ଭୂମିପୁତ୍ର ବିଜୁବାବୁ : ଜାତୀୟତାବାଦ ଓ ଓଡ଼ିଆ ସ୍ୱାଭିମାନର ନିର୍ଭୀକ ଯୋଦ୍ଧା

ଲେଖକ: ବିଜନ କୁମାର ମହାପାତ୍ର

ନବ ଉତ୍କଳର ଅନ୍ୟତମ ପୁରୋଧା କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଆଜି ୧୦୬ ତମ ଜୟନ୍ତୀ । ଲୋକପ୍ରିୟ ଜନନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ବିଜୁ ପଟ୍ଟନାୟକ । ତାଙ୍କର ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି ।

ଜଣେ ସଫଳ ଓ ପ୍ରଭାବଶାଳୀ ରାଜନେତା ଭାବେ ପରିଚିତ ହେବା ଆଗରୁ ବିଜୁବାବୁ ଥିଲେ ଜଣେ ସାହସୀ ପାଇଲଟ । ବିଜୁବାବୁଙ୍କ ରାଜନୀତି ସହ ତାଙ୍କ ପାଇଲଟ ଜୀବନ ସଂପର୍କରେ ଆଜି ବି ଚର୍ଚ୍ଚା ହୁଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ଦେଶ ବିଭାଜନ ପରେ ୧୯୪୮ ମସିହାରେ ପାକିସ୍ତାନ ବିରୋଧରେ କାଶ୍ମୀର ଯୁଦ୍ଧ ବେଳେ ପାଇଲଟ ଭାବେ ଅଦମ୍ୟ ସାହସ ଓ ବୀରତା ପ୍ରଦର୍ଶନ ପାଇଁ ଆଜି ବିଜୁ ବାବୁଙ୍କୁ ମନେ ପକାଯାଏ । କୁହାଯାଏ ଯେ, ଯଦି ବିଜୁ ପଟ୍ଟନାୟକ ସାହସର ସହ ଭାରତୀୟ ସେନାର ଯବାନମାନଙ୍କୁ ଶ୍ରୀନଗରରେ ପହଂଚାଇ ନଥାନ୍ତେ, ତାହା ହେଲେ ଆଜି ବୋଧହୁଏ ଜାମ୍ମୁ ଓ କାଶ୍ମୀର ପାକିସ୍ତାନ କବଜାରେ ଥାଆନ୍ତା । ଆଜି ଏହି ମହାନ ଜନନାୟକଙ୍କ ଜୟନ୍ତୀରେ ଆମେ ତାଙ୍କ ସାହସୀ ପାଇଲଟ ଜୀବନ ସଂପର୍କରେ ଆଲୋକପାତ କରିବା ।

ରେଭେନସା କଲେଜରେ ପାଠ ପଢୁଥିବା ବେଳେ ବିଜୁବାବୁଙ୍କୁ ପାଇଲଟ ହେବା ନିଶା ଘାରିଥିଲା । କଲେଜ ଛାଡି ସେ ପାଇଲଟ ପ୍ରଶିକ୍ଷଣ ନେଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭବେଳକୁ ତତ୍କାଳୀନ ବ୍ରିିଟିଶ ଇଣ୍ଡିଆର ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ ବିଜୁ ପଟ୍ଟନାୟକ । ଏୟାର ଟ୍ରାନ୍ସପୋର୍ଟ କମାଣ୍ଡ୍‌ର ମୁଖ୍ୟ ହୋଇଥିଲେ ବିଜୁ ବାବୁ । ପାଇଲଟ ଜୀବନର ଆଦ୍ୟ ଭାଗରେ ଜାତୀୟତାବାଦୀ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ ବିଜୁ ବାବୁ । ବ୍ରିଟିଶ ସରକାରଙ୍କ ଅଧିନରେ ବର୍ମାରେ କାର୍ଯ୍ୟରତ ଭାରତୀୟ ଯବାନଙ୍କୁ ଜାତୀୟତାବାଦୀ ଲିଫଲେଟ୍ ବାଂଟିବା ଅଭିଯୋଗରେ ଜେଲ୍ ବି ଯାଇଥିଲେ ବିଜୁ ବାବୁ ।

