ହକିର ହାର୍ଟ୍ ଥ୍ରବ୍ ଓଡ଼ିଶା: ଆଜିଠୁ ଜୁନିଅର୍ ପୁରୁଷ ବିଶ୍ୱକପ୍ ଟକ୍କର

ଓଡ଼ିଶାକୁ କ୍ରୀଡ଼ା ବିଶେଷ କରି ହକି ଖେଳର ହବ୍ ଭାବେ ସାରା ବିଶ୍ବରେ ଏକ ଭବ୍ୟ ପରିଚୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଆଉ ଏକ ସଫଳ ଅଧ୍ୟାୟ ହେବାକୁ ଯାଉଛି ନଭେମ୍ବର ୨୪ ବୁଧବାରରୁ ଆରମ୍ଭ ହେଉଥିବା ଜୁନିଅର୍ ପୁରୁଷ ହକି ବିଶ୍ୱକପ୍। ଏଥିରେ ଆୟୋଜକ ଭାରତ ସମେତ ବେଲଜିୟମ୍, ମାଲେସିଆ, ଦକ୍ଷିଣ ଆଫ୍ରିକା, ଚିଲି, କାନାଡ଼ା, ଫ୍ରାନ୍ସ, ପୋଲାଣ୍ଡ, ନେଦରଲାଣ୍ଡ, ସ୍ପେନ୍, କୋରିଆ, ଆମେରିକା, ଜର୍ମାନୀ, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରିବେ। ଉଲ୍ଲେଖନୀୟ ଭାବେ ପାକିସ୍ତାନ ଦଳର ଅଂଶଗ୍ରହଣ ପ୍ରତିଯୋଗିତାକୁ ଅଧିକ ରୋମାଞ୍ଚକର କରିବ। କାରଣ ଏସିଆ ମହାଦେଶରେ ଭାରତ ପଛକୁ ପାକିସ୍ତାନ ହକିର ମହାରଥୀ କହିଲେ ଅତ୍ୟୁକ୍ତି ହେବନି। କ୍ରିକେଟ୍‌ରେ ଯେପରି ସାରା ବିଶ୍ଵର ଦର୍ଶକ ଭାରତ- ପାକ୍ ଟକ୍କର ଦେଖିବାକୁ ଚାହିଁ ରହିଥାନ୍ତି, ହକିରେ ସେଭଳି ଦୃଶ୍ୟ ଯେ ଅକଳ୍ପନୀୟ ନୁହେଁ। ଯଦିଓ ଦୁଇ ଦେଶ ପୃଥକ୍ ଗ୍ରୁପ୍‌ରେ ଅଛନ୍ତି, ତେବେ ହୁଏତ ସେମାନେ ପରସ୍ପରକୁ ଟକ୍କର ଦେବାର ସୁଯୋଗ ଉପନୀତ ହୋଇପାରେ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପାକିସ୍ତାନର ଅଂଶଗ୍ରହଣ ଏକ ଆଶ୍ଵସ୍ତିକର କଥା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏହି ପ୍ରତିଯୋଗିତା ମଧ୍ୟ ଏକ ସଫଳ କ୍ରୀଡ଼ା ମୁକାବିଲାର ରୂପ ନେବ ଏବଂ ଭାରତ ସମେତ ସାରା ବିଶ୍ବରେ ହକିର ଅନ୍ୟତମ ଶ୍ରେଷ୍ଠ ପୃଷ୍ଠପୋଷକ ଭାବେ ଓଡ଼ିଶାର ପରିଚୟକୁ ଅଧିକ ସଶକ୍ତ କରିବ ଏଥିରେ କୌଣସି ଦ୍ବିମତ ନାହିଁ।

