ନବୀନ: ଓଡିଆ ଅଭ୍ୟୁଦୟ ଓ ବିକାଶର ସମର୍ପିତ ବିନ୍ଧାଣୀ

ଲେଖକ: ପ୍ରତିଭା ନେପାକ

ଗୋଟିଏ ଜାତିର ଆଦର ଲଭିବାର ବାରମ୍ବାରତାରେ ସେ ଅପରାଜେୟ। ନିବଦ୍ଧ ଲକ୍ଷ୍ୟ ଓ ତାହାକୁ ଏକନିଷ୍ଠ ରୂପେ କାର୍ଯ୍ୟକାରୀ କରାଇ ସାଢ଼େ ୪ କୋଟି ଓଡ଼ିଆଙ୍କ ଏଇ ବିଶାଳ ପରିବାରକୁ ପ୍ରଗତି ପଥରେ ଆଗେଇ ନେଇ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ସେ ଅହରହ ପ୍ରୟାସରତ। ତାଙ୍କ ଦୂରଦୃଷ୍ଟି ଓଡ଼ିଶାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତଥା ଅନ୍ୟ ଉପରେ ନିର୍ଭରଶୀଳ ଏବଂ ବିକାଶ ଦୃଷ୍ଟିରୁ ପଛୁଆ ଭାବେ ପରିଗଣିତ ରାଜ୍ୟରୁ ଦେଶର ନେତୃତ୍ବ ନେବା ଭଳି ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି। ଯେଉଁ ଓଡ଼ିଶା ଦିନେ ଅନ୍ୟର ସହାୟତାକୁ ଚାହିଁ ରହୁଥିଲା, ସେହି ରାଜ୍ୟ ଆଜି ଅନ୍ୟକୁ ବିପତ୍ତି ସମୟରେ ସହାୟତା ଦେଇ କେବଳ ଯେ ନିଜ ନେତୃତ୍ବର ପରାକାଷ୍ଠାକୁ ପ୍ରମାଣିତ କରିଛି ତା ନୁହେଁ, ଏ ଦେଶର ସାମଗ୍ରିକ ବିକାଶରେ ନିଜ ଉତ୍ତରଦାୟିତ୍ବକୁ ଯଥାର୍ଥରେ ପ୍ରତିପାଦିତ କରିଛି। ଆଉ ଏସବୁ ପଛରେ ରହିଛନ୍ତି ସେହି ଭିଜନାରୀ ମ୍ୟାନ୍ ଅଫ୍ ମିଶନ୍, ବିକଶିତ ଓଡ଼ିଶାର ବିନ୍ଧାଣୀ, ସବୁରି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟର ସବୁଠୁ ଶକ୍ତିଶାଳୀ ଓ ସର୍ବାଧିକ କାଳ ଜନସେବାକୁ ଆଧାର କରି କ୍ଷମତାସୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ବୟସରେ ମଧ୍ୟ ନବୀନ ହେଉଛନ୍ତି ହୃଦୟରେ ଓ ମାନସିକ ଭାବେ ଯୁବକ, ଜଣେ ଏଭଳି ବ୍ୟକ୍ତି ଯେକି ୪.୫ କୋଟି ଓଡ଼ିଆଙ୍କ ପାଇଁ ଅନ୍ୟ ଯେକୌଣସି ଲୋକଙ୍କ ଅପେକ୍ଷା ଅଧିକ ଯତ୍ନଶୀଳ। ଜଣେ ବାସ୍ତବବାଦୀ ରାଷ୍ଟ୍ରନାୟକ ଓ ସମଗ୍ର ଜନମାନସର ନେତା ଭାବେ ଚମତ୍କାର ଗୁଣର ଅଧିକାରୀ ସେ ହେଉଛନ୍ତି ଏକ ନୂତନ ଓଡ଼ିଶା ନିମନ୍ତେ ଆଶାର ଆଲୋକ ଓ ପ୍ରେରଣାଦାୟୀ ଶକ୍ତି। ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ସମସ୍ତ କ୍ଷେତ୍ରରେ ଓଡ଼ିଶାକୁ ସ୍ଥାୟୀ ଓ ସାମଗ୍ରିକ ବିକାଶର ମାର୍ଗରେ ଗୌରବମୟ ଉଚ୍ଚତାରେ ପହଞ୍ଚାଇ ପାରିଛି।

୨୦୦୦ ମସିହାରୁ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ରୂପାନ୍ତରଣର ନେତୃତ୍ବ ନେଇ ଆସୁଛନ୍ତି। ସେ ଯେ ଦେଶର ସବୁଠାରୁ ସଫଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏଥିରେ କୌଣସି ଦ୍ବିମତ ନାହିଁ। ଏହା ପଛରେ ରହିଛି ତାଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି, ସରଳ ଜୀବନ ଓ ଦୁର୍ନୀତିର ଲେଶମାତ୍ର ଛାଇ ନଥିବା ସବୁଠାରୁ ପାରଦର୍ଶୀ ସରକାର। ସାମାଜିକ- ଆର୍ଥିକ ବିକାଶର ଜଣେ ଦୃଢ଼ ପ୍ରବର୍ତ୍ତକ ଓ ପଥପ୍ରଦର୍ଶକ, ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଓ ବିକାଶ ଆଧାରିତ ନୀତି ଓଡ଼ିଶାକୁ ଦାରିଦ୍ର୍ୟର ଶୃଙ୍ଖଳରୁ ମୁକ୍ତ କରି ଦେଶର ଏକ ଦ୍ରୁତ ବିକାଶଶୀଳ ଚମକପ୍ରଦ ରାଜ୍ୟରେ ପରିଣତ କରାଇ ପାରିଛି। ଜନସମୂହ ପ୍ରତି ତାଙ୍କର ନିଷ୍ଠାପର ଭାବେ ସେବା କରିବାର ଆଭିମୁଖ୍ୟ ଫଳରେ ସେ ସମସ୍ତ ଓଡ଼ିଆଙ୍କ ହୃଦୟ ଜିଣିବାରେ କେବଳ ଯେ ସମର୍ଥ ହୋଇଛନ୍ତି ତାହାନୁହେଁ, ବରଂ ଏଥିସହ ସେମାନଙ୍କ ଚିର, ବିପୁଳ ସମର୍ଥନ ଓ ସ୍ନେହ ଶ୍ରଦ୍ଧା ହାସଲ କରି ଆସିଛନ୍ତି।

