ଲେଖକ: ପ୍ରତିଭା ନେପାକ
ହାତଗଣତି କେଇ ଦିନ ପରେ ଚଳଚଞ୍ଚଳ ହୋଇ ଉଠିବ ଓଡ଼ିଶାର ବେଳାଭୂମି। ସେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ହେଉ କି କେନ୍ଦ୍ରାପଡା ଜିଲ୍ଲାର ଗହୀରମଥା ଉପକୂଳ… ଏଇ ବିରଳ ଅତିଥିଙ୍କ ଆଗମନକୁ ଅପେକ୍ଷା କରି ରହିଛି। ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡ୍ଲେଙ୍କ ମିଳନ ଓ ପରେ ପରେ ଗଣ ଅଣ୍ଡାଦାନର ପ୍ରକୃତିପ୍ରେମୀଙ୍କୁ ଅଭିଭୂତ କରିଦେବା ଭଳି ନୈସର୍ଗିକ ଦୃଶ୍ୟ ଶୀଘ୍ର ଦେଖିବାକୁ ମିଳିବା ଆଶା କରାଯାଉଛି। ରାଜ୍ୟ ସରକାରଙ୍କ ବନ ବିଭାଗ ଏହି ବିରଳ ଜୀବଙ୍କ ସୁରକ୍ଷା ଓ ସେମାନଙ୍କ ମିଳନ ତଥା ସାମୂହିକ ଅଣ୍ଡାଦାନର ସୁବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି। ସମୁଦ୍ର ମଧ୍ୟରେ ଅଲିଭ୍ ରିଡ୍ଲେ ଶାବକ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ପ୍ରାଣ ହରାଇଥାନ୍ତି।ପ୍ରତି ହଜାରରେ ମାତ୍ର ଗୋଟିଏ ବା ଦୁଇଟି ଛୁଆ ବଡ଼ ହୋଇଥାଏ। ଏଣୁ ବିଶ୍ଵ ବନ୍ୟପ୍ରାଣୀ ସଂସ୍ଥାନ ଏହି ପ୍ରଜାତିର ସାମୁଦ୍ରିକ କଇଁଛଙ୍କୁ ବିରଳ ବୋଲି ଆଖ୍ୟା ଦେଇଛି।
ଆମ ରାଜ୍ୟରେ ଋଷିକୂଲ୍ୟା ମୁହାଣ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ଅଧିକ ପ୍ରସିଦ୍ଧ। ଏଥିସହ ଗହୀରମଥା କୂଳ ତଥା ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ଗତ କିଛି ବର୍ଷ ହେବ ଏଇ ବିରଳ ସାମୁଦ୍ରିକ ଜୀବଙ୍କ ସମାଗମ ଦେଖିବାକୁ ମିଳୁଛି। ନଭେମ୍ବର ଦ୍ବିତୀୟ ସପ୍ତାହ ସୁଦ୍ଧା ଋଷିକୂଲ୍ୟା ନିକଟ ସମୁଦ୍ର ଜଳରାଶିରେ ଏହି କଇଁଛଗୁଡ଼ିକ ପହଞ୍ଚିବା ଆଶା କରାଯାଉଛି। ସୁଦୂର ଶ୍ରୀଲଙ୍କାରୁ ଆସିଥାନ୍ତି ଏହି ସାମୁଦ୍ରିକ ଜୀବ। ନଭେମ୍ବରରୁ ଜାନୁଆରୀ ମଧ୍ୟରେ ମିଳନ, ମାର୍ଚ୍ଚ ଶେଷ ସୁଦ୍ଧା ଅଣ୍ଡାଦାନ ଓ ଏପ୍ରିଲରେ ଛୁଆ ଫୁଟି ସମୁଦ୍ରମୁହାଁ ହୋଇଥାନ୍ତି। ଚଳିତ ବର୍ଷ ଗଣ ଅଣ୍ଡାଦାନ ହୋଇପାରି ନଥିଲା। ତେଣୁ ପ୍ରକୃତିପ୍ରେମୀ ସେହି ଦୃଶ୍ୟ ଉପଭୋଗରୁ ବଞ୍ଚିତ ଥିଲେ। ତେବେ ଆସନ୍ତା ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ କଇଁଛଙ୍କ ଗଣଅଣ୍ଡାଦାନ ପୁଣି ଥରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଗଞ୍ଜାମ ଜିଲ୍ଲାର ୫୨ କିଲୋମିଟର ବେଳାଭୂମି ମଧ୍ୟରୁ ପୁରୁଣାବନ୍ଧ– ବଟେଶ୍ବର ୫ କିମି ଅଞ୍ଚଳରେ ହିଁ ଅଲିଭ୍ ରିଡ୍ଲେ କଇଁଛ ମାସ୍ ନେଷ୍ଟିଂ କରିଥାନ୍ତି। ବନ ବିଭାଗ ତରଫରୁ ଅନନ୍ତରାୟପୁରରୁ ପ୍ରୟାଗୀ ପର୍ଯ୍ୟନ୍ତ ସମୁଦ୍ର ତଟ ସଫେଇ ଆରମ୍ଭ ହୋଇସାରିଛି।
