ଜାତିର ପିତା ମହାତ୍ମାଗାନ୍ଧୀ ଥିଲେ ଏ ଦେଶର କର୍ଣ ଧାର। ଯାହାଙ୍କ ଅଦମ୍ୟ ନିଷ୍ଠା ଓ ସଂକଳ୍ପ ବଳରେ ଏ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ଏକକ ସ୍ବାଧୀନତା ହାସଲ କରିଥିଲା। ଏହି ଯୋଗଜନ୍ମା ମହାପୁରୁଷ ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ।
ଅହିଂସା ଉପାୟରେ ଦେଶକୁ ସ୍ୱାଧୀନତା ଆଣିଥିବା ମହାନ ପୁରୁଷ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଅନେକ ଦେଶପ୍ରେମୀ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ଦେଶ ମାତୃକାର ସେବା କରିଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଅନେକ ବୀରଙ୍କ ମଧ୍ୟରେ ଥିଲେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ପରି ଅନେକ ଦେଶପ୍ରେମୀ।
ଆଜି ସାରାଦେଶରେ ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ୧୫୨ ତମ ଜୟନ୍ତୀ ପାଳନ ହେଉଥିବା ବେଳେ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ମଧ୍ୟ ପାଳନ କରାଯାଉଛି । ତେବେ ବିଭିନ୍ନ ସମୟରେ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ଥର ଆସିଥିବା ନଜିର ରହିଛି ।
ପ୍ରଥମ ଥର- ୧୯୨୧ ମାର୍ଚ୍ଚରେ ୨୩ରୁ ୨୯: କଟକ, ଭଦ୍ରକ, ପୁରୀ ଓ ବ୍ରହ୍ମପୁର ଗ୍ରସ୍ତ କରିଥିଲେ। ଏହି ସମୟରେ ଗାନ୍ଧିଜୀ ପୁରୀ ଶ୍ରୀମନ୍ଦିର ଦର୍ଶନ କରିଥିଲେ। ଗାନ୍ଧୀଜୀ ୧୯୨୧ ମସିହା, ମାର୍ଚ୍ଚ ୨୭ ତାରିଖରେ ଶ୍ରୀମନ୍ଦିରର ଗର୍ଭଗୃହରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲାବେଳେ, ଗର୍ଭଗୃହରେ ‘ଘନ ଅନ୍ଧକାରର ରାଜୁତି’ କରୁଥିଲା ଏବଂ ‘ଗୋଟିଏ ଦୁଇଟି ଦୀପ’ ହିଁ ଜଳୁଥିଲା। କାରଣ ସେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବିଦ୍ୟୁତ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନଥିଲା। ଗର୍ଭଗୃହରେ ଜଳୁଥିବା ଦୀପ ଆଲୋକରେ ସିଏ ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀ ନାରାୟଣ ରୂପରେ ଦର୍ଶନ କରିଥିଲେ। ଦର୍ଶନ ସାରି ସିଏ ବେଢା ପରିକ୍ରମା କରିଥିଲେ। ତାଙ୍କର କୌଳିକ ପଣ୍ଡା ରାମ ଗୋଛିକାର ତାଙ୍କୁ ଦର୍ଶନ କରାଇଥିଲେ। ତାଙ୍କ ଯାତ୍ରୀ ପଣ୍ଡାଙ୍କ ପରିବାରରେ ସଂରକ୍ଷିତ ଦସ୍ତାବିଜ ବା ନଥିରେ ଏ ବାବଦରେ ବିବରଣୀ ଲିପିବଦ୍ଧ ରହିଛି। ନିଯେ ଗାନ୍ଧିଜୀ ଏହି ପରିଦର୍ଶିକା ପୁସ୍ତକରେ ଯାତ୍ରୀ ପଣ୍ଡା ଙ୍କ ବ୍ୟବସ୍ଥା ଓ ଆତିଥେୟ ତା ନେଇ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସତ୍ତ୍ୱେ ଆଜିବି ଅନେକ ଲୋକଙ୍କ ମନରେ ଭ୍ରମ ଧାରଣା ରହିଛି କି ଗାନ୍ଧିଜୀ କେବେ ଶ୍ରୀମନ୍ଦିର ଯାଇ ନାହାନ୍ତି।
ଦ୍ୱିତୀୟ ଥର- ୧୯୨୫ ଅଗଷ୍ଟ ୧୯ ଓ ୨୦ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନିମନ୍ତ୍ରଣରେ କଟକ ଆସିଥିଲେ। ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟାନେରୀ ନାମକ ଜୋତା କାରଖାନାଟି ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
ତୃତୀୟ ଥର – ୧୯୨୭ ଡିସେମ୍ବର ୪ରୁ୨୧: ୧୫ ଦିନିଆ ଗସ୍ତରେ ଆସି ଖଦିର ପ୍ରସାର କରିଥିଲେ।
ଚତୁର୍ଥ ଥର – ୧୯୨୮ ଡିସେମ୍ବର ୨୨: ଝାରସୁଗୁଡ଼ା ଓ ସାଲେପୁର ଗ୍ରସ୍ତ କରିଥିଲେ।
ପଂଚମ ଥର – ୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ । ୮ ତାରିଖରେ ବର୍ତ୍ତମାନ ସିଂହଦ୍ଵାର ରେ ସ୍ଥାପିତ ଗୋପବନ୍ଧୁଙ୍କ ପୂର୍ଣ୍ଣବୟବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ
ଷଷ୍ଠ ଥର – ୧୯୩୪ ମଇ ୨୧ରୁ ଜୁନ୍ ୭: ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପଦଯାତ୍ରା କରିଥିଲେ।
ସପ୍ତମ ଥର – ୧୯୩୮ ମାର୍ଚ୍ଚ ୨୫ରୁ ୩୧: ପୁରୀ ଡେଲାଙ୍ଗ ଗ୍ରସ୍ତ କରିଥିଲେ।
ଅଷ୍ଟମ ଥର- ୧୯୪୭ ଜାନୁୟାରୀ ୨୦: ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇଥିଲେ।
ଏହାହି ଥିଲା ତାଙ୍କର ଶେଷ ଓଡ଼ିଶା ଗସ୍ତ। ଓଡ଼ିଶା କୁ ବାରମ୍ବାର ଆସିବାର ତାଙ୍କ ମୁଳଲକ୍ଷ ଥିଲା ଏ ଓଡିଶା ମାଟିର ଦୁର୍ଦ୍ଧଶ ବୀରପୁତ୍ର ମାନଙ୍କର ଦେଶ ମାତୃକା ପାଇଁ ନିସ୍ୱାର୍ଥ ତ୍ୟାଗ ଓ ତିତୀକ୍ଷାର ଆକର୍ଷଣ। ଏହି ପବିତ୍ର ମାଟିର ସ୍ୱତନ୍ତ୍ର ଆକର୍ଷଣ। ଯେଉଁ ମାଟି ଦିନେ ଚଣ୍ଡା ଶୋକକୁ ଧର୍ମାଶୋକରେ ପରିଣତ କରିଥିଲା। ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଐକ୍ୟତା ମନ୍ତ୍ରରେ ସମସ୍ତଙ୍କୁ ବାନ୍ଧି ରଖି ପାରିଥିଲା। ସମଗ୍ର ଭାରତ ବର୍ଷ କୁ ସ୍ୱାଭିମାନର ବାର୍ତା ପ୍ରଦାନ କରିଥିଲା। ଆଜିବି ଏହାର ପ୍ରବାହିତ ବାୟୁ ତରଙ୍ଗ ଏହାହିଁ ଘୋଷଣା କରୁଛି।