ପ୍ରାୟ ଦୁଇ ଦଶନ୍ଧି କାଳ ରାଜ୍ୟକୁ ଶାସନ କରି ଆସିଥିବା, ୫ ଥରର ଏହି ମୁଖ୍ୟମନ୍ତ୍ରୀ କିନ୍ତୁ ଅତି ସରଳ, ଲୋ-ପ୍ରୋଫାଇଲ ସର୍ବସାଧାରଣ ଜୀବନ ଜୀଇଁବାରେ ବିଶ୍ବାସ ରଖନ୍ତି। ସୁଟ୍‌ବୁଟ୍ ନୁହେଁ କି ଦାମୀ ପୋଷାକ ନୁହେଁ, ସାଦାସିଧା ଧଳା କୁର୍ତ୍ତା ପାଇଜାମା ଓ ହଳେ ଚପଲ ତାଙ୍କ ପରିଧାନ। କିନ୍ତୁ ସେ ବେଶ୍ ମଜବୁତ ଆତ୍ମବିଶ୍ବାସୀ ଓ ବିପୁଳ ଲୋକପ୍ରିୟତା ଠାରୁ ଅଧିକ ବିଶାଳ ପରିବ୍ୟାପ୍ତ ତାଙ୍କ ଜୀବନ। ମତଦାତାଙ୍କ ଲଗାତର ସମର୍ଥନ ଓ ଭୋଟ ବିଜୟ ତାଙ୍କୁ କେବଳ ଅଧିକ ବିନମ୍ର ଓ ସେବାଭିମୁଖୀ କରିଛି।

୧୯୯୯ ମହାବାତ୍ୟା ପରବର୍ତ୍ତୀ ସବୁଠାରୁ ବଡ଼ ଦୁର୍ଦ୍ଦିନରୁ ଓଡ଼ିଶାକୁ ଉଦ୍ଧାର କରି ନବନିର୍ମାଣର କାରିଗରୀ ସହ ନବୀନ ପଟ୍ଟନାୟକ ରାଜ୍ୟକୁ ବିକାଶର ଏକ ନୂଆ ଯୁଗରେ ଆଣି ପହଞ୍ଚାଇ ପାରିଛନ୍ତି। ନବୀନଙ୍କ ଦୁଇ ଦଶନ୍ଧିର ରାଜନୈତିକ ନେତୃତ୍ବ ହେଉଛି ଓଡ଼ିଶାର ରୂପାନ୍ତରଣ ଓ ପ୍ରଗତିର ସଫଳ ଯାତ୍ରାର ଗାଥା। ସେଇ ଅଦ୍ୱିତୀୟ ଜନନାୟକ ଯେତେବେଳେ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି, ନ୍ୟୁଜରୁମ୍ ଡଟ୍ କୋ ଡଟ୍ ଇନ୍ ତାଙ୍କ ନେତୃତ୍ବରେ ଓଡ଼ିଶା ହାସଲ କରିଥିବା କିଛି ବୃହତ୍ ତଥା ଉଲ୍ଲେଖନୀୟ ସଫଳତାକୁ ଜନମାନସରେ ଉପସ୍ଥାପନ କରିବାର ପ୍ରୟାସ କରିଛି।

