ଚାଳିଶ ଫୁଟ୍ ସମୁଦ୍ର ଗର୍ଭରୁ ‘ ନୂଆଖାଇ ଜୁହାର’

ଦୁବାଇର ସାଗର ତଳୁ ପଶ୍ଚିମ ଓଡିଶାବାସୀଙ୍କୁ ବାପ ଝିଅଙ୍କ ଶୁଭେଚ୍ଛା

ଦୁବାଇ : ଦୁବାଇରେ ବସବାସ କରୁଥିବା ସମ୍ବଲପୁରର ଝିଅ ତିସ୍ୟା ପାଣିଗ୍ରାହୀ ଓ ତାଙ୍କ ପିତା ପ୍ରିୟଦର୍ଶୀ ପାଣିଗ୍ରାହୀ ସମୁଦ୍ରର ଅତଳ ଗର୍ଭରୁ ବିଶ୍ବବାସୀଙ୍କୁ ନୂଆଖାଇର ଜୁହାର ଜଣାଇଛନ୍ତି । ନୂଆଖାଇର ଅବ୍ୟବହିତ ପୂର୍ବରୁ ଗତକାଲି ୧୧ ବର୍ଷିୟା ତିସ୍ୟା ଜଣେ ପ୍ରଶିକ୍ଷିତ ଓ ଅଭିଜ୍ଞ ସ୍କୁବା ଡାଇଭର ( ବୁଢ଼ାଳୀ ) ପିତା ପ୍ରିୟଦର୍ଶୀଙ୍କ ସହ ଆରବ ସାଗରର ପୂର୍ବ ଉପକୂଳର ଫୁଜାଇରାସ୍ଥିତ ଓମାନ ଉପସାଗରର ଡାଇଜ ସାଇଟ୍ ‘ ଦିବା ରକ’ଠାରେ ସମୁଦ୍ର ତଳକୁ ବୁତି ଓଡ଼ିଶାର ମୁଖ୍ୟ ଫସଲ ଅମଳ ପର୍ବ ନୂଆଖାଇ ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହ ମାଁ ସମଲେଶ୍ବରୀଙ୍କଠାରେ ସମସ୍ତଙ୍କର କୃଶଳ କାମନା କରିଛନ୍ତି ।

ଉଭୟ ପିତାପୁତ୍ରୀ ହାଇସିଂ ବୋଟରେ ଦିବା ରକ ‘ ପର୍ଯ୍ୟନ୍ତ ଯାଇ ସମୁଦ୍ର ଗର୍ଭକୁ ଲମ୍ପ ଦେଇଥିଲେ । ଅପୂର୍ବ ସାମୁଦ୍ରିକ ସୌନ୍ଦର୍ଯ୍ୟଭରା ସଂଗୀନ ପ୍ରବାଳ ପ୍ରାଚୀର ଦେଇ ପ୍ରାୟ ୪୦ ଫୁଟ ଗଭୀରତାକୁ ଗଲାପରେ ସେମାନେ ପ୍ଲାକାର୍ଡମାନ ବାହାର କରି ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରିଥିଲେ । ଗୋଟିକରେ ‘ ନୂଆଖାଇ ଜୁହାର ‘ ଲେଖା ହୋଇଥିଲା ବେଳେ ଅନ୍ୟଟିରେ ଶୁଭ ନୂଆଁଖାଇ ’ ଲେଖାଥିଲା । ନୁଆଁଖାଇ ଅବସରରେ ଏଭଳି ଘଟଣା ପୂର୍ବରୁ କେବେ ହୋଇ ନଥିବାରୁ ନିଶ୍ଚିତ ଭାବରେ ଏହା ଥିଲା ଅପୂର୍ବ ଓ ଅଦ୍ବିତୀୟ । ସବୁଠୁ ବିଚିତ୍ର ଓ ଅଦ୍ବିତୀୟ ଘଟଣା ହେଲା ଯେ ଜଣେ ୧୧ ବର୍ଷିୟା ବାଳିକା ଏବଂ ତାଙ୍କ ପିତାଙ୍କ ସହ ଏହା ସଂପାଦିତ ହୋଇଥିଲା ।

ଲେବାନୀୟ ଡାଇଭିଂ ପ୍ରଶିକ୍ଷକ ହାନୀ -ଏଲ — ହଙ୍କର ଜଳଗର୍ଭ କ୍ୟାମେରା ମାଧ୍ୟମରେ ଫଟୋ ଓ ଭିଡିଓ ଚିତ୍ର ଉତ୍ତୋଳନରେ ସେମାନଙ୍କୁ ସାହାଯ୍ୟ କରିଥିଲେ ।

