କୃଷି ନିୟମ ବିରୁଦ୍ଧରେ କୃଷକ ଆନ୍ଦୋଳନ ଓ ସମ୍ବିଧାନ ବଞ୍ଚାଇବା ପାଇଁ ପ୍ରେରଣା

୨୬ ନଭେମ୍ବର ହେଉଛି ସମ୍ବିଧାନ ଦିବସ। ୧୯୪୯ ମସିହା ଏହି ଦିନରେ ଭାରତର ସମ୍ବିଧାନ ସଭା ସମ୍ବିଧାନକୁ ଗ୍ରହଣ କରି ପ୍ରଣୟନ କରିଥିଲେ ଓ ଆତ୍ମାର୍ପିତ କରିଥିଲେ। ୨୬ ନଭେମ୍ବରକୁ ୨୦୧୫ରୁ ମୋଦି ସରକାର ସମ୍ବିଧାନ ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହା ଏକ ବିଡମ୍ବନା ଯେ ଯେଉଁ ମୋଦି ସରକାର ସମ୍ବିଧାନ ଦିବସ ପାଳନ କରିବା ଆରମ୍ଭ କଲେ ସେହି ସରକାର ହିଁ ସମ୍ବିଧାନ ବିରୋଧୀ କାର୍ଯ୍ୟ କରି ସମ୍ବିଧାନ ଉପରେ ଗୁରୁତର ଆକ୍ରମଣ କଲେ। କୃଷି ଆଇନ ଗୁଡିକ ବିରୁଦ୍ଧରେ ପ୍ରାୟ ବର୍ଷେବ୍ୟାପୀ ଶାନ୍ତିପୂର୍ଣ୍ଣ ଓ ଅହିଂସାତ୍ମକ ଐତିହାସିକ ଆନ୍ଦୋଳନ କୃଷକମାନେ ଠିଆ କରାଇ ପାରିଲେ ଓ ମୋଦି ସରକାର ସେହି ଆଇନ ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହେଲେ। ସେହି ଆଇନ ସବୁ ଯେଉଁ ଭାବେ ସଂସଦରେ ପାରିତ କରାଗଲା ତାହା ସମ୍ବିଧାନର ବିପରୀତ ଥିଲା।୨୦୨୦ରେ ରାଜ୍ୟସଭାରେ କିଛି ସଦସ୍ୟ, ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଡିଏମକେ ଦଳର ତିରୁଚି ଶିବା, ଭୋଟ ପ୍ରକ୍ରିୟାରେ ସେହି ଆଇନକୁ ପାରିତ କରିବା ପାଇଁ ଦାବି କରିବା ସତ୍ତ୍ବେ ଗୃହର ଉପସଭାପତି ଧ୍ବନି ମତରେ ପାରିତ କରାଇ ଦେଇ ସମ୍ବିଧାନର ଧାରା ୧୦୦କୁ ଲଂଘନ କରିଥିଲେ। ଧାରା ୧୦୦ରେ ଧାର୍ଯ୍ୟ କରାଯାଇଛି ଯେ ସଂସଦର ଦୁଇ ସଦନର ପ୍ରତି ବିଷୟରେ ଉପସ୍ଥିତ ସଦସ୍ୟମାନଙ୍କ ଭୋଟ ଦ୍ୱାରା ନିଷ୍ପତ୍ତି ନିଆଯାଇ ପାରିବ। ଧ୍ବନି ଭୋଟ ବ୍ୟବସ୍ଥା କେବଳ ଗୃହର ପରିଚାଳନା ପାଇଁ ପ୍ରଣୟନ କରାଯାଇଥିବା ନିୟମାବଳୀରେ ଅଛି। ଯେତେବେଳେ ଗୃହର ଜଣେ ବି ସଦସ୍ୟ ଭୋଟ କରିବା ପାଇଁ ଦାବି କରନ୍ତି ତାହା ସମ୍ବିଧାନର ଧାରା ୧୦୦ ଅନୁସାରେ କରିବା ଅପରିହାର୍ଯ୍ୟ। କିନ୍ତୁ ଏହା କରାଯାଇନଥିଲା। ନିୟମ କରିବା ପ୍ରକ୍ରିୟା ଯାହାକି ନିୟମ ଦ୍ୱାରା ପ୍ରଭାବିତ ଲୋକଙ୍କ ସହ ପରାମର୍ଶ କରି କରାଯାଏ ତାହା ମଧ୍ୟ ହୋଇନଥିଲା। ସମ୍ବିଧାନର ନୀତି ଭଙ୍ଗ କରାଯାଇ ଓ କୃଷକମାନଙ୍କ ମତ ନନେଇ କୃଷି ନିୟମ ଗୁଡିକୁ ତରବରରେ ପାରିତ କରାଯାଇଥିବାରୁ କୃଷକମାନେ ଆନ୍ଦୋଳନ କରିବା ଆରମ୍ଭ କଲେ। ସେହି ଆନ୍ଦୋଳନକୁ ଦମନ କରିବା ପାଇଁ ମୋଦି ସରକାରଙ୍କ ମନ୍ତ୍ରୀମାନେ ଓ ଅନେକ ବିଜେପି ନେତା ଯାହା କହିଥିଲେ ଓ କରିଥିଲେ ତାହା ମଧ୍ୟ ସମ୍ବିଧାନ ବିରୋଧୀ ଥିଲା।

୧୯୨୮ରେ ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ବରେ ହୋଇଥିବା ଚାଷୀମାନଙ୍କ ବରଦୋଳି ସତ୍ୟାଗ୍ରହକୁ ଯେଉଁଭଳି ବ୍ରିଟିଶ ସରକାର ଦମନ କରିବା ପାଇଁ ଚେଷ୍ଟା କରିଥିଲେ ସେହିପରି ମୋଦି ସରକାର ମଧ୍ୟ କୃଷି ନିୟମ ବିରୁଦ୍ଧରେ ହୋଇଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ପଦକ୍ଷେପ ନେଲେ। ୧୯୨୮ ଫେବୃଆରୀରେ ଗୀତା ଓ କୋରାନ ପାଠ କରି ଓ ପ୍ରଭୁ (ହିନ୍ଦୁ ଭଗବାନ) ଏବଂ ଖୁଦା (ମୁସଲମାନ)ଙ୍କ ନାମରେ ଶପଥ ନେଇ ବରଦୋଳିରେ କୃଷକମାନେ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ଏହି ପ୍ରକାରର ସର୍ବଧର୍ମ ସମନ୍ବୟର ମର୍ମକୁ ନେଇ ୧୯୨୮ରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହର ଲକ୍ଷ୍ୟ ଥିଲା ବ୍ରିଟିଶ ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରିବା। ସେହି ନିଷ୍ପତ୍ତି ଦ୍ୱାରା ଜମି ଉପରେ ଲୋକେ ଦେଉଥିବା ଖଜଣାକୁ ଶତକଡା ୩୦ ପ୍ରତିଶତ ବଢାଇ ଦିଆଯାଇଥିଲା। ସେହି ସତ୍ୟାଗ୍ରହ ଯାହାକି ସର୍ବଧର୍ମ ସମନ୍ବୟରେ ଗଢି ଉଠିଥିଲା ତାକୁ ଭାଙ୍ଗିବା ପାଇଁ ବ୍ରିଟିଶ ସରକାର ସର୍ବାଧିକ ହିନ୍ଦୁମାନେ ରହୁଥିବା ବରଦୋଳିର ବହୁ ଅଞ୍ଚଳରେ ଜାଣିଶୁଣି ଅନେକ ମୁସଲମାନ କର୍ମଚାରୀ ଓ ଉତ୍ତର ପଶ୍ଚିମ ଅଞ୍ଚଳରୁ ପଠାଣମାନଙ୍କୁ ଜୋର ଜବରଦସ୍ତ ବର୍ଦ୍ଧିତ ଖଜଣା ଆଦାୟ କରିବା ପାଇଁ ମୁତୟନ କରିଥିଲେ। ଏହି କଥା ମହାତ୍ମାଗାନ୍ଧୀ ‘ୟଙ୍ଗ ଇଣ୍ଡିଆ’ରେ ୧୭ ମେ ୧୯୨୮ରେ ତାଙ୍କ ଏକ ଲେଖାରେ ଲେଖିଥିଲେ ଓ ଦର୍ଶାଇଥିଲେଯେ ବ୍ରିଟିଶ ସରକାର ଧର୍ମକୁ ନେଇ ଲୋକମାନଙ୍କ ଭିତରେ ବିଭାଜନ କରି ଶାସନ କରିବା ନୀତିକୁ ପ୍ରୟୋଗ କରି ବରଦୋଳି ସତ୍ୟାଗ୍ରହକୁ ଭାଙ୍ଗିବା ପାଇଁ ପ୍ରତିବଦ୍ଧ ଥିଲେ। ଗାନ୍ଧୀ ଲୋକଙ୍କୁ ଅପିଲ କରି ଲେଖିଲେ ଯେ ମୁସଲମାନ କର୍ମଚାରୀ ଓ ପଠାଣମାନଙ୍କୁ ଭାଇ ଭଳି ଦେଖି ତାଙ୍କୁ ସ୍ନେହ ଓ ଶ୍ରଦ୍ଧାର ସହ ବ୍ୟବହାର ଦେଖାଇ ପ୍ରମାଣ କରିବାକୁ ପଡିବ ଯେ ଆମ ପାଇଁ ହିନ୍ଦୁର ସମ୍ମାନ ଯେତିକି ଗୁରୁତ୍ବପୂର୍ଣ୍ଣ ମୁସଲମାନର ସମ୍ମାନ ମଧ୍ୟ ସେତିକି ଗୁରୁତ୍ତ୍ୱପୂର୍ଣ୍ଣ। ସେ ଏକଥା ମଧ୍ୟ ଲେଖିଥିଲେ ଯେ ହିନ୍ଦୁ ଓ ମୁସଲମାନଙ୍କୁ ସମ ଭାବରେ ଦେଖିବା ସତ୍ୟାଗ୍ରହୀର କର୍ତ୍ତବ୍ୟ।

୨୦୨୦-୨୧ରେ କୃଷି ନିୟମ ବିରୁଦ୍ଧରେ ହୋଇଥିବା ଶାନ୍ତିପୂର୍ଣ୍ଣ ଅହିଂସାତ୍ମକ ଓ ସର୍ବଧର୍ମ ସମନ୍ବୟ ଭିତ୍ତିରେ ହୋଇଥିବା ଆନ୍ଦୋଳନକୁ ଭାଙ୍ଗିବା ଓ ବଦନାମ କରିବା ପାଇଁ ବ୍ରିଟିଶ ସରକାରଙ୍କ ଭଳି ମୋଦି ସରକାରଙ୍କ ମନ୍ତ୍ରୀ ଓ ବିଜେପି ନେତାମାନେ ଧର୍ମଭିତ୍ତିକ ବିଭାଜନ କରି ଶବ୍ଦମାନ ପ୍ରୟୋଗ କରିଥିଲେ। ଉଦାହରଣ ସ୍ୱରୂପ ଅନେକ ମନ୍ତ୍ରୀ କୃଷି ଆନ୍ଦୋଳନକୁ ଖଲିସ୍ତାନୀ ମାନଙ୍କ ଦ୍ୱାରା ପରିଚାଳିତ ବୋଲି କହିଥିଲେ। ଅନ୍ୟ କିଛି ବିଜେପି ନେତା ଏହି ଆନ୍ଦୋଳନକୁ ପାକିସ୍ତାନୀ ମାନଙ୍କ ଦ୍ୱାରା ପ୍ରଭାବିତ ବୋଲି କହିଥିଲେ। ଖଲିସ୍ତାନୀ ଓ ପାକିସ୍ତାନୀ ଶବ୍ଦକୁ ବ୍ୟବହାର କରି ଓ ଧର୍ମକୁ ନେଇ ବିଭାଜନ ସୃଷ୍ଟି କରି ସର୍ବଧର୍ମ ସମନ୍ବୟରେ ପରିଚାଳିତ ହେଉଥିବା କୃଷକ ଆନ୍ଦୋଳନକୁ ଭାଙ୍ଗିବା ଓ ବଦନାମ କରିବା ଅପଚେଷ୍ଟା କରାଗଲା।

କୃଷକ ଆନ୍ଦୋଳନର ସର୍ବଧର୍ମ ସମନ୍ବୟ ଦୃଷ୍ଟିକୋଣ ବିଶେଷ ଭାବେ ପ୍ରତିଫଳିତ ହୋଇଥିଲା ଉତ୍ତରପ୍ରଦେଶର ମୁଜାଫରନଗରରେ ସେପ୍ଟେମ୍ବର ୨୦୨୧ରେ ହୋଇଥିବା କିସାନ ମହାପଞ୍ଚାୟତରେ। ସେଠାରେ ଯେତେବେଳେ କୃଷକ ନେତା ରାକେଶ ଟିକାୟତ ଆଲ୍ଲା ହୋ ଆକବର ସ୍ଲୋଗାନ ଦେଇଥିଲେ ଅନ୍ୟ ଚାଷୀମାନେ ହର ହର ମହାଦେବ କହିଥିଲେ। ଶିଖମାନେ ଓ୍ବାହେ ଗୁରୁ କହିଥିଲେ ଓ ମେଧା ପାଟକର କହିଥିଲେ “ହିନ୍ଦୁ, ମୁସଲିମ, ଶିଖ ଇସାହି, ହମ ସବ ହେ ବେହେନ ଭାଇ”। ଏହି ସବୁ ସ୍ଲୋଗାନ ସବୁ ଧର୍ମରୁ ନିଆଯାଇଥିଲା ଓ ସର୍ବଧର୍ମକୁ ସମଭାବ ଦେଖାଇବା ପାଇଁ ଗୁରୁତ୍ବ ଦିଆଯାଇଥିଲା। ଏହି ସର୍ବଧର୍ମ ସମଭାବ ମଧ୍ୟ ବରଦୋଳି ସତ୍ୟାଗ୍ରହରେ ଦେଖିବା ପାଇଁ ମିଳିଥିଲା। ସର୍ବଧର୍ମ ସମଭାବ ହିଁ ସମ୍ବିଧାନରେ ଦର୍ଶାଯାଇଥିବା ଧର୍ମନିରପେକ୍ଷତାର ମୂଳ ଅର୍ଥ। ସେହି ଧର୍ମନିରପେକ୍ଷତା ସମ୍ବିଧାନର ମୌଳିକ ଢାଞ୍ଚା ବୋଲି ଭାରତର ସୁପ୍ରିମକୋର୍ଟ ଏସ୍.