ନବୀନଙ୍କ ସରକାର ଜୀବନପ୍ରଦାୟୀ ସରକାର…

ଆଜି ସମଗ୍ର ବିଶ୍ବ ଅଦୃଶ୍ୟ ଓ ଅପରିଚିତ କରୋନା ମହାମାରୀ ବିପର୍ଯ୍ୟୟ ସହ ସଂଘର୍ଷ କରୁଛି। ଏହା ସମଗ୍ର ଦୁନିଆର ଜନଜୀବନକୁ ଅଶେଷ କ୍ଷତି ପହଞ୍ଚାଇଛି। ଏହି ସମୟରେ ମାନବୀୟ ମୂଲ୍ୟବୋଧର ସ୍ପର୍ଶ ସହ ଜୀବନ ରକ୍ଷା କରିବା ସାଜିଛି ସବୁଠୁ ବଡ଼ ପ୍ରାଥମିକତା। ଯଦିଓ ସବୁଆଡ଼େ ସମସ୍ତ ସରକାର ସେମାନଙ୍କ ଉତ୍ତମ ପ୍ରୟାସ କରି ଆସୁଛନ୍ତି, କିନ୍ତୁ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ବିପତ୍ତିର ମୁକାବିଲା କରିବାରେ ବାସ୍ତବବାଦୀ ଓ ସାକାରାତ୍ମକ ଆଭିମୁଖ୍ୟ ପୋଷଣ କରି ଆସିଛି। ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ କିଭଳି ଏପରି ମହାମାରୀର ସମ୍ମୁଖୀନ କରିହେବ, ନିଜ ରାଜ୍ୟବାସୀଙ୍କ ଜୀବନ ରକ୍ଷା ସହ ଅନ୍ୟ ରାଜ୍ୟକୁ ମଧ୍ୟ ସହାୟତାର ହାତ ବଢ଼ାଇ ସେଠିକାର ଲୋକଙ୍କ ଜୀବନ ରକ୍ଷା କରିହେବ ତାହାର ଉତ୍କୃଷ୍ଟ ନମୁନା ପ୍ରଦର୍ଶନ କରିପାରିଛି ନବୀନ ପଟ୍ଟନାୟକଙ୍କ ସରକାର। ବିଶେଷ କରି ନିଜସ୍ଵ ପରିଚାଳନା ଓ ବ୍ୟୟରେ, ନିଜ ରାଜ୍ୟରେ ଉତ୍ପାଦିତ ଅମ୍ଲଜାନ ପୋଲିସ ସୁରକ୍ଷା ମଧ୍ୟରେ ବଡ଼ ବଡ଼ ଟ୍ୟାଙ୍କର୍ ଜରିଆରେ ଯେତେବେଳେ ଯେଉଁ ରାଜ୍ୟକୁ ଦରକାର ପଡ଼ିଲା, ସେଠି ଅବିଳମ୍ବେ ସୁରୁଖୁରୁରେ ପହଞ୍ଚାଇ ଅନେକ ଜୀବନରକ୍ଷା କରିବାର ମାଧ୍ୟମ ସାଜିଥିଲେ ନବୀନ ପଟ୍ଟନାୟକ। ଏଥିରେ କୌଣସି ରାଜନୈତିକ ଅଭିସନ୍ଧି ନଥିଲା କି ନଥିଲା ଲୋକଦେଖାଣିଆ ସହଯୋଗର ମନୋଭାବ, କେବଳ ଆଉ କେବଳ ମାନବୀୟ ସହାୟତା ଏବଂ ମୃତ୍ୟୁମୁଖରୁ ନିଜ ଦେଶବାସୀଙ୍କୁ ବଞ୍ଚାଇବାର ସତତ ପ୍ରୟାସ। ଯେତେବେଳେ ଅନ୍ୟ ରାଜ୍ୟ ଅମ୍ଲଜାନ ପାଇଁ ବିକଳ ଦୃଷ୍ଟିରେ ଚାରିଆଡ଼େ ଚାହୁଁଥିଲେ, ସେତେବେଳେ କେବଳ ନିଜ ରାଜ୍ୟର ଅମ୍ଲଜାନ ଆବଶ୍ୟକତା ଯଥେଷ୍ଟ ମାତ୍ରାରେ ପୂରଣ କରିନଥିଲେ, ତା ସହ ଅନ୍ୟ ରାଜ୍ୟର ଆବଶ୍ୟକତା ଅନୁସାରେ ସେଠାକୁ ଅମ୍ଲଜାନ ଯୋଗାଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ସେଥିପାଇଁ ତ ନବୀନଙ୍କୁ ଅନେକ ରାଜ୍ୟର ଶାସନମୁଖ୍ୟମାନେ କୃତଜ୍ଞତା ଜଣାଇବାକୁ ଶବ୍ଦ ପାଇପାରି ନାହାନ୍ତି। କୋଭିଡ୍ ଆକ୍ରାନ୍ତ ଅନେକ ରୋଗୀ ଯେଉଁମାନେ ଅମ୍ଳଜାନ ଠିକ୍ ସମୟରେ ପାଇ ମୃତ୍ୟୁମୁଖରୁ ବର୍ତ୍ତି ଆସିଛନ୍ତି ସେମାନଙ୍କ ପରିଜନ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏଇ ବଦାନ୍ୟତା ସକାଶେ ସଦା ଋଣୀ ହୋଇଯାଇଛନ୍ତି। ଆଉ ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସଫଳ ଓ ଦକ୍ଷ କୋଭିଡ୍ ପରିଚାଳନା ପାଇଁ ଓଡ଼ିଶାକୁ ଉଚ୍ଚପ୍ରଶଂସା କରିଛି।

