ସମ୍ବେଦନଶୀଳ ସରକାରର ଜନହିତକର ନିଷ୍ପତ୍ତି: ୩୦ ଲକ୍ଷ ପରିବାରକୁ ଘର ମରାମତି ପାଇଁ ମିଳିବ ୧୪୪୪ କୋଟି ଟଙ୍କା

ଲେଖକ: ପ୍ରତିଭା ନେପାକ

ଲଗାତାର ଶାସନ କ୍ଷମତାରେ ରହିବା କୌଣସି ରାଜନୈତିକ ଦଳ ତଥା ରାଜନେତାଙ୍କ ପାଇଁ ଆଦୌ ସହଜ କଥା ନୁହେଁ। ଯଦି ବା ଦଳ କ୍ଷମତାରେ ରହିଥାଏ, ତେବେ ଶାସନ ମୁଖିଆଙ୍କୁ ବିରୋଧ ଆରମ୍ଭ ହୋଇଯାଏ ଓ ସେହି ଚେହେରାକୁ ବଦଳାଇବାକୁ ପଡ଼ିଥାଏ। ପଶ୍ଚିମବଙ୍ଗରେ ବିଗତ ଶତାବ୍ଦୀରେ ଅନେକ ଦଶନ୍ଧି ଧରି ବାମପନ୍ଥୀ ଦଳର ଅବିରତ ଶାସନକୁ ଏକ ଉଦାହରଣ ଭାବେ ନିଆଯାଇ ପାରେ। ହେଲେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ସେ ଦୃଶ୍ୟ ବିରଳ। ଦୁନିଆର କୋଣ ଅନୁକୋଣ ଆମ ପାଇଁ ଯେତେବେଳେ ଆଉ ଅପରିଚିତ ହୋଇ ରହିନି, ମୋବାଇଲ୍‌ର ଗୋଟିଏ ସ୍କ୍ରିନ୍‌ରେ ସାରା ବିଶ୍ବର ସୂଚନା ମିଳିପାରୁଛି, ସୋସିଆଲ ମିଡିଆରେ ଆନ୍ଦୋଳନ ଗଢ଼ି ଉଠି ସରକାରକୁ ବଦଳାଇଦେବା ଭଳି ସ୍ଥିତି ଆଜି ଉପୁଜିଛି। ଏଭଳି ଦୃଶ୍ୟପଟ୍ଟରେ ଓଡ଼ିଶା ଏକ ଅତି ବିରଳ ବ୍ୟତିକ୍ରମ ବୋଲି ରାଜନୈତିକ ପଣ୍ଡିତମାନେ ଚକିତ ହୁଅନ୍ତି। ତେବେ କାହିଁକି ? କାରଣ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବିଜେଡି ସରକାର ଲୋକଙ୍କୁ ଜନପ୍ରିୟ ଶାସନ ଦେଇ ଆସିଛି। ଦଳ ପ୍ରତି ଲଗାତର ସମର୍ଥନ ଉପରମୁହାଁ ହେବାରେ ଲାଗିଛି। ଆଉ ରାଜ୍ୟର ଅଦ୍ବିତୀୟ ନେତା, ୪ କୋଟି ଓଡ଼ିଆ ପରିବାରର ମୁଖିଆଙ୍କ ପ୍ରତି ରାଜ୍ୟବାସୀଙ୍କ ସ୍ନେହ ଶ୍ରଦ୍ଧା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ସେ ଘୋଷଣା କରିଥିବା ଗୋଟିଏ ନିଷ୍ପତ୍ତିକୁ ଏହାର ବଳିଷ୍ଠ ନଜିର ବୋଲି କୁହାଯାଇ ପାରେ।

ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ- ରାଜ୍ୟ ସରକାର ରାଜ୍ୟ ଓ କେନ୍ଦ୍ରୀୟ ଆବାସ ଯୋଜନାରେ ନିର୍ମିତ ଘର ମରାମତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ। ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଆବାସ ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର। ତେବେ କେନ୍ଦ୍ରୀୟ ଯୋଜନାରେ ଆବାସ ପାଇଥିବା ହିତାଧିକାରୀଙ୍କ ପ୍ରତି ମଧ୍ୟ ବାଛବିଚାର କରିନାହାନ୍ତି ସେ। ଇନ୍ଦିରା ଆବାସ ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ୫୦୦୦ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ଵାରା ଉପକୃତ ହେବେ ରାଜ୍ୟର ୩୦ ଲକ୍ଷ ପରିବାର ଓ ସେଥିପାଇଁ ଖର୍ଚ୍ଚ ହେବ ୧୪୪୪ କୋଟି ଟଙ୍କା।

