ବିପିନ ମହାପାତ୍ର
(ଅକ୍ଷୟ ଜୟନ୍ତୀ ବିଶେଷ)
ସନ୍ ୧୯୪୮ରେ ପ୍ରତିଷ୍ଠା ହେଲାଐତିହାସିକ ନଗରୀ କଟକରେ ଆକାଶବାଣୀ କେନ୍ଦ୍ର (ରେଡ଼ିଓ ଷ୍ଟେସନ୍) । ସେତେବେଳେ ଓଡ଼ିଶାର ପ୍ରମୁଖ ସଂଗୀତସାଧକ ନିଜସ୍ୱ ପ୍ରତିଭା ବିକଶିତ କରିବାର ସୁଯୋଗ ପାଇଲେ । ଲୋକଲୋଚନର ଅନ୍ତରାଳରେ ଥିବା କଣ୍ଠଶିଳ୍ପୀ ଓ ଗୀତିକାରମାନେ ମଧ୍ୟ ସେ ସୁଯୋଗର ହକ୍ଦାର ହେଇପାରିଲେ । ସେମାନଙ୍କ ସଂଖ୍ୟା ସୀମିତ ଥିଲା ଯଦିଓ, ଆକାଶବାଣୀର ତଥାକଥିତ ନିୟମାନୁଯାୟୀ ସେମାନଙ୍କୁ କଠିଣ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଥିଲା । ସେଥିରେ ସଫଳ ହେଇ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ହେବାର ଯୋଗ୍ୟତା ଅର୍ଜ୍ଜନ କରିବାକୁ ପ୍ରତିଯୋଗିତା ଲାଗିରହିଥିଲା। ଏକାଧିକବାର ବିଫଳ ହେଇଥିଲେ ବି ସେମାନଙ୍କ ଇଚ୍ଛାଶକ୍ତି ଓ ଆଗ୍ରହ ଶେଷରେ ସେମାନଙ୍କୁ ନେଇ ପହଂଚାଇ ଦେଲା ସଫଳତାର ଶୀର୍ଷରେ ।
ପାରମ୍ପରିକ ଚଂପୁ, ଛାନ୍ଦ ଓଡ଼ିଶୀ ସଂଗୀତ ସମେତ ଜଣାଣର ପରିପ୍ରସାର ନିମନ୍ତେ ପ୍ରାରମ୍ଭରୁ ଆକାଶବାଣୀ ପ୍ରାଧାନ୍ୟ ଦେଇଥିଲା । ଦେଶଭକ୍ତି, ପଲ୍ଲୀ ଓ ଆଧୁନିକ ଓଡ଼ିଆ ସଂଗୀତର ପଥ ଥିଲା ସଂକୀର୍ଣ୍ଣ । ଏ ରକମ ଅଭାବନୀୟତାର ଏକମାତ୍ର କାରଣ ଥିଲା ଆକାଶବାଣୀ ଉପଯୋଗୀ ଗୀତ ରଚନାର ଅଭାବ । ପରେ ପରେ ତାହା କ୍ରମଶଃ ସୁଧୁରିଗଲା । ପଂଚମ ଦଶକର ମଧ୍ୟମ ପର୍ଯ୍ୟାୟଠାରୁ ଷଷ୍ଠ ଦଶକ ଭିତରେ ଲଘୁସଂଗୀତ ଅର୍ଥାତ୍ ପଲ୍ଲୀ, ଆଧୁନିକ ଇତ୍ୟାଦି ସଂଗୀତ ଗାୟନ କରି ଆକାଶବାଣୀର ଆଗଧାଡ଼ିରେ ରହିଲେ ରାଖଲ୍ ମହାନ୍ତି, ଅତୀଶ୍ କୁମାର ମଜୁମ୍ଦାର୍, ଅକ୍ଷୟ ମହାନ୍ତି, ପ୍ରଣବ କିଶୋର ପଟ୍ଟନାୟକ, ସିକନ୍ଦର ଆଲାମ୍, ଧନଞ୍ଜୟ ଶତପଥୀ, ଭିକାରୀ ବଳ, ନିର୍ମଳା ମିଶ୍ର, ସଂଧ୍ୟା ମୁଖାର୍ଜୀ, ସିପ୍ରା ବୋଷ, ଆରତୀ ଗୋସ୍ୱାମୀ, ପ୍ରଫୁଲ୍ଲକର ପ୍ରମୁଖ କଣ୍ଠଶିଳ୍ପୀ । ଏମାନଙ୍କ ମଧ୍ୟରୁ ସଂଗୀତକୁ ପେଷାକରି ଜଣେ କିଏ ଆଜୀବନ ତିଷ୍ଠି ପାରିନଥିଲେ । କେବଳ ତିଷ୍ଠି ରହିଥିଲେ ସ୍ୱର୍ଗତ ଅକ୍ଷୟ ମହାନ୍ତି । ତାଙ୍କ ସାଂଗୀତିକ ଜୀବନର ଉନ୍ମେଷ କାଳରେ ତାଙ୍କ କଣ୍ଠ ନିଃସୃତ ପଲ୍ଲୀ ଓ ଆଧୁନିକଗୀତ ଯଥା – ସବାରୀ ଚାଲେରେ ଧୀରେ ଧୀରେ, ମୋ’ ରଙ୍ଗଲତା ଋଷିଛି, ସତ କହୁଛି ମୁଁ ତୁମ ଦେହ ଛୁଇଁ, କୁସୁମ କୁସୁମ କେଳିକୁସୁମ, ବେବି ଏକ ଗେହ୍ଲାଝିଅ, ଚନ୍ଦ୍ରମା ଏକ ଚନ୍ଦନବିନ୍ଦୁ, ଏ ଘୁମ୍ଘୁ୍ମ୍ ଘୁମ୍ଘୁମୁରା ବାଜେରେ, କଢ଼ିରେ କଢ଼ି ମୋର ଗୋଲାପ କଢ଼ି ପ୍ରଭୃତି ମନଛୁଆଁ ସଂଗୀତ ଗ୍ରାମଫୋନ୍ ରେକର୍ଡ ଜରିଆରେ ବଜାରକୁ ଆସିବା ପରେ ତାଙ୍କ ଅଗାଧ ପ୍ରତିଭା ପ୍ରକଟିତ ହୋଇ ଅଜାଡ଼ି ଦେଲା ଅଜସ୍ର ପ୍ରଶଂସା । ଏହାଛଡା ପ୍ରତିବର୍ଷ କଲିକତାରେ ଅନୁଷ୍ଠିତ ହେଉଥିବା ଭାରତୀୟସ୍ତରର ଯୁବସଂଗୀତ ମହୋତ୍ସବରେ ଅକ୍ଷୟ ମହାନ୍ତିଙ୍କ ନେତୃତ୍ୱରେ ପ୍ରେରିତ ଦଳ ପୁରସ୍କୃତ ହେଇପାରୁଥିଲା ।
ମୁଖ୍ୟତଃ “ଆର୍ଯ୍ୟଭୂମି, କର୍ମଭୂମି, ଜନ୍ମଭୂମି ଭାରତ” ଦେଶଭକ୍ତି ସଂଗୀତ ଆକାଶବାଣୀ କଟକର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେଇଥିଲା । ଏକଦା ଏହି ସଂଗୀତ ଯୋଗୁଁ ତାଙ୍କୁ ସରକାରୀ ଚାକିରୀ ହରାଇବାକୁ ପଡିଥିଲା । ତେଣୁ ତାକୁ ପେଷାକରି ତିଷ୍ଠି ରହିବାକୁ ସେ ଅବିରତ ସଂଘର୍ଷ ଜାରି ରଖିଥିଲେ । ଚତୁରତାର ସହ ତତ୍କାଳୀନ ସଂଗୀତ ଗୁରୁ କୁଣ୍ଡଳା ଆଦି ନାରାୟଣରାଓ, ଏବଂ କ୍ଷିତିଶ୍ ଚନ୍ଦ୍ର ମୈତ୍ରଙ୍କଠାରୁ ଶାସ୍ତ୍ରୀୟ ଓ ହିନ୍ଦୁସ୍ତାନୀ ସଂଗୀତ ଶିକ୍ଷାକରି ସ୍ୱକୀୟ ଜ୍ଞାନର ପରିସରକୁ ପରିବର୍ଦ୍ଧିତ କରିପାରିଲେ । ଆଶ୍ଚର୍ଯ୍ୟର କଥା ସେକୌଣସି ସରକାରୀ ସଂଗୀତ ଅନୁଷ୍ଠାନରେ ସଂଗୀତ ଶିକ୍ଷା କରିନଥିଲେ । ତାଙ୍କ ମତରେ ତାଙ୍କ ଜନ୍ମଦାତ୍ରୀ ମାତା ସୁବର୍ଣ୍ଣମଞ୍ଜରୀ ହିଁ ପ୍ରଥମ ସଂଗୀତଗୁରୁ ଥିଲେ । ଏବଂ ଗାୟିକା ସୁଲକ୍ଷଣା ମହାନ୍ତି ଥିଲେ ତାଙ୍କ ଉତ୍ସାହର ଉତ୍ସ । ତଥାପି ଲଘୁସଂଗୀତର ସଂସ୍କାର ଦିଗରେ ତାଙ୍କୁ ବହୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିଲା । ତଥାପି ସେ ଭ୍ରୂକ୍ଷେପ କରିନଥିଲେ । ତେଣେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପାଦ ଦେବା ସଂଗେସଂଗେ ନିଜେ ଜଣେ ଆକାଶବାଣୀର ସ୍ୱୀକୃତି ପ୍ରାପ୍ତ ଗୀତିକାର ହୋଇ ତାଙ୍କ ସମାଲୋଚକ ମାନଙ୍କ ମୁହଁ ବନ୍ଦ କରିପାରିଥିଲେ । ହେଲେ ବି ଜଣେ ନବାଗତ ଶିଳ୍ପୀରୂପେ ବିବେଚିତ ହେଇ ସେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସୁପାରିିଶ୍ ସତ୍ୱେ କଲିକତାସ୍ଥିତ ଏଚ୍ଏମ୍ଭି କଂପାନୀରୁ ନିରାଶ ହେଇ ଫେରିଆସିଥିଲେ । କିନ୍ତୁ ଦିନ ଆସିଲା ଏଚ୍ଏମ୍ଭି, ସେନୋଲା ଓ ଗାଥାନୀ ପ୍ରମୁଖ ରେକର୍ଡିଂ ଶିଳ୍ପାନୁଷ୍ଠାନ ବ୍ୟାବସାୟିକ ସଫଳତାର ଲକ୍ଷ୍ୟ ନେଇ ତାଙ୍କ ଦ୍ୱାରସ୍ଥ ହେଲେ ।