ବିପର୍ଯ୍ୟୟ ପରିଚାଳନାରେ ଗ୍ଲୋବାଲ୍ ବେଞ୍ଚମାର୍କ…

ପ୍ରାକୃତିକ ବିପର୍ଯ୍ୟୟ ସତେ ଯେମିତି ଓଡ଼ିଶାର ଚିର ସହଚର। ଉଣାଅଧିକେ ପ୍ରାୟ ପ୍ରତିବର୍ଷ ଓଡ଼ିଶା ବିଭିନ୍ନ ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହୋଇ ଆସୁଛି। ୧୯୯୯ ମହାବାତ୍ୟା ତୁଲ୍ୟ ପ୍ରବଳ କ୍ଷୟକ୍ଷତି ଘଟାଇଥିବା ଫାଇଲିନ୍ ସମୟ ବେଳକୁ ନବୀନ ପଟ୍ଟନାୟକ ୫ମ ଥର ପାଇଁ ଦାୟିତ୍ବ ଗ୍ରହଣ କରିଥିଲେ, ସେତେବେଳେ ଯଦିଓ କ୍ଷୟକ୍ଷତି ଅନେକ ହୋଇଥିଲା ତେବେ ଉଲ୍ଲେଖନୀୟ ଭାବେ ଜୀବନହାନି ଥିଲା ସବୁଠାରୁ କମ୍। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ପରାକାଷ୍ଠା ପ୍ରଦର୍ଶନର ଏହା ଥିଲା ସର୍ବୋତ୍କୃଷ୍ଟ ନମୁନା। ମାତ୍ର ୪ ଦିନରେ ଏକ ନିୟୁତରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରି ସେମାନଙ୍କ ଜୀବନ ନିରାପଦ କରିବାରେ ଓଡ଼ିଶା ସରକାର ହାସଲ କରିଥିଲେ ଅଦ୍ଭୁତପୂର୍ବ ସଫଳତା। କେବଳ ଫାଇଲିନ୍ ନୁହେଁ, ଫନି, ତିତଲି ଓ ଅନ୍ୟାନ୍ୟ ମହାବାତ୍ୟା ବେଳେ ମଧ୍ୟ ସମାନ ବିପର୍ଯ୍ୟୟ ପରିଚାଳନାର ସଫଳ ନିଦର୍ଶନ ଦେଖାଇଥିଲେ ନବୀନ ସରକାର।

ନିଃଶୁଳ୍କରେ ସର୍ବୋତ୍ତମ ଚିକିତ୍ସା ସୁବିଧା…

ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ନିଃଶୁଳ୍କରେ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନବୀନ ପଟ୍ଟନାୟକ ନିକଟରେ ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ ସ୍ମାର୍ଟ କାର୍ଡ ବଣ୍ଟନ ଅଭିଯାନ। ହାତପାଆନ୍ତାରେ ଲୋକେ ମାଗଣାରେ ବଡ଼ରୁ ବଡ଼ ରୋଗ ପାଇଁ ମଧ୍ୟ ବଡ଼ରୁ ବଡ଼ ଡାକ୍ତରଖାନାରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇପାରୁଛନ୍ତି। ଆଉ ଲୋକଙ୍କୁ ନିଜ ଦୁରାରୋଗ୍ୟ ପାଇଁ କାହା ଆଗରେ ହାତ ପତାଇବାକୁ ପଡୁନି। ସରକାର ସେମାନଙ୍କ ଚିକିତ୍ସାକାଳୀନ ସମସ୍ତ ସୁବିଧା ଓ ତଦଜନିତ ଖର୍ଚ୍ଚ ଭାର ନିଜେ ବହନ କରୁଛନ୍ତି। ସମସ୍ତ ଓଡ଼ିଶାବାସୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ଜରିଆରେ ଜୀବନ ରକ୍ଷା ଯେ ତାଙ୍କ ପାଇଁ କେତେ ଗୁରୁତ୍ବ ତାହା ପୁଣି ପ୍ରମାଣିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ଏହା କେବଳ ଲୋକପ୍ରିୟତା ହାସଲ ପାଇଁ ନୁହେଁ, ଯୁଗପଯୋଗୀ ଜ୍ଞାନକୌଶଳ ବ୍ୟବହାର ସହ ଜଣେ ରୋଗୀ ଯେଭଳି ବିନା କୌଣସି ସମସ୍ୟାରେ ସୁରୁଖୁରୁରେ ସୁସ୍ଥ ହୋଇ ନିଜ ପରିବାର ଲୋକଙ୍କ ପାଖକୁ ଫେରିବ ତାହା ଏହି ଯୋଜନାର ଆଭିମୁଖ୍ୟ ରହିଛି।

ଭବିଷ୍ୟତ ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ ବିଦ୍ୟାର୍ଥୀ ସମାଜ…

କାନ୍ଥରେ କଳା ଲିପି, ଚକଖଡିରେ ଲେଖିବା ଓ ଡଷ୍ଟରରେ ଲିଭାଇବା ଯୁଗ ଅପସରିବାରେ ଲାଗିଛି। ସ୍ମାର୍ଟ କ୍ଲାସ୍ ରୁମରେ ବସି ହାଇସ୍କୁଲ ଛାତ୍ରଛାତ୍ରୀ ଡିଜିଟାଲ୍ ମାଧ୍ୟମରେ ଅଡିଓ- ଭିଜୁଆଲ୍ ଉପକରଣ ଜରିଆରେ ହାସଲ କରୁଛନ୍ତି ପ୍ରତ୍ୟକ୍ଷ ଯୁଗପଯୋଗୀ ଶିକ୍ଷା। ତାହା ପୁଣି ସରକାରୀ ବିଦ୍ୟାଳୟରେ, ବିନା କୌଣସି ମୂଲ୍ୟରେ। କୌଣସି ବଡ଼ ବଡ଼ ସହରରେ ଦାମୀ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ମଧ୍ୟ ୫-ଟି ଟ୍ରାନ୍ସଫର୍ମେସନ୍‌ ହାଇସ୍କୁଲ ତୁଳନାରେ ପଛରେ ପଡିଯିବ। ଅତ୍ୟାଧୁନିକ ବିଜ୍ଞାନାଗାର, କମ୍ପ୍ୟୁଟର୍ ଓ ଇଣ୍ଟରନେଟ୍ ସଂଯୋଗ ଥାଇ ହାତ ପାଆନ୍ତାରେ ଦୁନିଆର ଜ୍ଞାନ ହାସଲ କରିବା ଭଳି ଇ-ଲାଇବ୍ରେରୀ, ସ୍ମାର୍ଟ ଟଏଲେଟ୍‌, ଖେଳ ପଡ଼ିଆ, ସବୁଜିମା ଭରା ସୁରକ୍ଷିତ ପରିସର… ଏସବୁ ଦେଖି ଆଜିକାର ଅଭିଭାବକ ଗର୍ବ ଓ ଗୌରବ ଅନୁଭବ କରୁଛି ଯେ- ମୋ ପିଲା ନବୀନ ପଟ୍ଟନାୟକ ସରକାର ଗଢିଥିବା ସ୍ମାର୍ଟ ସ୍କୁଲରେ ପଢି ଭବିଷ୍ୟତରେ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନକୁ ସାକାର କରିବାରେ ଲାଗିଛି। ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଆଉ ହାତଲେଖା ଖାତା କିମ୍ବା ଛପା ବହିରେ ସୀମିତ ହୋଇ ରହିନି। ବରଂ ସମୟ ସହ ତାଳ ଦେଇ ଆଜିକାର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଯୁଗପଯୋଗୀ, ସ୍ମାର୍ଟ ଓ ଭବିଷ୍ୟତର ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ଯୋଗ୍ୟ ଓ ଦକ୍ଷ ବିଦ୍ୟାର୍ଥୀ ଭାବେ ଗଢ଼ି ତୋଳିବାରେ ସହାୟକ ହେଉଛି। ଯେକୌଣସି ଛୋଟିଆ ଗାଁର ଉଚ୍ଚବିଦ୍ୟାଳୟରେ ମିଳିବ ବଡ଼ ବଡ଼ ସହରର ସ୍କୁଲର ସୁବିଧା ସୁଯୋଗ। ଆଗାମୀ ତିନି ବର୍ଷରେ ପାଞ୍ଚ ହଜାରରୁ ଅଧିକ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଜରିଆରେ ରାଜ୍ୟର ଉଚ୍ଚବିଦ୍ୟାଳୟ ଶିକ୍ଷାରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିବା ଦିଗରେ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଛନ୍ତି ଓଡ଼ିଶା ସରକାର।

ହାତପାଆନ୍ତରେ ସରକାରୀ ସେବା…

କୌଣସି ଛୋଟମୋଟ କିମ୍ବା ବଡ଼ ଧରଣର ସରକାରୀ କାର୍ଯ୍ୟ ପାଇଁ ଆଉ ଗାଁଗଣ୍ଡାରୁ ବ୍ଲକ୍ ମୁଖ୍ୟାଳୟ କିମ୍ବା ଜିଲ୍ଲା ସଦରମହକୁମାକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି। ଅଯଥା ସମୟ ଅପଚୟ, ଶାରୀରିକ ଶ୍ରମ ସାଙ୍ଗକୁ ଅର୍ଥ ଖର୍ଚ୍ଚାନ୍ତ ହେବାର ଆବଶ୍ୟକତା ରହିବନି। କାରଣ ରାଜ୍ୟର କୋଣ ଅନୁକୋଣରେ ମୋ ସେବା କେନ୍ଦ୍ର ଏବଂ ୱାନ୍ ଓଡ଼ିଶା ପୋର୍ଟାଲ୍‌ର ନେଟୱର୍କ ଏଭଳି ବିଛାଯାଇଛି ଯେ ଲୋକେ ଘରୁ ବାହାରି ମାତ୍ର କେଇ ପାଦ ଦୂର ଗଲେ ହାତପାଆନ୍ତାରେ ସରକାରୀ ସୁବିଧା ସୁଯୋଗ ଡିଜିଟାଲ୍ ମାଧ୍ୟମରେ ଅଚିରେ ହାସଲ କରିପାରୁଛନ୍ତି। ନା ଦଲାଲ ବା ମଧ୍ୟସ୍ଥିର ଶୋଷଣ, ନା କିଛି ଅପାରଗ ସରକାରୀ କର୍ମଚାରୀଙ୍କ ଅବହେଳାର କଷ୍ଟ, ଆଉ କିଛି ନାହିଁ। ଅନ୍‌ଲାଇନ୍‌ରେ ଆବେଦନ କଲେ ତ୍ବରିତ ସେବା ପାଇପାରୁଛନ୍ତି ଜନସାଧାରଣ।