ସମ୍ବଲପୁରରେ ଜନ୍ମିତ ତିସ୍ୟା ୟୁଏଇରେ ପିଏଡିଆଇ ( ପେଶାଦାର ଡାଇଭିଂ ପ୍ରଶିକ୍ଷକ ସଂଘ ) ର ଜୁନିଅର ଓପନ ଓ୍ବାଟର ସ୍କୁବା ଡାଇଭର ଲାଇସେନସିଂ ପାଇଁ ଗତ ବର୍ଷ ଅଗଷ୍ଟ ୨୨ ତାରିଖ ଦିନ ମାତ୍ର ୧୦ ବର୍ଷ ବୟପରେ ଓଡ଼ିଶାର ସର୍ବକନିଷ୍ଠା ସ୍କୁବା ଡାଇଭର ହେବାର ଗୌରବ ଅର୍ଜନ କଲେ । ଉଲ୍ଲେଖନୀୟ ଯେ ଜଣେ ଡାଇଭର ୧୦ ବର୍ଷ ବୟସ ଅତିକ୍ରମ କଲାପରେ ଯାଇ ଏହି ଲାଇସେନ୍ସ ପାଇବାକୁ ଚେଷ୍ଟା କରିବାକୁ ଯୋଗ୍ୟ ବିବେଚିତ ହୋଇଥାଏ । ପିଏଡ଼ିଆଇ ହେଉଛି ବିଶ୍ୱର ବୃହତମ ସ୍କୁବା ଡାଇଭିଂ ପ୍ରଶିକ୍ଷଣ ଓ ସାଟିଫିକେଟି ସଂସ୍ଥା । ଏହା ୧୯୬୬ରେ ଯୁକ୍ତରାଷ୍ଟ୍ର ଆମେରିକାର ଇଲିନରେ ପ୍ରତିଷ୍ଠିତ ହୋଇଥିଲା । ତିସା ଦୁବାଇର ବୃହତ୍ତମ ଡାଇଭିଂ ସ୍କୁଲ ଅଲ – ବୁମ ଡାଇଭିଂଠାରୁ ପ୍ରଶିକ୍ଷଣ ନେଇଥିଲେ ।

୨ ୦ ୧ ୨ ରେ ଭିଏତନାମଠାରୁ ପିଏଡ଼ିଆଇ ଓପନ ୱାଟର ସ୍କୁବା ସୁଡ଼ାଳୀ ଲାଇସେନ୍ସ ପାଇବାଠାରୁ ପ୍ରିୟଦର୍ଶୀ ପାଣିଗ୍ରାହୀ ସ୍କୁବା ଡାଇଭିଂ କରି ଆସୁଛନ୍ତି ଓ ତିସ୍ୟା ତାଙ୍କ ଦ୍ବାରା ଗଭୀର ଭାବେ ଅନୁପ୍ରାଣିତ ହୋଇ ଏ ଦିଗରେ ପାଦ ବଢ଼େଇଥିଲେ । ପୂର୍ବରୁ ସେ ତାଙ୍କ ମାତା ସୌମିତ୍ରୀ ନନ୍ଦଙ୍କ ପ୍ରେରଣାରେ ଜଣେ ସଫଳ ସନ୍ତରଣକାରୀ ହୋଇ ପାରିଥିଲେ । ଜଣେ ବିଶିଷ୍ଟ ପ୍ରବାସୀ ଭାରତୀୟ ଭାବେ ପ୍ରିୟଦର୍ଶୀ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଜଡ଼ିତ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ତଥା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ଦିଗରେ ନିଜକୁ ନିୟୋଜିତ କରି ଆସିଛନ୍ତି । ସେ ଦୁବାଇରେ ରହୁଛନ୍ତି ଓ ଏକ ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନୀର ମହା – ପ୍ରବନ୍ଧକ ଭାବେ ଅବସ୍ଥାପିତ ।