ଭାରତୀୟ ଯବାନଙ୍କୁ ନେଇ ଶ୍ରୀନଗରକୁ ସାହସିକ ବିମାନ ଯାତ୍ରା

୧୯୪୭ରେ ଦେଶ ସ୍ୱାଧୀନ ହେଲା ପରେ ବି ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ସୃଷ୍ଟି ହୋଇଥିଲା ରାଜନୈତିକ ଅଚଳାବସ୍ଥା । ଦେଶ ବିଭାଜନରୁ ନବଗଠିତ ପାକିସ୍ତାନ ଜାମ୍ମୁ ଓ କାଶ୍ମୀରକୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲା । ୧୯୪୮ରେ ଯେତେବେଳେ ପାକିସ୍ତାନୀ ଆକ୍ରମଣକାରୀ କାଶ୍ମୀର ଅଧିକାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ସେତେବେଳେ ବିଜୁ ପଟ୍ଟନାୟକ ପାଇଲଟ ଭାବେ କାର୍ଯ୍ୟରତ ଥିଲେ । ଡକୋଟା ଡିସି-୩ ବିମାନ ଉଡାଉଥିଲେ ବିଜୁ ବାବୁ । ଜଣେ ଦୁଃସାହସୀ ଓ ଓ ପ୍ରବୀଣ ପାଇଲଟ ଭାବେ ଜାତୀୟ ଓ ଆନ୍ତର୍ଜାତିକ ପ୍ରସିଦ୍ଧି ହାସଲ କରିସାରିଥିଲେ ବିଜୁ ବାବୁ ।

୧୯୪୮ ମସିହା ଅକ୍ଟୋବର ୨୭ ତାରିଖ । ସେହି ଦିନ ବିଜୁବାବୁ ଶ୍ରୀନଗର ବିମାନବନ୍ଦର ଅଭିମୁଖେ ଉଡାଣ ଭରିଲେ । ତାଙ୍କ ସହ ଥିଲେ ଶିଖ ରେଜିମେଂଟ୍‌ର ଯବାନ । ପାକ୍ ଅନୁପ୍ରବେଶକାରୀଙ୍କ ବିରୋଧରେ ଲଢିବାକୁ ସେମାନଙ୍କୁ ଶ୍ରୀନଗର ପଠାଯାଇଥିଲା । ସେ ନିଜ ବିମାନକୁ ବିମାନବନ୍ଦରର ଅତି ନିକଟରେ ଉଡାଇଥିଲେ । ସେଠାରେ ଶତ୍ରୁଙ୍କ ଉପସ୍ଥିତି ରହିଛି କି ନାହିଁ , ତାହା ଜାଣିବାକୁ ସେ ଏପରି କରିଥିଲେ । ଡିସି-୩ ଭଳି ବିମାନକୁ ବିମାନବନ୍ଦରର ଅତି ନିକଟରେ ଉଡାଇବା ଥିଲା ଦୁଃସାହସ କାମ । କିନ୍ତୁ ଚ୍ୟାଲେଂଜକୁ କେବେ ବି ଭୟ କରି ନ ଥିବା ବିଜୁ ବାବୁ ସୁରକ୍ଷିତ ଭାବେ ବିମାନକୁ ଲ୍ୟାଣ୍ଡ୍ କରିଥିଲେ । ଏହାପରେ ଭାରତୀୟ ସୈନ୍ୟମାନେ ଅନୁପ୍ରବେଶକାରୀଙ୍କୁ ସଫଳତାର ସହ ତଡିଥିଲେ ।

ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର ଅଭିଯାନ

ଏକ ଲଢୁଆ ପାଇଲଟ ଭାବେ ବିଜୁ ପଟ୍ଟନାୟକ ଭାରତ ସହ ଅନ୍ୟ କିଛି ଦେଶରେ ବି ସାହସୀ ଅପରେସନ ସଫଳତାର ସହ ସଂପାଦନ କରିଥିଲେ । ଏପରି ଏକ ଅଭିଯାନ ବେଳେ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ନେତା ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍ ଶାସକଙ୍କ କବଳରୁ ରକ୍ଷା କରିଥିଲେ । ଆଉ ଏହି ଅଦମ୍ୟ ବୀରତ୍ୱ ଓ ସାହସିକତା ପାଇଁ ଇଣ୍ଡୋନେସିଆ ବିଜୁ ବାବୁଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା । କଥା ହେଉଛି , ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଡଚ୍ ଶାସନ ବିରୋଧରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ କରିଥିଲେ । ତେଣୁ ଇଣ୍ଡୋନେସିଆର କିଛି ପ୍ରମୁଖ ନେତା ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍ ଷଡଯନ୍ତ୍ରକାରୀଙ୍କ କବଳରୁ ମୁକ୍ତ କରିବା ଦାୟିତ୍ୱ ବିଜୁ ପଟ୍ଟନାୟକଙ୍କ ଉପରେ ନ୍ୟସ୍ତ କରିଥିଲେ ପଣ୍ଡିତ ନେହରୁ । ଏହି ଅଭିଯାନ ଥିଲା ଅତି ଦୁଃସାହସିକ ଓ ଆହ୍ୱାନମୂଳକ । କିନ୍ତୁ ପଛଘୁଂଚା ଦେଇ ନ ଥିଲେ ବିଜୁ ବାବୁ । ସ୍ୱାଧୀନତାର ମୂଲ୍ୟ କଣ ସେ ବି ଅଙ୍ଗେ ନିଭାଇଥିଲେ । ନେହେରୁଙ୍କ ନିର୍ଦ୍ଦେଶ ପରେ ବିଜୁ ବାବୁ ଏହି ଡେୟାରିଂ ମିଶନରେ ବାହାରିପଡିଲେ । ଜାଭା ଅଭିମୁଖେ ଉଡାଣ ଭରିଲେ ବିଜୁ ପଟ୍ଟନାୟକ । ଡଚ୍ ସେନାକୁ ଚକମା ଦେଇ ଇଣ୍ଡୋନେସିଆ ବାୟୁସୀମା ଅତିକ୍ରମ କରି ଜାକର୍ତ୍ତା ନିକଟସ୍ଥ ଏକ ଅସ୍ଥାୟୀ ଏୟାରଷ୍ଟ୍ରିପରେ ନିଜ ବିମାନକୁ ଅବତରଣ କରିଥିଲେ । ଏକ ପରିତ୍ୟକ୍ତ ଜାପାନୀ ସାମରିକ ଡମ୍ପ୍‌ରୁ ବଳକା ଇନ୍ଧନ ଭର୍ତ୍ତି କରି ଇଣ୍ଡୋନେସିଆର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ସୁଲତାନ ସାହରିର, ସୁକାର୍ଣ୍ଣୋ ଓ ଅନ୍ୟମାନଙ୍କୁ ନେଇ ସିଙ୍ଗାପୁର ଦେଇ ସୁରକ୍ଷିତ ଭାବେ ନୂଆଦିଲ୍ଲୀ ଆଣିଥିଲେ । ଏହି ଦୁଃସାହସୀ ଅଭିଯାନରେ ବିଜୁ ବାବୁଙ୍କ ପତ୍ନୀ ବି ତାଙ୍କ ସହ ଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ଗୋଟିଏ ମାସର ଛୁଆ ଥିଲେ ।

ଅଦମ୍ୟ ସାହସ ଓ ବୀରତ୍ୱର ଏହି ଉଲ୍ଲେଖନୀୟ ‘ରେସକ୍ୟୁ ମିଶନ’ ପାଇଁ ବିଜୁବାବୁଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲା ସାରା ଇଣ୍ଡୋନେସିଆ । ବିଜୁ ବାବୁଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ସୁକାର୍ଣ୍ଣୋ ସ୍ୱାଧୀନ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ସାହସିକତାର ଅପୂର୍ବ ନିଦର୍ଶନ ପାଇଁ ବିଜୁ ବାବୁଙ୍କୁ ସେ ଦେଶର ଆଜୀବନ ନାଗରିକତ୍ୱ ଦିଆଯାଇଥିଲା । ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ‘ଭୂମିପୁତ୍ର’ ସମ୍ମାନରେ ବି ସମ୍ମାନିତ କରାଯାଇଥିଲା ।

୧୯୯୬ରେ ଇଣ୍ଡୋନେସିଆ ସ୍ୱାଧୀନତାର ୫୦ତମ ବାର୍ଷିକୀ ଉପଲକ୍ଷେ ବିଜୁବାବୁଙ୍କ ସ୍ମରଣ କରିଥିଲା ସେ ଦେଶ । ଏହି ଅବସରରେ ବିଜୁବାବୁଙ୍କୁ ସେ ଦେଶର ସରକାର ‘ବିନତାଙ୍ଗ୍ ଜାସୁ ଉତମା’ ଜାତୀୟ ସମ୍ମାନରେ ସମ୍ମାନିତ କରିଥିଲେ ।

ବିଜୁ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ଗତ ବର୍ଷ ନୂଆଦିଲ୍ଲୀରେ ଥିବା ଇଣ୍ଡୋନେସିଆ ଦୂତାବାସର ଏକ କକ୍ଷ ତାଙ୍କ ନାମରେ ନାମିତ କରାଯାଇଛି ।

ସତରେ ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ, ଏକ ମହାନ ଜନନାୟକ । ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ।

( ଲେଖକ ଜଣେ ବରିଷ୍ଠ ସାମ୍ବାଦିକ )

Comments are closed.