ଆର୍.ବୋମାଇ ରାୟରେ କହିଛନ୍ତି ଏବଂ ସେହି ରାୟରେ ଏକଥା ବି ଲେଖାଯାଇଛି ଯେ ଧର୍ମନିରପେକ୍ଷତାର ସକରାତ୍ମକ ଦୃଷ୍ଟିକୋଣ ହେଉଛି ସବୁ ଧର୍ମକୁ ସମାନ ଭାବେ ଗ୍ରହଣ କରି ସମ୍ମାନ କରିବା। ତେଣୁ କୃଷକମାନେ ଅସମ୍ବିଧାନିକ ଭାବେ ପାରିତ କୃଷି ନିୟମଗୁଡିକୁ ବିରୋଧ କରି ତାଙ୍କର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସବୁ ଧର୍ମର ସ୍ଲୋଗାନକୁ ବୋଲି ଧର୍ମନିରପେକ୍ଷତାର ସକରାତ୍ମକ ଦୃଷ୍ଟିକୋଣ ଅନୁସାରେ ପଦକ୍ଷେପ ନେଇ ସମ୍ବିଧାନର ରକ୍ଷା କରିଛନ୍ତି। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶଦ୍ଦକୁ ସାମିଲ କରିବା ନେଇ ଯେଉଁ ବିଚାର ଉପସ୍ଥାପନ କରିଛନ୍ତି ବର୍ତ୍ତମାନ ପରିପ୍ରେକ୍ଷୀରେ ତାହା ସମ୍ପୂର୍ଣ୍ଣ ଯଥାର୍ଥ ସାବ୍ୟସ୍ତ ହେଉଛି।

ଉତ୍ତରପ୍ରଦେଶରେ କୃଷକ ମହାପଞ୍ଚାୟତରେ ଆଲ୍ଲା ହୋ ଆକବର ଓ ହର ହର ମହାଦେବ ସ୍ଲୋଗାନ ୨୦୧୩ ପୂର୍ବରୁ ଦିଆଯାଉଥିଲା। ରାକେଶ ଟିକାୟତ ମାନିଲେଯେ ୨୦୧୩ରେ ବିଜେପିର ଧ୍ରୁବୀକରଣ ନୀତି ଯୋଗୁଁ ସେହି ରାଜ୍ୟରେ ହିନ୍ଦୁ ମୁସଲିମ ସାମ୍ପ୍ରଦାୟିକ ଦଙ୍ଗା ହେଲା ଓ ସେ ନିଜେ ଏହାର ଶିକାର ହୋଇ ମୁସଲମାନ ଚାଷୀମାନଙ୍କ ଠାରୁ ଅଲଗା ହୋଇଗଲେ। ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରି କହିଲେ ଯେ ଯେଉଁ ଘୃଣାର ରାଜନୀତି କୃଷକମାନଙ୍କୁ ଧର୍ମ ନାଁ ରେ ୨୦୧୩ରେ ଅଲଗା କରିଥିଲା, ସେହି ରାଜନୀତିକୁ ସେ ମିଳିତ ଚାଷୀ ଆନ୍ଦୋଳନ ଦ୍ୱାରା ପରାସ୍ତ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାକେଶ ଟିକାୟତଙ୍କ ପିତା ସ୍ବର୍ଗତ ମହେନ୍ଦ୍ର ସିଂ ଟିକାୟତ ସବୁ କିସାନ ପଞ୍ଚାୟତରେ ଆଲ୍ଲା ହୋ ଆକବର ଓ ହର ହର ମହାଦେବ ସ୍ଲୋଗାନ ଦେବା ପକ୍ଷରେ ଥିଲେ। ଏହି ଦୁଇଟି ସ୍ଲୋଗାନ ଦେବା ଆରମ୍ଭ ହୋଇଥିଲା ୧୯୮୦ ଦଶକର ମଧ୍ୟ ଭାଗରେ। ସେତେବେଳେ ଏକ କୃଷକ ପ୍ରତିବାଦ ସଭାରେ ପୋଲିସ ଗୁଳିକାଣ୍ଡରେ ଜଣେ ମୁସଲମାନ ଚାଷୀ ଆକବର ଅଲ୍ଲି ଓ ଜଣେ ହିନ୍ଦୁ ଚାଷୀ ଜୟ ପାଲ ପ୍ରାଣ ହରାଇବା ପରେ ସମସ୍ତ ଚାଷୀ ସେ ଦୁଇଟି ମୃତ ଦେହ ଚାରିପଟେ ରୁଣ୍ଡ ହୋଇ ଆଲ୍ଲା ହୋ ଆକବର ଓ ହର ହର ମହାଦେବ ସ୍ଲୋଗାନ ଦେଇଥିଲେ। ସେହି ଦିନ ଠାରୁ ସବୁ କିସାନ ମହାପଞ୍ଚାୟତରେ ସବୁ ଧର୍ମର ସ୍ଲୋଗାନ ଦେଇ ଚାଷୀମାନେ ତାଙ୍କର ଧର୍ମନିରପେକ୍ଷତାର ପରିଚୟ ସାବ୍ୟସ୍ତ କରି ସମ୍ବିଧାନକୁ ଅନୁସରଣ କରିଥିଲେ। ୨୦୧୩ର ଧ୍ରୁବୀକରଣ ରାଜନୀତି ତାହାର ପ୍ରତିବନ୍ଧକ ହେଲା। ଖୁସିର କଥା ଯେ ୨୦୨୦-୨୧ର ମହାନ କୃଷି ଆନ୍ଦୋଳନ ଭାରତ ଇତିହାସରେ ଏକ ଶାନ୍ତିପୂର୍ଣ୍ଣ ଓ ଅହିଂସାତ୍ମକ ଆନ୍ଦୋଳନ ଭାବେ ସମ୍ବିଧାନର ଟେକ ରଖି ଭାରତର ଏକତା ଓ ଅଖଣ୍ଡତାକୁ ଧର୍ମନିରପେକ୍ଷତାର ସୂତ୍ରରେ ବାନ୍ଧି ସମଗ୍ର ଦେଶରେ ଏକ ନୂଆ ଆଶାର ସଞ୍ଚାର ସୃଷ୍ଟି କରିଛି ଯେ ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ପରାସ୍ତ କରି ସମ୍ବିଧାନକୁ ବଞ୍ଚାଇ ପାରିବା ସମ୍ଭବପର। ଧର୍ମଭିତ୍ତିକ ବିଭାଜନ ନୀତି ଅବଲମ୍ବନ କରି କେନ୍ଦ୍ରର ଶାସକ ବର୍ଗର ନେତାମାନେ ସେହି ଆନ୍ଦୋଳନକୁ ଯେଉଁଭଳି ବଦନାମ ଓ ଭାଙ୍ଗିବା ପାଇଁ ଚେଷ୍ଟା କଲେ ତାହା ଭଣ୍ଡୁର ହୋଇଛି କାରଣ କୃଷକ ଆନ୍ଦୋଳନ ସାମ୍ବିଧାନିକ ନୀତିରେ ପରିଚାଳିତ ହୋଇଛି ଓ ଆମ୍ବେଦକରଙ୍କ ସ୍ଲୋଗାନ “ଶିକ୍ଷା, ଆନ୍ଦୋଳନ ଓ ସଙ୍ଗଠନ” ଭିତ୍ତିରେ ଆଗକୁ ବଢିଛି। ସମ୍ବିଧାନ ଦିବସରେ ଆମକୁ ବଦ୍ଧପରିକର ହୋଇ କୃଷକମାନଙ୍କ ଭଳି ସମ୍ବିଧାନକୁ ବଞ୍ଚାଇ ରଖିବାକୁ ନିରନ୍ତର ପ୍ରୟାସ ।

Disclaimer: The opinions expressed within this article are the personal opinions of the author. The facts and opinions appearing in the article do not reflect the views of newsroomodisha.com and newsroomodisha.com does not assume any responsibility or liability for the same.

Comments are closed.