ନଭେମ୍ବର ପହିଲାରୁ ଏହି ଅଞ୍ଚଳରେ ଥିବା ସମୁଦ୍ରକୂଳିଆ ଗାଁ ଗୁଡ଼ିକରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ଏଥିସହ ସମୁଦ୍ରତଟରେ ୧୧ଟି ଶିବିର ସ୍ଥାପନ କରିବ ବନବିଭାଗ ଯେଉଁଠି ବିଭାଗୀୟ କର୍ମଚାରୀମାନେ ବେଳାଭୂମିରେ ପାଟ୍ରୋଲିଂ କରି କଇଁଛଙ୍କ ସୁରକ୍ଷାକୁ ନିଶ୍ଚିତ କରିବେ। ସେହିପରି ସମୁଦ୍ରରେ ପୁଲିସ- ମତ୍ସ୍ୟ ବିଭାଗ- ବନ ବିଭାଗ ମିଳିତ ପାଟ୍ରୋଲିଂ ପାଇଁ ସ୍କ୍ବାର୍ଡ ଗଠନ କରାଯାଇଛି। ତଟରକ୍ଷୀ ବାହିନୀର ମଧ୍ୟ ସହାୟତା ନିଆଯିବ। ଏହି ସମୟରେ ମାଛଧରା ବୋଟ୍, ଟ୍ରଲର୍ ଓ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯିବ। ବନ ବିଭାଗର ଖଲ୍ଲିକୋଟ ଓ ବ୍ରହ୍ମପୁର ରେଞ୍ଜ ଅଧୀନରେ ଯଥାକ୍ରମେ ୬ଟି ଓ ୫ଟି ଶିବିର ସ୍ଥାପନ କରାଯିବା ସହ ରେଞ୍ଜର୍ମାନେ ନିୟମିତ ଭାବେ ଏହାର ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ। ଯେଉଁ ନିର୍ଦ୍ଦିଷ୍ଟ ଇଲାକାରେ ଗଣଅଣ୍ଡାଦାନ ହୁଏ ସେଠି ୪ଟି ପର୍ଯ୍ୟାୟରେ ବ୍ୟାପକ ସଫେଇ ସହ କୁକୁର, ବିଲୁଆ ଆଦି ଜୀବଙ୍କ ଅନୁପ୍ରବେଶ ରୋକିବାକୁ ତଥା ବେଳାଭୂମିରେ କଇଁଛଙ୍କ ଅଣ୍ଡାଦାନ ଓ ଶାବକଙ୍କ ସୁରକ୍ଷା ଦୃଷ୍ଟିରୁ ଜାଲ ବେଢ଼ାଯିବ।
ଋଷିକୂଲ୍ୟା ମୁହାଣରେ ୨୦୧୭ ମସିହାରେ ୩.୭୨ ଲକ୍ଷ କଇଁଛ ଅଣ୍ଡାଦାନ କରିଥିଲେ। ୨୦୧୮-୧୯ରେ ରେକର୍ଡ ୪ ଲକ୍ଷ ୪୫ ହଜାର ଅଲିଭ ରିଡ୍ଲେ ସମୂହ ଅଣ୍ଡାଦାନ କରିଥିଲେ। ୨୦୧୯-୨୦ରେ ଏହି ସଂଖ୍ୟା ଥିଲା ୩.୨୩ ଲକ୍ଷ। ତେବେ ଚଳିତ ବର୍ଷ ମାତ୍ର ୪୪୦୦ କଇଁଛ ଅଣ୍ଡା ଦେଇଥିଲେ । ଦୀର୍ଘ ଦୁଇ ଦଶନ୍ଧିରେ ବ୍ୟତିକ୍ରମ ସ୍ବରୂପ ଦିନବେଳା କଇଁଛଙ୍କ ଅଣ୍ଡାଦାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ କଇଁଛ ୧୦୦ରୁ ୧୫୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ସେମାନଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ କରିପାରିଲେ ସେମାନଙ୍କ ବଂଶବୃଦ୍ଧି ସମ୍ଭବପର ହେବ।