ଗଞ୍ଜାମ ଜିଲ୍ଲାରେ ୨୨୬ ଗର୍ଭବତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର, ବ୍ରହ୍ମପୁରରେ ନାଳ ସଫେଇ ତ୍ବରାନ୍ବିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଗର୍ଭବତୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଆସିଛି। ସେଥିପାଇଁ ସାରା ଜିଲ୍ଲାରେ ପ୍ରସୂତୀଙ୍କୁ ଆଗୁଆ ସୁରକ୍ଷିତ ପ୍ରସବ ସକାଶେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେମିତି ବାତ୍ୟା ସମୟରେ ସେମାନଙ୍କୁ କୋୖଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି। ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲ୍ଲାର ୨୨୬ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଗୁଆ ଭର୍ତ୍ତି କରାଯାଇଛି। ସାନଖେମୁଣ୍ଡି ବ୍ଲକର ସର୍ବାଧିକ ୩୨, ବୁଗୁଡା ବ୍ଲକର ୨୪, କବିସୂର୍ଯ୍ୟ ନଗରର ୧୮, ରଙ୍ଗେଇଲୁଣ୍ଡାର ୧୬, ପୋଲସରା, ବେଗୁନିଆପଡା ଓ ଗଞ୍ଜାମ ବ୍ଲକର ୧୫ ଜଣ ଲେଖାଏଁ ମହିଳାଙ୍କୁ ଡାକ୍ତରଖାନାରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୪୪ ଜଣ ପ୍ରସବ କରିଛନ୍ତି। ସାନଖେମୁଣ୍ଡି ବ୍ଲକର ୧୬ ଜଣ, ଗଞ୍ଜାମ ୭, ସୋରଡା ବ୍ଲକର ୫ ଜଣ ଛୁଆ ଜନ୍ମ ଦେଇଛନ୍ତି।

ବାତ୍ୟା ମୁକାବିଲା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ତରଫରୁ ଚାଷୀମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରାଯାଇଛି। ଅମଳ ଧାନ ଓ ଅନ୍ୟ ଫସଲ ସୁରକ୍ଷିତ ରଖିବା ସକାଶେ କୃଷକମାନଙ୍କୁ ପଲିଥିନ ଯୋଗାଈ ଦିଆଯାଇଛି। ପୂର୍ବରୁ ମଧ୍ୟ ଚାଷୀଙ୍କୁ ଆଗୁଆ ଧାନ ଜମିରୁ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଥିଲା।

ଗତ ୨୪ ଘଣ୍ଟାରେ ଗୋପାଳପୁରରେ ସର୍ବାଧିକ ୪୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ବ୍ରହ୍ମପୁରରେ ୪୩.୦, ଛତ୍ରପୁରରେ ୩୬.୪, ପୁରୁଷୋତ୍ତମପୁରରେ ୩୪.୬, ଦିଗପହଣ୍ଡିରେ ୨୧.୦, ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଓ ଶେରଗଡ଼ରେ ୧୩ ମି.ମି. ଲେଖାଏଁ ବର୍ଷା ହୋଇଛି।

ମାଛଧରା ପାଇଁ ଆସିଥିବା ୬୮ଟି ଆନ୍ଧ୍ର ବୋଟକୁ ଗୋପାଳପୁର ବନ୍ଦରରେ ସୁରକ୍ଷିତ ଆଶ୍ରୟ ଦିଆଯାଇଛି। ପୂର୍ବରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ତଥା ଯେଉଁମାନେ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ ସେମାନଙ୍କୁ ତୁରନ୍ତ ଫେରି ଆସିବାକୁ ପରାମର୍ଶ ଦିଆଯାଇ ଥିଲା।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ କଲେଜ ଛୁଟି କରି ଦିଆଯାଇଛି। ବସ୍ ଓ ଅଟୋ ସେବାକୁ ମଧ୍ୟ ବନ୍ଦ ରଖାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ସେହିପରି ବ୍ରହ୍ମପୁର ସହରରେ ପ୍ରବଳ ବର୍ଷାଜନିତ ସମ୍ଭାବ୍ୟ ଜଳବନ୍ଦୀ ସ୍ଥିତିକୁ ଏଡ଼ାଇବା ପାଇଁ ବାହାନା ଓ ସାପୁଆ ନାଳ ସମେତ ସମସ୍ତ ବଡ଼ ବଡ଼ ନାଳ, ଡ୍ରେନ୍ ସଫେଇ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ମିନି ଜେସିବି ଲଗାଇ ସଫା କରାଯାଉଛି। ଜଳ ନିଷ୍କାସନ ସମସ୍ୟା ଉପୁଜିଲେ ତୁରନ୍ତ ପ୍ରତିକାର ନିମନ୍ତେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନଙ୍କ ଦଳ ଶ୍ରମିକ ଓ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଛନ୍ତି। ବ୍ରହ୍ମପୁର ମହାନଗର ନିଗମ କମିଶନର୍ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଅନ୍ୟ ଅଧିକାରୀଙ୍କ ସାଙ୍ଗରେ ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେ ଶାନ୍ତିନଗର ବସ୍ତି, ଉତ୍ତରାମୁଖୀ ବସ୍ତି ପରିଦର୍ଶନ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କୁ ସଜାଗ ରହିବାକୁ ତଥା ଅଧିକ ବର୍ଷା ହେଲେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦେଇଛନ୍ତି।

Comments are closed.