ଏହାର ଅନ୍ତରାଳରେ ଥିଲା ପ୍ରଥମ କରି ସେ ବଜାରକୁ ଆଣିଥିବା ଇ:ପି ରେକର୍ଡ (୧୯୭୨) । ଯହିଁରେ ସ୍ଥାନ ପାଇଥିଲା – ଝୁକୁଝୁକୁ ଝୁକୁ ସକାଳର ଗାଡ଼ି, ଜାତକ ପଡିଛି ରାଜଯୋଟକ, ବନ୍ଧୁରେ ଆଣିଦେ ଆଣିଦେ ଧରି ସୁନା ଇଲିଶି, ଏଇନା ଏଇନା ଚିହ୍ନା ଚାରୋଟି ଗୀତ । ସେ ଦିନଠୁଁ ସେ ଆଉ ପଛକୁ ଫେରିନଥିଲେ । ଏହାଛଡା ଉତ୍କଳରଐତିହ୍ୟ, ସଂସ୍କୃତି କିମ୍ବଦନ୍ତୀ ଇତ୍ୟାଦି ସ୍ଥାନ ଦେଇଥିଲେ ତାଙ୍କ କଣ୍ଠ ସଂଗୀତରେ (କାଂଚି ଅଭିଯାନ, ରାଣ୍ଡିପୁଅ ଅନନ୍ତା, ପେଟେଣ୍ଟ ମେଡିସିନ୍, ବୋଇତ ବନ୍ଦାଣ )। ତାଙ୍କ ଗୀତକୁ ନେଇ ପ୍ରସ୍ତୁତ ଶତାଧିକ ଇପି ଓ ଏଲ୍ପି ରେକର୍ଡ ସର୍ବାଧିକ ବିକ୍ରି ହେବାରୁ ସଂପୃକ୍ତ କଂପାନୀଗୁଡିକ ବିଶେଷ ଲାଭବାନ୍ ହେଲେ କିନ୍ତୁ ଶେଷକାଳ ପର୍ଯ୍ୟନ୍ତ ସ୍ୱର୍ଗତ ମହାନ୍ତିଙ୍କୁ ତାଙ୍କ ବକେୟା ପାରିଶ୍ରମିକ ଦେଇନଥିଲେ । ଅନୁରୂପ ପ୍ରମୁଖ ଓଡ଼ିଆ ସିନେମା ପ୍ରଯୋଜକ ସେହି ପନ୍ଥା ଅବଲମ୍ବନ କରିଥିଲେ ।
ସାଧନା କେବେ କାହାର ନିଷ୍ଫଳ ହେବାର ସମ୍ଭାବନା କମ୍ ।ତା ସାଙ୍ଗକୁ ଭାଗ୍ୟାଲୋକର ସମ୍ୟକ୍ ସ୍ପର୍ଶ ବି ଅନିବାର୍ଯ୍ୟ । ଅନୁରୂପ ସ୍ୱଗର୍ତ ମହାନ୍ତି (ଖୋକାଭାଇ) ଓଡ଼ିଆ ସିନେମା ‘ମଲାଜହ୍ନ’ ଠାରୁ ଆରମ୍ଭ କରି ‘ଶ୍ରୀଜଗନ୍ନାଥ‘ ପର୍ଯ୍ୟନ୍ତ ପାଖାପାଖି ଦେଢ଼ଶହ ସିନେମାରସଂଗୀତ ନିର୍ଦ୍ଦେଶକ ଥିଲେ । ଓଡ଼ିଶାରେ ଦଶ ହଜାରଠୁଁ ଊର୍ଦ୍ଧ୍ୱ ଗୀତର ଗାୟକ ହିସାବରେ ସ୍ୱର୍ଗତ ମହାନ୍ତିଙ୍କ ନାମ ସର୍ବାଗ୍ରେ ରହିଛି । ତାଙ୍କ ଗାୟନ ଶୈଳୀରେ ଥିଲା ଏକ ନିଆରା ଶିହରଣ, ରୋମାଂଚ, କମ୍ପନ, ଆସ୍ୱାଦନ । ବିଶେଷତଃ କେତୋଟି ଆଧୁନିକ ହିଟ୍ଗୀତ ଯଥା – ଯାରେ ଭାସି ଭାସି ଯା’, ଅବୁଝା ପ୍ରିୟତମା, ରାତି