ଏହା ପ୍ରଥମ ଥର ନୁହେଁ ଯେ ଓଡ଼ିଶା ବିଶ୍ୱସ୍ତରୀୟ ହକି ପ୍ରତିଯୋଗିତାର ଆୟୋଜକ ସାଜିଛି। ଚାମ୍ପିଅନ୍ସ ଟ୍ରଫି, ଏଫ୍ଆଇଏଚ୍ ପୁରଷ ହକି ବିଶ୍ୱକପ୍ ଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଭଳି ଅନେକ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାକୁ ରାଜ୍ୟ ସରକାର ସୂଚାରୁ ରୂପେ ଆୟୋଜନ କରି ସାରିଛନ୍ତି। ଆୟୋଜକ ଭାବେ ଓଡ଼ିଶାର ଭୂମିକାକୁ ଅଧିକ ବ୍ୟାପକ କରାଇବାରେ ସହାୟକ ହୋଇଛି ଜୁନିଅର ବିଶ୍ୱକପ୍ ହକି ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ୨୦୧୬ ସଂସ୍କରଣ ମଧ୍ୟ ଭାରତ (ଲକ୍ଷ୍ନୌ) ରେ ଆୟୋଜିତ ହୋଇଥିଲା। ଲଗାତର ଦ୍ଵିତୀୟ ଥର ପାଇଁ ଏଥର ଭାରତ ଆୟୋଜକ ସାଜିଥିବା ବେଳେ ସ୍ଥାନ କିନ୍ତୁ ହୋଇଛି ମନ୍ଦିର ମାଳିନୀ ସହର, ଓଡ଼ିଶାର ରାଜଧାନୀ ଭୁବନେଶ୍ଵର। ତେବେ ଏଥର ସ୍ଥିତି ଭିନ୍ନ। କରୋନା ମହାମାରୀଜନିତ ପରିସ୍ଥିତି ସତ୍ତ୍ବେ ଓଡ଼ିଶା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସଫଳ ଆୟୋଜନ କରି ସମଗ୍ର ବିଶ୍ଵ ଆଗରେ ଆଦର୍ଶ ସୃଷ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଏସବୁ ପଛରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା, କ୍ରୀଡ଼ା ପ୍ରତି ତାଙ୍କ ଭଲ ପାଇବା ଓ ସର୍ବୋପରି ଓଡ଼ିଶାକୁ ହକିର ରାଜଧାନୀ ଭାବେ ପରିଚିତ କରାଇବାକୁ ତାଙ୍କର ଗଭୀର ଆବେଗ। ଏହା ତାଙ୍କର ହିଁ ଦୂରଦୃଷ୍ଟି ଥିଲା କି ଯେତେବେଳେ ପ୍ରାୟୋଜକଜନିତ ସଙ୍କଟ ହେତୁ ଭାରତୀୟ ହକି ଅନିଶ୍ଚିତତାରେ ଲଟକି ରହିଥିଲା, ସେତେବେଳେ ଏକ ଅଦ୍ବିତୀୟ ନଜିର ସୃଷ୍ଟି କରି ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଭାରତୀୟ ହକିର ପ୍ରାୟୋଜକ ଭାବେ ଉପସ୍ଥାପିତ କରିଥିଲେ। ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନର ସୁଫଳ ମଧ୍ୟ ସ୍ବଳ୍ପ ସମୟରେ ଦେଶ ଦେଖିବାକୁ ପାଇପାରିଥିଲା। ଅଲିମ୍ପିକ୍ସରେ ପୁରୁଷ ହକି ଦଳ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିପାରିଥିଲା ବେଳେ ମହିଳା ଦଳ ମଧ୍ୟ ତାର ଉତ୍କୃଷ୍ଟ ପ୍ରଦର୍ଶନରେ ସମସ୍ତଙ୍କ ମନ ଓ ହୃଦୟ ଜିଣି ନେଇଥିଲା। ପ୍ରଥମ ଥର ଅଲିମ୍ପିକ୍ସ ସେମିଫାଇନାଲ୍‌ରେ ପହଞ୍ଚି ନୂଆ ଇତିହାସ ଲେଖିଥିଲା ମହିଳା ହକି ଟିମ୍। ଉଭୟ ଦଳରେ ସ୍ଥାନ ପାଇଥିଲେ ୪ ଜଣ ଓଡ଼ିଆ ହକି ତାରକା।