କୋଭିଡ୍ ସମୟରେ ବି ଆର୍ଥିକ ପ୍ରଗତି…

କୋଭିଡ୍ ମହାମାରୀ ସମଗ୍ର ବିଶ୍ଵର ଜନଜୀବନକୁ ଅଶେଷ କ୍ଷତି ପହଞ୍ଚାଇଛି। ଅନେକଙ୍କ ଜୀବନ ତ ନେଇଛି, ତା ସହ ସମଗ୍ର ବିଶ୍ଵର ଆର୍ଥିକ ଶୃଙ୍ଖଳାକୁ ଗୁରୁତର ପ୍ରଭାବିତ କରିଛି। ଉତ୍ପାଦନ ହ୍ରାସ ପାଇଛି, ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି। ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି, ଅନେକଙ୍କ ଜୀବିକାର ମାଧ୍ୟମକୁ ଦୂରେଇ ଦେଇଛି। କିନ୍ତୁ ଏଭଳି ସମୟରେ ସମାଜର ବିଭିନ୍ନ ବର୍ଗର କୋଟି କୋଟି ଓଡ଼ିଆଙ୍କ ସକାଶେ ତ୍ରାଣକର୍ତ୍ତା ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କୃଷକ ହେଉ ବା ଉଠା ବ୍ୟବସାୟୀ ଅଥବା ବୁଣାକାର, ଆଦିବାସୀ କିମ୍ବା ମହିଳା ହୁଅନ୍ତୁ କି ସ୍ବାସ୍ଥ୍ୟକର୍ମୀ, ସାମ୍ବାଦିକ ଅଥବା ସମ୍ମୁଖ କରୋନା ଯୋଦ୍ଧା, ନିଜର ଉଭୟ କିମ୍ବା ଯେକୌଣସି ଜଣେ ଅଭିଭାବକ (ବାପା ମାଆ କିମ୍ବା ଉଭୟ) ଙ୍କୁ ହରାଇ ଜୀବନଯାତ୍ରାରେ ଅସହାୟ ହୋଇ ପଡ଼ିଥିବା ଶିଶୁ… ସମସ୍ତଙ୍କ ପାଇଁ ଆର୍ଥିକ ଓ ଜୀବନଯାପନ ଦୃଷ୍ଟିରୁ ଏକାଧିକ ଯୋଜନାରେ ସହାୟତା ଯୋଗାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ନିଜ ଜୀବନଜୀବିକା ପୁନରୁଦ୍ଧାର ପାଇଁ କେବଳ ଆଶ୍ୱାସନା ଦେଇନାହାନ୍ତି, ବରଂ ଜୀବିକାକୁ ସଜାଡି ଜୀବନକୁ ଆଗେଇ ନେବାକୁ ସେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଆଶୀର୍ବାଦ ଭଳି ଅନେକ ଯୋଜନା ତ ସାରା ଦେଶରେ ପ୍ରଥମ କରି ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇ ଥିଲା। ମହାମାରୀ ପରବର୍ତ୍ତୀ ସମୟରେ କିଭଳି ଜୀବନଜୀବିକାକୁ ପୂର୍ବବତ୍ ସୂଚାରୁ ରୂପେ ପରିଚାଳନା କରାଯାଇ ପାରିବ ସେ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ପାଲଟିଛି।

ତଥାପି ଥମିନି ପୁଞ୍ଜିନିବେଶର ମାର୍ଗ…

କୋଭିଡଜନିତ ଆର୍ଥିକ ଦୁରବସ୍ଥା ବିଶ୍ଵର ଶିଳ୍ପାୟନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଅନେକ ଶିଳ୍ପ ସଂସ୍ଥା ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହୋଇ କର୍ମଚାରୀଙ୍କୁ ନିଯୁକ୍ତିରୁ ବିଦା କରିଛନ୍ତି। ନିଜର ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରିବା ତ ଦୂରର କଥା, ପୁରୁଣା ୟୁନିଟ୍‌ରେ ମଧ୍ୟ ତାଲା ଝୁଲାଇବାରୁ ବିରତ ରହିନାହାନ୍ତି। କିନ୍ତୁ ଏଭଳି ଚିନ୍ତାଜନକ ସ୍ଥିତିରେ ଓଡ଼ିଶା ସରକାର ଯେଭଳି ପୁଞ୍ଜିନିବେଶ କ୍ଷେତ୍ରରେ ନିବେଶକଙ୍କୁ ଆକୃଷ୍ଟ କରିପାରିଛନ୍ତି, ବଡ଼ ବଡ଼ ଶିଳ୍ପ ସଂସ୍ଥାକୁ ରାଜ୍ୟରେ ପ୍ଲାଣ୍ଟ ସ୍ଥାପନ ପାଇଁ ସହମତି କରାଇ ପାରିଛନ୍ତି ତାହା ଉଲ୍ଲେଖନୀୟ। ସେଥିପାଇଁ ତ କୋଭିଡ୍ ସଙ୍କଟ ସତ୍ତ୍ୱେ ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ତାର ଜୟଯାତ୍ରା ପୂର୍ବବତ୍ ଜାରି ରଖିପାରିଥିଲା। କେବଳ ପୁଞ୍ଜିନିବେଶ ବା ପ୍ଲାଣ୍ଟ ସ୍ଥାପନ ପାଇଁ ଆମନ୍ତ୍ରଣ ନୁହେଁ, ତା ସହ ଏଥିପାଇଁ ତ୍ବରିତ ଯାବତୀୟ ସରକାରୀ ମଞ୍ଜୁରୀ ପ୍ରକ୍ରିୟା, ଅନୁକୂଳ ପରିବେଶ ସୃଷ୍ଟି, ଜମି ଅଧିଗ୍ରହଣ, ଆନୁସଙ୍ଗିକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେଇପାରିଛନ୍ତି ଓଡ଼ିଶା ସରକାର। ଏସବୁ ସମ୍ଭବପର ହୋଇପାରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମୁଖୀ ଉଜ୍ଜ୍ଵଳ ଓ ଦକ୍ଷ ନେତୃତ୍ବ ଯୋଗୁଁ ଯେକି ଗୋଟିଏ ପଟେ ମହାମାରୀର ମୁକାବିଲାର ମାର୍ଗଦର୍ଶନ କରାଉଥିଲେ ତ ଆରପଟେ ସ୍ବାଭାବିକ ଜୀବନଯାତ୍ରା ଓ ଶିଳ୍ପାୟନ ପ୍ରକ୍ରିୟାରେ ମଧ୍ୟ ବାଧା ଉପୁଜିବାକୁ କୌଣସି ସୁଯୋଗ ଦେଇ ନଥିଲେ।