ପ୍ରିୟଦର୍ଶୀ ଦର୍ଶାଇଛନ୍ତି ଯେ ଜଣେ ଲାଇସେନ୍ସପ୍ରାପ୍ତ ସ୍କୁବା ଡାଇଭର ଯଦି ଏକାଦିକ୍ରମେ ଛ’ମାସରୁ ଅଧିକ ସମୟ ଧରି ଡାଇଭିଂ ନ କରେ ତେବେ ତାହାଙ୍କୁ ଆଉ ଥରେ ରିଫ୍ରେସର କୋର୍ସ କରିବାକୁ ପଡ଼ିଥାଏ । ଆମେ ଗଲାଥର ଏପ୍ରିଲ ୪ରେ ଡାଇଭିଂ କରିଥିଲୁ ଓ ଆଉଥରେ ଡାଇଭିଂ କରିବାକୁ ବେଶ ଆଗ୍ରହୀ ଥିଲୁ । ଏଥିଲାଗି ଆମେ ସେପ୍ଟେମ୍ବର ୧୦ ତାରିଖକୁ ସ୍ଥିର କଲୁ ଓ ତା’ପରେ ଯାଇ ଜାଣିଲୁ ଯେ ୧୧ ତାରିଖ ଦିନ ପବିତ୍ର ନୂଆଖାଇ ପାଳନ ହେବାକୁ ଯାଉଛି । ଓଡ଼ିଶାର ଓ ବିଶେଷକରି ସମ୍ବଲପୁରର ହୋଇଥିବାରୁ ଆମ ହୃଦୟରେ ନୂଆଖାଇର ଏକ ବିଶେଷ ଓ ସ୍ବତନ୍ତ୍ର ସ୍ଥାନ ରହିଛି । ଏହି ଅବସରରେ ଆମେ କିଛି ସ୍ବତନ୍ତ୍ର ଓ ଅପୂର୍ବ କାର୍ଯ୍ୟ କରିବାକୁ ମନସ୍ଥ କଲାବେଳେ ଏଭଳି ଏକ ଅବଧାରଣା ଆମ ଭିତରେ ଜନ୍ମ ନେଇଥିଲା । ‘

‘ ପବିତ୍ର ନୂଆଖାଇ ଅବସରରେ ସମୁଦ୍ର ଗର୍ଭରୁ ଶୁଭେଚ୍ଛା ବାର୍ତା ଜଣାଇବା ଘଟଣା ଏହା ପୂର୍ବରୁ କେବେ ହୋଇନଥିଲା । ଏବଂ ମୁଁ ଚିନ୍ତାକଲି ଯେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆମର ଗଣପର୍ବ ନୂଆଖାଇକୁ ଲୋକପ୍ରିୟ କରିବା ଦିଗରେ ଏହା ହେଉଛି ଏକ ଉତ୍ତମ ସୁଯୋଗ । ଏହାଦ୍ବାରା ବିଶ୍ୱର ଅଧିକରୁ ଅଧିକ ଲୋକ ନୂଆଖାଇ ବିଷୟରେ ଜାଣିବାକୁ ପାଇବେ ଏବଂ ଏହା ଆମ ସଂସ୍କୃତି ଓ ପରଂପରାର ପ୍ରଚାରପ୍ରସାର ଦିଗରେ ନିଶ୍ଚିତ ଭାବରେ ସହାୟକ ହେବ ବୋଲି ପ୍ରିୟଦର୍ଶୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଏ ସଂପର୍କରେ ନିଜର ମତ ରଖିବାକୁ ଯାଇ ତିସ୍ୟା କହନ୍ତି ସେ- ‘ ଡାଇଭିଂକୁ ମୁଁ ଖୁବ ପସନ୍ଦ କରେ ଏବଂ କିଛି ନୂଆ କରିବାର ଭାବନା ଖୁବ ଚମତ୍କାର ଥିଲା । ସେହିପରି ପାଣି ଭିତରେ ପ୍ଲାକାର୍ଡ ଧରି ଚିତ୍ର ଓ ଭିଡିଓ ଲାଗି ପୋଚ ଦେବା ମଧ୍ୟ ମଜାଦାର ଥିଲା । ନୂଆଖାଇକୁ ନେଇ ଅନେକ ସ୍ମୃତି ମୋର ରହିଛି । ପାରଂପରିକ ସମ୍ବଲପୁରୀ ବସ୍ତ୍ର ପିନ୍ଧିବା , ସୁମଧୁର ସଂବଲପୁରୀ ଗୀତର ତାଳେତାଳେ ଝୁମିଝୁମି ନାଚିବା ଓ ପାରଂପରିକ ଖାଦ୍ୟ ଯୋଗୁଁ ମୁଁ ବିଶେଷତଃ ଏ ପର୍ବକୁ ଆନ୍ତରିକ ଭାବରେ ଭଲପାଏ ।

‘ ତିସ୍ୟା ଦୁବାଇର ରାଫେଲ୍ ୱାର୍ଲଡ ଏକାଡେମିରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ! ସେ ସମ୍ବଲପୁରଠାରେ ୨୦୧୦ରେ ଜନ୍ମ ଗ୍ରହଣ କରିଥିଲେ । ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ବର୍ଗତଃ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ଶିକ୍ଷାବିତ୍‌ ସ୍ବର୍ଗତା ସୁନନ୍ଦା ପାଣିଗ୍ରାହୀ ତଥା ସମ୍ବଲପୁରର ପୂର୍ବତନ ବିଧାୟିକା ଡା , ରାସେଶ୍ବରୀ ପାଣିଗ୍ରାହୀଙ୍କ ନାତୁଣୀ ।

Comments are closed.