ଯେ ଖୋଜେ ସୂର୍ଯ୍ୟମୁଖୀ, ପ୍ରେମ କିମିତି ହୁଏ, ସ୍ମୃତି ତମେ ଶ୍ରାବଣ ରାତିରେ, ହେ ଫଗୁଣ ତମେ ଗଲା ପରେ ପରେ, ନଦୀର ନାମ ଅଳସକନ୍ୟା, ଚନ୍ଦ୍ରମଲ୍ଲୀ ହସେ ଚିତ୍ରଲେଖା ଓଠେ, ରଜାଝିଅ ସଙ୍ଗେ କରିଥିଲି ଭାବ, ପୁଣ୍ୟର ନଦୀ ତୀରେ, ଜୀଇଁ ଥିବା ଯାଏଁ ଗାଉଥିବି ଗାଉଥିବା ଯାଏଁ ଜୀଇଁଥିବି, ହେ ମୋର ଜୀବନ, କଥା ଥିଲା ଆମେ ପ୍ରଭୃତି ଓଡ଼ିଆ ଲଘୁସଂଗୀତର କାଳଜୟୀ ସୃଷ୍ଟି ବୋଲି କୁହାଯାଇପାରେ । ଏତଦ୍ବ୍ୟତୀତ ହିଟ୍ ସିନେମା ଗୀତ ସାଙ୍ଗକୁ ଶୀର୍ଷକ ସଂଗୀତ ଯଥା:- ଯାଯାବର ମନ ମୋର, ଦୁନିଆଜାଣେ ତ ସାଗର ବୁକୁରେ, ଅଜଣା ଶିକାରୀ କିଏ ବାନ୍ଧିଛି ନାଗଫାଶ, ନିଝୁମ୍ ରାତିର ସାଥୀ, ବାଜେ ବଇଁଶୀ ନାଚେ ଘୁଘୁର, ସବୁ ଲୁଟିନେଲା ତୁଣ୍ଡବାଇଦ ପ୍ରଭୃତି ଅନ୍ୟତମ । ତାଙ୍କର ଦେହାବସାନ ପରେ ପରେଏପରି ଓଡ଼ିଆ ସଂଗୀତ ଆଉ ଶୁଣିବାକୁ ନ ମିଳିଲେ ମଧ୍ୟ ତାଙ୍କ କୃତୀର ସ୍ମୃତିଚାରଣ ଅବ୍ୟାହତ ରହିଛି ଓଡ଼ିଶାର କୋଣେ ଅନୁକୋଣେ । ଯାହାକି ପ୍ରମାଣିତ କରିଦିଏ ଅନ୍ୟ ଭାଷାଭାଷୀ ସଂଗୀତ ତୁଳନାରେ ଓଡ଼ିଆ ସଂଗୀତର ଗୌରବ ଓ ଗାରିମା । ଏଥିପାଇଁ ସ୍ୱର୍ଗତ ମହାନ୍ତିଙ୍କ ଓଡ଼ିଆଭାଷା, ସାହିତ୍ୟ ଓ ସଂଗୀତ ପ୍ରତି ସ୍ୱତନ୍ତ୍ର ସ୍ୱାଭିମାନର ପରିଚୟ ମିଳିଥିଲା ।
ସାହିତ୍ୟ ସାଧନାରେ ସ୍ୱର୍ଗତ ଖୋକାଭାଇଙ୍କ ସୃଷ୍ଟିସମ୍ଭାର ମଧ୍ୟରୁ ଆର୍ଯ୍ୟଦାସର ଆତ୍ମଲିପି, କୁହୁ ନୁହେ ଉହୁ, ଗାୟକ, ଅନେଶ୍ୱତ ରାଣୀ, ବାଃ ବାଃରେ ଆମେରିକା, ନୁନ୍ ସୋ ପ୍ରମୁଖ ଗ୍ରନ୍ଥ ଓଡ଼ିଆ ସାହିତ୍ୟର ସମୃଦ୍ଧି ପଥରେ ସହାୟକ ହେଇପାରିଛି ।
ଲେଖକ ଜଣେ ବରିଷ୍ଠ ସାହିତ୍ୟିକ