ମହିଳା ସଶକ୍ତୀକରଣର ଧ୍ବଜାଧାରୀ…

ଅନ୍ୟମାନେ କେବଳ ସ୍ଲୋଗାନ୍‌ ଦିଅନ୍ତି, ସଂସଦ ହେଉ ବା ସର୍ବସାଧାରଣରେ, କେବଳ ଭାଷଣ ଦେଇପାରନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ କଥାରେ କୁହନ୍ତିନି, ବରଂ କାମରେ କରି ଦେଖାଇ ବିରୋଧୀଙ୍କୁ ମଧ୍ୟ ତାଙ୍କ ପ୍ରଶଂସା କରାଇବାକୁ ଏକରକମ ମଜବୁର୍ କରାଇ ପାରନ୍ତି। ମହିଳା ସଶକ୍ତିକରଣ ଏଭଳି ଏକ ଦିଗ ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵକୁ ଯେତେ ପ୍ରଶଂସା କଲେ ମଧ୍ୟ ଶବ୍ଦ ଉଣା ପଡ଼ିଯିବ। କେବଳ ନିଜ ଦଳରୁ ସଂସଦ ଓ ବିଧାନସଭାକୁ ନିର୍ବାଚିତ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଏକତୃତୀୟାଂଶରୁ ଅଧିକ ରଖିନାହାନ୍ତି, ବରଂ ନିଜ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣର ଅନୁକରଣୀୟ ବ୍ୟବସ୍ଥା ସୃଷ୍ଟି କରିପାରିଛନ୍ତି ସେ। ରାଜ୍ୟରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ବିପୁଳ ସଂଖ୍ୟାରେ ଗଠନ ଓ ସମାଜର ଊଣାଅଧିକେ ସମସ୍ତ କ୍ଷେତ୍ରରେ ସେହି ସଦସ୍ୟାଙ୍କ ସକ୍ରିୟ ସହଭାଗିତା ନବୀନ ପଟ୍ଟନାୟକଙ୍କ ନାରୀ ସଶକ୍ତୀକରଣ ଆଭିମୁଖ୍ୟର ନିଚ୍ଛକ ପ୍ରତିଛବି କହିଲେ ଅତ୍ୟୁକ୍ତି ହେବନି। ସେ କୋଭିଡ୍ ପରିଚାଳନା ହେଉ କି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା, ସ୍ୱଚ୍ଛତା ହେଉ ବା ଗୃହ/ ଗ୍ରାମୀଣ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ଓ ପରିଚାଳନା, ଆର୍ଥିକ ଭାବେ ମଜବୁତ କରିବା ଠାରୁ ଆରମ୍ଭ କରି ସମାଜରେ ନାରୀ ଶକ୍ତିକୁ ପ୍ରତିଷ୍ଠା କରାଇବାରେ ଅଗ୍ରଣୀ ଧ୍ଵଜାଧାରୀ ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ। ଆଉ ଏ କ୍ଷେତ୍ରରେ ଅଦ୍ବିତୀୟ ଉଦାହରଣ ଭାବେ ସ୍ୱତନ୍ତ୍ର ନାରୀ ସଶକ୍ତୀକରଣ ଓ ମିଶନ୍ ଶକ୍ତି ବିଭାଗ ପ୍ରତିଷ୍ଠା ତାଙ୍କର ଆଉ ଏକ ମାଷ୍ଟରଷ୍ଟ୍ରୋକ୍। ସେଥିପାଇଁ ତ ବିରୋଧୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବାରେ ଦ୍ବିଧା କରନ୍ତିନାହିଁ।

