକୁଡ଼ାଖଣ୍ଡି ବ୍ଲକ୍ ବାସିନ୍ଦା ନିଜ ଦୈନନ୍ଦିନ ସରକାରୀ କାର୍ଯ୍ୟ, କୃଷି ହେଉ ବା ବ୍ୟବସାୟିକ କାର୍ଯ୍ୟ ଦୃଷ୍ଟିରୁ ବ୍ରହ୍ମପୁର ସହରର ଗହଳିପୂର୍ଣ୍ଣ ରାସ୍ତା ବଦଳରେ ରିଙ୍ଗ୍ ରୋଡ୍‌ରେ ସହଜ ଓ ସୁବିଧାରେ ଯାତାୟାତ କରିପାରିବେ। ପ୍ରକଳ୍ପର ପ୍ରଥମ ଦଫାରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଧିକ ଅଞ୍ଚଳ ସମେତ ଅନ୍ୟ କିଛି ଗ୍ରାମୀଣ ଇଲାକା ଯଥା ରଙ୍ଗିପୁର, ବୁରୁକୁଦି, ଗଉଞ୍ଜୁ, ପୋଡ଼ାପଦର, ମାଣ୍ଡିଆପଲ୍ଲୀ, ଜଗନ୍ନାଥପୁର, ରଘୁନାଥପୁର, ନରେନ୍ଦ୍ରପୁର, ନିମଖଣ୍ଡି, ରତନପୁର, ଗୁଣ୍ଠବନ୍ଧ, ଲଙ୍ଗଳଦେଇ, ମହୁଡ଼ା ଓ ହଳଦିଆପଦର ଅଞ୍ଚଳବାସୀ ତ୍ବରିତ ତଥା ସିଧାସଳଖ ଉପକୃତ ହେବେ। ଏ ନେଇ ସେମାନଙ୍କ ମଧ୍ୟରେ ବେଶ୍ ଆନନ୍ଦ ପ୍ରକାଶ ପାଇଛି।

ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃପାରୁ ବ୍ରହ୍ମପୁର ପାଇଁ ଜାନିବିଲି ପାନୀୟ ଜଳ ପ୍ରକଳ୍ପ, ରାମଲିଙ୍ଗେଶ୍ୱର ପାର୍କ, ଅତ୍ୟାଧୁନିକ ଷ୍ଟାଡିୟମ୍ ମିଳିଲା। ଗୋପାଳପୁର ସହରକୁ ମିଳିବାକୁ ଯାଉଛି ନୂଆ ଇନ୍‌ଡୋର୍ ହଲ୍, ବିକଶିତ ହେବ ଏଠାକାର ମିନି ଷ୍ଟାଡିୟମ୍। ପର୍ଯ୍ୟଟନ ଦୃଷ୍ଟିରୁ ଇକୋ ରିଟ୍ରିଟ୍ କଟେଜ୍ କୁହନ୍ତୁ ବା ବିକଶିତ ବେଳାଭୂମି ସହର, ଗୋପାଳପୁର ଏନ୍‌ଏସି ବାସିନ୍ଦା ଲାଭାନ୍ବିତ ହେଉଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ୍ ପାଇଁ ମଧ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ, ନିକଟସ୍ଥ ପାତିସୁନାପୁରରେ ବ୍ଲୁ ଫ୍ଲାଗ୍ ବିଚ୍, ବ୍ଲକ୍‌ର ୯ଟି ହାଇସ୍କୁଲକୁ ପ୍ରଥମ ଦଫାରେ ସ୍ମାର୍ଟ ସ୍କୁଲ କରାଯିବାଟା ସେଠି ପ୍ରଗତିର ଧାରାକୁ ସୂଚାଉଛି। ପୁଣି ଏବେ ରିଙ୍ଗ୍ ରୋଡ୍ ନିର୍ମାଣ ଗୋପାଳପୁର ଓ ବ୍ରହ୍ମପୁର ସମେତ ୪ଗୋଟି ନିର୍ବାଚନମଣ୍ଡଳୀର ବାସିନ୍ଦାଙ୍କୁ ଉଣାଅଧିକେ ବେଶ୍ ସହାୟକ ହେବ। ସେମାନଙ୍କ ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ସହ ଯୋଗାଯୋଗ କ୍ଷେତ୍ରରେ ଏମାନଙ୍କୁ ଦୁଇ ପାଦ ଆଗୁଆ ରଖିବ। ହଳଦିଆପଦର ବସ୍ ଟର୍ମିନାଲ୍ ମଧ୍ୟ ଏବେ ଚଳଚଞ୍ଚଳ ହୋଇ ଉଠିବ ଓ ପ୍ରଗତିର ଶଙ୍ଖ ଖୁବ୍ ଜୋର୍‌ରେ ବାଜି ଉଠିବ।

Comments are closed.