ଏହି ଘୋଷଣା ଏକ ଜନହିତକର, ସମ୍ବେଦନଶୀଳ ସରକାରର ଆଭିମୁଖ୍ୟକୁ ସ୍ପଷ୍ଟ ସୂଚାଉଛି। ଯେଉଁଠି ସାମାନ୍ୟ ରାଜନୈତିକ ସ୍ବାର୍ଥ ହାସଲ, ଠିକ୍ ନିର୍ବାଚନ ପୂର୍ବରୁ ଭୋଟ ହାତେଇବା ସକାଶେ ନିଜକୁ ବଡ଼ ବଡ଼ କେନ୍ଦ୍ରୀୟ ରାଜନୈତିକ ଦଳ ଦର୍ଶାଉଥିବା ପାର୍ଟିର ନେତାଏ ଅପପ୍ରଚାରରେ ଲାଗି ପଡ଼ନ୍ତି, ସେଠି ଓଡ଼ିଶାବାସୀଙ୍କ ସାମଗ୍ରୀକ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ଏହି ବିଶାଳ ପରିବାରର ମୁଖିଆ। କେନ୍ଦ୍ର ଓ ରାଜ୍ୟ ଯୋଜନା ମଧ୍ୟରେ କୌଣସି ପାର୍ଥକ୍ୟ, କୌଣସି ବାଛବିଚାର କରିନାହାନ୍ତି। ବରଂ ସବୁ ଓଡ଼ିଆଙ୍କ ମୁଣ୍ଡ ଉପରେ ପକ୍କା ଛାତଟିଏ ରହିବ, ସେମାନଙ୍କ ଘରର ଚାରିକାନ୍ଥ ମଜବୁତ ହୋଇ ରହିବ ସେଥିପାଇଁ ପ୍ରାଥମିକତା ଦେଇଛନ୍ତି ନବୀନ ପଟ୍ଟନାୟକ। ତାଙ୍କରି ଭାଷାରେ “କୋଭିଡ୍ ଯୋଗୁଁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି। ଛୋଟ ଛୋଟ ମରାମତି କରିବା, ଏପରିକି ଚୂନ ଦେବା ପାଇଁ ମଧ୍ୟ ଆପଣମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆପଣମାନଙ୍କର ଏ କଷ୍ଟକୁ ମୁଁ ଅନୁଭବ କରୁଛି। ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତି ନେଇ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ଥିର କରିଛି। ଏଭଳି ନିଷ୍ପତ୍ତି ନେବାରେ ଆପଣଙ୍କ ରାଜ୍ୟ ସରକାର ସାରା ଦେଶରେ ପ୍ରଥମ”।

ଉଲ୍ଲେଖଯୋଗ୍ୟ ଯେ- ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୧୪ ମସିହାରୁ ରାଜ୍ୟ ସରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗ୍ରାମାଞ୍ଚଳରେ ଘର ତିଆରିରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ, ଯେଉଁଥିପାଇଁ ରାଜ୍ୟ ସରକାର ଏଯାବତ୍ ୨୨ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିଲେଣି। ତେବେ ଯେଉଁଠି କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କୁ ଅଣଦେଖା କରୁଛନ୍ତି, ସେଠି ରାଜ୍ୟ ସରକାର ଆଗେଇ ଆସି ନିଜସ୍ଵ ଯୋଜନାରେ ଗରିବଙ୍କୁ ସରକାରୀ ଆବାସ ଯୋଗାଇ ଦେଉଛନ୍ତି। କେନ୍ଦ୍ର ଯୋଜନାରୁ ବଞ୍ଚିତ ଲୋକଙ୍କୁ ରାଜ୍ୟ ସରକାର ଘର ଦେବା ପାଇଁ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଘୋଷଣା ଏକ ଜନହିତକର ସରକାରର ପରିଚାୟକ।