ତାଲିକା ଆହୁରି ଲମ୍ବା…

ସମାଜ ଜୀବନର ଏମିତି କୌଣସି କ୍ଷେତ୍ର ନଥିବ ଯେଉଁଠି ନବୀନ ସରକାର ସାଧାରଣ ଜନତାଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ କୌଣସି ଯୋଜନା କରି ନଥିବେ। ଅନେକଙ୍କ ମତରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ପାଦରେ ଲୋକଙ୍କ ସୁଖଦୁଃଖରେ ସାଥି ହେବାକୁ, ସେମାନଙ୍କ ସମସ୍ୟାର ସମାଧାନ କରି ଜୀବନକୁ ଆନନ୍ଦମୟ କରିବାକୁ ମୁଖ୍ୟମନ୍ତ୍ରୀ କୌଣସି ନା କୌଣସି ଯୋଜନା ଜରିଆରେ ସହାୟତାର ହାତ ବଢ଼ାଇ ଆସିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଯେକେହି ହିତାଧିକାରୀ ଯେକୌଣସି ସ୍ଥାନରେ ରହି ମଧ୍ୟ ନିକଟସ୍ଥ ସରକାରୀ କେନ୍ଦ୍ରରୁ ସୁବିଧାରେ ଟଙ୍କିକିଆ ଚାଉଳ ଓ ଅନ୍ୟ ରାସନ ସାମଗ୍ରୀ ପାଇପାରୁଛନ୍ତି। ପୁଣି ମାଲକାନଗିରି ଭଳି ଆଦିବାସୀବହୁଳ ଜିଲ୍ଲାରେ ପୁଷ୍ଟିକର ଚାଉଳ ଓ ଅନ୍ୟ ଖାଦ୍ୟ ଯୋଗାଣ ଆଉ ଏକ ଅଭିନବ ଯୋଜନା। ‘ମୋ ସରକାର’ ହେଉଛି ନବୀନ ପଟ୍ଟନାୟକଙ୍କ ଆଉ ଏକ ମାଇଲ୍‌ଷ୍ଟୋନ୍ ଜନାଭିମୁଖୀ ପଦକ୍ଷେପ। ଜନତା ହିଁ ପ୍ରକୃତ ଶାସକ ଓ ସରକାର ସେମାନଙ୍କ ସେବକ ବୋଲି ନିଜ କାର୍ଯ୍ୟରେ ପ୍ରତିପାଦିତ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକ ଯେପରି ଉଚିତ ସମ୍ମାନ ଓ ବ୍ୟବହାର ପାଇବେ, ସେମାନଙ୍କ କାର୍ଯ୍ୟ ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ତତ୍ପର ରହିବେ, ସରକାର ଏହାର ଫିଡ୍‌ବ୍ୟାକ୍ ନେବେ ଓ ଯଦି କୌଣସି ତ୍ରୁଟି ଥାଏ ତୁରନ୍ତ ସୁଧାରିବେ… ‘ମୋ ସରକାର’ର ଏଭଳି ବ୍ୟବସ୍ଥା ନବୀନ ସରକାର ଯେ ପ୍ରକୃତରେ ଜନତାଙ୍କ ସରକାର ତାହାର ଉଦାହରଣ ସାଜିଛି। ବିଶେଷ କରି ୫-ଟି ଆଭିମୁଖ୍ୟ (ଜ୍ଞାନକୌଶଳ, ପାରଦର୍ଶିତା, ସମୟ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ, ସାମୂହିକ କାର୍ଯ୍ୟ ଓ ରୂପାନ୍ତରଣ) ଗ୍ରହଣ କରି ନବୀନ ସରକାର ରାଜ୍ୟବାସୀଙ୍କୁ ପ୍ରକୃତ ଅର୍ଥରେ ସେବା ଯୋଗାଇଦେବାର ଯେଉଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା ଅଦ୍ୱିତୀୟ। ଲୋକଙ୍କ ନିକଟରେ ନିଜ ସରକାର ଓ ପ୍ରଶାସନକୁ ଉତ୍ତରଦାୟୀ କରାଇ, ଜନତାଙ୍କ କାର୍ଯ୍ୟ ତ୍ବରିତ ଓ ସୂଚାରୁ ରୂପେ ସମ୍ପନ୍ନ କରିବା ଦାୟିତ୍ଵ ନିର୍ବାହ କରି ଓଡ଼ିଶାର କୋଣ ଅନୁକୋଣରେ ପ୍ରଶଂସା ପାଇବାରେ ଲାଗିଛନ୍ତି।

ସେ କ୍ରୀଡ଼ା ହେଉ କି ପର୍ଯ୍ୟଟନ କ୍ଷେତ୍ର, କାଳିଆ ସ୍କିମ୍ ହେଉ କି ଆଶୀର୍ବାଦ ସବୁଥିରେ ରାଜ୍ୟବାସୀଙ୍କ ହିତସାଧନ ହେତୁ ସେ ଚାମ୍ପିଅନ୍ ଅଫ୍ ଦ ଚାମ୍ପିଅନ୍ ହେବାରେ ଲାଗିଛନ୍ତି। ୨୦୧୩- ୧୪ରୁ ୫ ଥର କୃଷି କର୍ମଣ ପୁରସ୍କାର ପାଇବା, ପୁରୀକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରାଇବା, ଏସ୍‌ସିବି ମେଡିକାଲ କଲେଜ ହସପିଟାଲରେ ବିଶ୍ବସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇଦେବା, ଓଡ଼ିଶାକୁ ହକି ଓ ଦୌଡ଼କୁଦ ସମେତ ବିଭିନ୍ନ ଖେଳରେ ସ୍ପୋର୍ଟସ୍ ହବ୍‌ରେ ପରିଣତ କରାଇବା ଭଳି ଅନେକ ସ୍ୱପ୍ନକୁ ଖୋଲା ଆଖିରେ ଦେଖି ତାହାକୁ ସାକାର କରିବା ନିମନ୍ତେ କଠୋର ପରିଶ୍ରମ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ  ଆଜି ଦାରିଦ୍ର୍ୟ ଓ ହୀନମନ୍ୟତାକୁ ଅନେକ ମାଇଲ୍ ପଛରେ ଛାଡ଼ି ଓଡ଼ିଶା ଏବେ ଦେଶର ଅନ୍ୟତମ ବିକଶିତ, ନେତୃତ୍ୱ ପ୍ରଦାନକାରୀ, ସ୍ବାଭିମାନୀ ରାଜ୍ୟ ଭାବେ ପରିଗଣିତ ହେବାକୁ ଲାଗିଲାଣି।

Comments are closed.