ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ: ବରଗଡ଼ କ୍ୟାନସର ହସପିଟାଲ ପାଇଁ ୯୨ କୋଟି ମଞ୍ଜୁର

ସମ୍ବଲପୁର : ସାକାର ରୂପ ନେବାକୁ ଯାଉଛି ବରଗଡ଼ବାସୀଙ୍କ ସ୍ବପ୍ନ । କ୍ୟାନସରର ଗଡ଼ ପାଲଟିଥିବା ବରଗଡ଼ବାସୀଙ୍କ ପାଇଁ ଏକ ବୃହତ କ୍ୟାନସର ହପସିଟାଲ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିଛନ୍ତି । ଗତକାଲି ଏହି ବୃହତ ପ୍ରକଳ୍ପ ନେଇ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରିଥିବା ବେଳେ ଏହାର ରୂପରେଖ ବି ଚୂଡ଼ାନ୍ତ ହୋଇଛି । ଆଉ ଏହି ପ୍ରକଳ୍ପକୁ ଗତକାଲି ପ୍ରଶାସନିକ ଅନୁମୋଦନ ବି ମିଳିଛି । ୬ ମହଲା ବିଶିଷ୍ଟ ଏହି ବିଶାଳ କୋଠାରେ ଅତ୍ୟାଧୁନିକ କ୍ୟାନସର ହସପିଟାଲ ପାଇଁ ସମସ୍ତ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି । ତେବେ , ଏହି ହସପିଟାଲ ପାଇଁ ଖୁବ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହା ଜଣାପଡ଼ିବା ପରେ ଦୀର୍ଘ ବର୍ଷ ଧରି ଏହି ହସପିଟାଲ ପାଇଁ ସଂଘର୍ଷ କରି ଆସୁଥିବା ବରଗଡ଼ବାସୀ ଆଶ୍ବସ୍ତ ହୋଇଛନ୍ତି ।

ପଶ୍ଚିମ ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାରେ ମାରାତ୍ମକ କ୍ୟାନସର ରୋଗ ଦିନକୁ ଦିନ ଚିନ୍ତାର କାରଣ ହେଲାଣି । ପଶ୍ଚିମ ଓଡ଼ିଶାର ମୋଟ୍ କ୍ୟାନସର ରୋଗୀଙ୍କ ପ୍ରାୟ ଅଧାରୁ ଅଧିକ କେବଳ ବରଗଡ ଜିଲ୍ଲାରୁ ଚିହ୍ନଟ ହେଉଥିବା ବିଭିନ୍ନ ଆକଳନରୁ ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ଆରମ୍ଭ କରି ବୁର୍ଲା ପର୍ଯ୍ୟନ୍ତ ଏହି ରୋଗର ଚିକିତ୍ସା ପାଇଁ ପୂର୍ଣ୍ଣାଙ୍ଗ ଭିଭି ଭୂମି ବିକାଶ ହୋଇପାରିନଥିବାରୁ ଲୋକେ ରାଜ୍ୟ ବାହାରର ବିଭିନ୍ନ ହସପିଟାଲ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଥିଲେ ।

ଏଥିପାଇଁ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇଥିବା ବରଗଡ଼ ଜିଲ୍ଲାର ସମସ୍ତ ରୋଗୀ କ୍ୟାନସର ଫାଇଟର୍ସ ଗୁପ୍ ନାମରେ ସଂଘ କରି ଜିଲ୍ଲାରେ କ୍ୟାନସର ହସପିଟାଲ ସ୍ଥାପନ ନେଇ କିଛି ବର୍ଷ ହେଲା ଦାବି କରି ଆସୁଥିଲେ । ଗତ ପ୍ରାୟ ବର୍ଷେ ହେଲା ଏହା ଜନ ଆନ୍ଦୋଳନ ରୂପ ନେଇଥିଲା । ତେବେ , ଲୋକଙ୍କ ଦାବିକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଜିଲ୍ଲାରେ କ୍ୟାନସର ହସପିଟାଲ ସ୍ଥାପନ ନେଇ ଘୋଷଣା ବି କରିଥିଲେ । ଆଉ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତାଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିଛନ୍ତି ।

ପୂର୍ବରୁ ଏହି ପ୍ରକଳ୍ପ ପାଇଁ ସର୍ଭେ ସରିଯାଇଥିବା ବେଳେ ଗତକାଲି ଏହି ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ଦେଇଛନ୍ତି । ୬ ମହଲା ବିଶିଷ୍ଟ ଏହି ହସପିଟାଲ ପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ୨୮ ଲକ୍ଷ ଟଙ୍କାର ଅର୍ଥ ବି ମଞ୍ଜୁର କରିଛନ୍ତି । ଖୁବ୍ ଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ , ଏହି ହସପିଟାଲରେ କ୍ୟାନସର ରୋଗର ଚିକିତ୍ସା ପାଇଁ ସବୁ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ କରାଯିବ ବୋଲି ଯୋଜନା ରହିଛି । କୋଠା ବ୍ୟତୀତ ଯନ୍ତ୍ରପାତି ଏବଂ ଆବଶ୍ୟକ ଡାକ୍ତର କର୍ମଚାରୀ ନିଯୁକ୍ତି ପାଇଁ ପୁଣି ସତନ୍ତ୍ର ଅର୍ଥ ବରାଦ କରାଯିବ ବୋଲି ସୂଚନା ମିଳିଛି ।

ତେବେ , ଏହି ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ପରେ ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି । ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ମନ୍ତ୍ରୀ ସୁଶାନ୍ତ ସିଂ ଏନେଇ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଜନସାଧାରଣଙ୍କ ପକ୍ଷରୁ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଦିଆଯାଇଛି । ଏହି ପ୍ରକଳ୍ପ ହେଲେ ଏଣିକି ଗରିବ ରୋଗୀଙ୍କୁ ଆଉ ଜିଲ୍ଲା ବାହାରକୁ ଯିବାକୁ ପଡିବନି କି ଖର୍ଚ୍ଚାନ୍ତ ହେବାକୁ ପଡିବନି ବୋଲି ମତପ୍ରକାଶ ପାଇଛି । ଏହା ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

Comments are closed.