ଏ ନେଇ ଆସିକାର ଧରିତ୍ରୀ ଦାଶ କହନ୍ତି ଯେ- ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ସବୁ ଓଡ଼ିଆଙ୍କ ସୁଖଦୁଃଖର ସାଥି ଭଳି କାମ କରି ଆସିଛନ୍ତି। ସରକାର ମୁଣ୍ଡ ଉପରେ ଛାତ ଦେଇ ଚାରିକାନ୍ଥ କଥା ଭୁଲି ଯାଆନ୍ତି। ଘର ତିଆରି ହେବା ପରେ ମରାମତି ତ ଦରକାର ପଡ଼ିବ ନିଶ୍ଚୟ। ହେଲେ ଆମ ମୁଖ୍ୟମନ୍ତ୍ରୀ ସେଥିପାଇଁ ଅର୍ଥ ବ୍ୟବସ୍ଥା କରି ପକ୍କା ଘରକୁ ଆହୁରି ସୁରକ୍ଷିତ କରିବାର ବ୍ୟବସ୍ଥା କରି ଦେଇଛନ୍ତି। ରଙ୍ଗେଇଲୁଣ୍ଡାର ଦିଲ୍ଲୀପ ପଟ୍ଟନାୟକଙ୍କ କହିବା ପ୍ରକାରେ ଆମ ଭଳି ଗରିବଙ୍କ ପାଇଁ ଗୋଟିଏ ଘର କରିବା କେବଳ ଜୀବନଯାକର କଥା ନୁହେଁ, ବରଂ ଦୁଇ ତିନି ପିଢ଼ି ପର୍ଯ୍ୟନ୍ତ ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ କରିବା କଥା। ହେଲେ ବାରମ୍ବାର ବାତ୍ୟା ଓ ଅଦିନିଆ ବର୍ଷା ଆମ ଘରକୁ ଦୁର୍ବଳ କରି ପକାଉଛି। ଏହାକୁ ଯଥାର୍ଥରେ ହୃଦୟଙ୍ଗମ କରିଛନ୍ତି ନବୀନ ବାବୁ। କୋଭିଡ୍ ଯୋଗୁଁ ଆର୍ଥିକ ଦୁର୍ବଳସ୍ଥିତିର ଶିକାର ଗରିବଙ୍କ ପାଇଁ ଘର ମରାମତି ବାବଦ ଅନୁଦାନ ଘୋଷଣା କରି ଆମକୁ ଆଶ୍ଵସ୍ତ କରିଛନ୍ତି ଯେ ଆମ ଘର ଏଣିକି ଅଧିକ ଶକ୍ତ ହୋଇପାରିବ। ସେହିପରି ପ୍ରଥମେ ପକ୍କା ଘର ଆଉ ଏବେ ଘର ମରାମତି ପାଇଁ ଅର୍ଥ ପ୍ରଦାନ ଘୋଷଣା କରି ଆମ ମୁଣ୍ଡ ଉପରେ ପକ୍କା ଛାତ ସବୁଦିନ ପାଇଁ ନିଜର ହୋଇ ରହୁ ତାହାର ବ୍ୟବସ୍ଥା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କରି ଦେଇଛନ୍ତି ବୋଲି କହିଛନ୍ତି ଖଲ୍ଲିକୋଟର ସତ୍ୟନାଥ ସାହୁ।

ଗୋଟିଏ ପଟେ କଂଗ୍ରେସ ନିଜର ପୁରୁଣା ଆଳାପ ଦୋହରାଏ ଯେ- ଅମୁକ ସମୁକ ଯୋଜନା କଂଗ୍ରେସ ସରକାର ଅମଳରେ ହୋଇଥିଲା। ଆରପଟେ ବିଜେପି ନାମକୁ ମାତ୍ର ଘୋଷଣାକୁ ନେଇ କେନ୍ଦ୍ରୀୟ ଯୋଜନା ବୋଲି ବାହାବା ନେବାକୁ ଚେଷ୍ଟା କରି ଆସୁଛି। ଅଥଚ ରାଜ୍ୟର ସ୍ଥିର ଓ ପ୍ରଗତିଶୀଳ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ବିଜେଡି ସରକାର ଜନ୍ମ ପୂର୍ବରୁ (ପ୍ରସୂତି ମହିଳା ଓ ଜନ୍ମ ନେବାକୁ ଥିବା ଛୁଆର ସ୍ୱାସ୍ଥ୍ୟ, ଚିକିତ୍ସା ଆଦି) ଆରମ୍ଭ କରି ମୃତ୍ୟୁ ପରବର୍ତ୍ତୀ ସମୟ (ଅନ୍ତିମ ସଂସ୍କାର, ମୃତକଙ୍କ ଉପରେ ନିର୍ଭରଶୀଳ ପରିବାର ଲୋକଙ୍କ ପରବର୍ତ୍ତୀ ଜୀବନ ଯେପରି ସ୍ୱଚ୍ଛନ୍ଦରେ କଟିବ) ପର୍ଯ୍ୟନ୍ତ, ବର୍ତ୍ତମାନରୁ ଆରମ୍ଭ କରି ଭବିଷ୍ୟତ ପାଇଁ ନାନାଦି ଯୋଜନା କରିବା ସହ ତାହାର ସଠିକ କାର୍ଯ୍ୟକାରିତା କରି ପ୍ରମାଣିତ କରି ଦେଇଛନ୍ତି ଯେ କାହିଁକି ଦଶନ୍ଧି ପରେ ଦଶନ୍ଧି ବିତିଯାଉଥିଲେ ମଧ୍ୟ ନବୀନ ସରକାର ଲୋକପ୍ରିୟ। କିଭଳି ଏକ ସମ୍ବେଦନଶୀଳ ସରକାର ରାଜ୍ୟବାସୀଙ୍କ ସାମଗ୍ରୀକ ବିକାଶ କରି ରାଜ୍ୟକୁ ଉନ୍ନତିର ଶିଖରରେ ପହଞ୍ଚାଇପାରିବ ତାହାର ରୋଲ୍ ମଡେଲ୍ ସାଜିଛି ଓଡ଼ିଶାର ବିଜେଡି ସରକାର ଓ ଏହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.