ଓଡ଼ିଶା ହକିର ପ୍ରସିଦ୍ଧି ଏଥିରୁ ଆକଳନ କରିହେବ ଯେ କରୋନା ମହାମାରୀ ଭଳି ସଙ୍କଟଜନକ ସ୍ଥିତିକୁ ଟକ୍କର ଦେଇ ଦର୍ଶକବିହୀନ କଳିଙ୍ଗ ଷ୍ଟାଡିୟମ୍‌ରେ ମୁକାବିଲା ପାଇଁ ସମସ୍ତ ପ୍ରତିଦ୍ଵନ୍ଦୀ ଦଳ ପହଞ୍ଚିଛନ୍ତି। ନିଶ୍ଚିତ ଭାବେ ଏସବୁ ଦେଶ ଓଡ଼ିଶାର ଆୟୋଜନ ନେଇ ସନ୍ତୋଷ ଓ ନିଶ୍ଚିତ ଥିବାରୁ ସେମାନଙ୍କ ଦଳକୁ ପ୍ରତିଯୋଗିତା ପାଇଁ ପଠାଇଛନ୍ତି। ତାହାକୁ ସାକାର କରିବା ପାଇଁ ସର୍ବୋତ୍କୃଷ୍ଟ ଆତିଥେୟତା, ମ୍ୟାଚ୍ ଓ ଅଭ୍ୟାସ ପାଇଁ ଖେଳୁଆଡ଼ ପରିବେଶ ଯୋଗାଇ ଦେଇଛି ଭୁବନେଶ୍ଵର। ଓଡ଼ିଶା ଯାହାକି କୋଭିଡ୍ ମୁକାବିଲା ଦୃଷ୍ଟିରୁ ଅନେକ ଅନ୍ତର୍ଜାତୀୟ ମଞ୍ଚ ଓ ଗୋଷ୍ଠୀରୁ ପ୍ରଶଂସା ସାଉଁଟି ସାରିଛି, ଏବେ ଜୁନିଅର ୱର୍ଲଡ କପ୍ ହକିରେ ମଧ୍ୟ ସେହି ସର୍ବୋତ୍ତମ ପରିଚାଳନାକୁ ପ୍ରଦର୍ଶିତ କରିବ। ସେଥିପାଇଁ ତ ସମସ୍ତ ଖେଳାଳି, ଅଫିସିଆଲ୍, ହୋଟେଲ୍ କର୍ମଚାରୀ, ସହଯୋଗୀ କର୍ମଚାରୀ, ମ୍ୟାଚ୍ କଭରେଜ୍ କରିବାକୁ ଆସୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ନିୟମିତ କୋଭିଡ୍- ୧୯ ପରୀକ୍ଷା କରି ତୁରନ୍ତ ଟେଷ୍ଟିଂ ରିପୋର୍ଟ ସଂଗ୍ରହ ସହ ପ୍ରତିଯୋଗିତାକୁ ସମ୍ପୂର୍ଣ୍ଣ ରୂପେ ମହାମାରୀ କବଳରୁ ଦୂରରେ ରଖିବାର ବ୍ୟବସ୍ଥା କରାଯାଇଛି।

ଯେତେବେଳେ ମହାମାରୀ ଲାଗି ଏହି ବିଶ୍ବ ପ୍ରତିଯୋଗିତା ହେବା ନେଇ ଆଶଙ୍କାର ବାଦଲ ଘେରି ଆସୁଥିଲା, ସେତେବେଳେ ଆମ କ୍ରୀଡ଼ାପ୍ରିୟ ମୁଖ୍ୟମନ୍ତ୍ରୀ ଜୁନିଅର୍ ପୁରୁଷ ହକି ବିଶ୍ୱକପ୍ ୨୦୨୧ ଆୟୋଜନ ନେଇ ଘୋଷଣା କରି ସମସ୍ତଙ୍କ ମନରେ ଉତ୍ସାହ, ଉନ୍ମାଦନା ଭରି ଦେଇଥିଲେ। ବିଦେଶୀ ଖେଳାଳିମାନେ ପ୍ରତିଯୋଗିତା ସାଙ୍ଗକୁ ଏଠିକାର ଆତିଥେୟତା ଓ ମନ୍ଦିରମାଳିନୀ ନଗରୀକୁ ଭରପୁର ଉପଭୋଗ କରିବେ ବୋଲି ଆଶା କରାଯାଏ। ଆଉ ତାହାର ଗୋଟିଏ ଝଲକ ସବୁଠାରୁ ଶେଷରେ ପହଞ୍ଚିଥିବା ଇଜିପ୍ଟ ଦଳର ମୁଖ୍ୟ କୋଚ୍‌ ତାଲିକ୍ ମାଗିଡ୍‌ଙ୍କ ମନ୍ତବ୍ୟରୁ ସ୍ପଷ୍ଟ। ସେ କହିଛନ୍ତି ଯେ- ୨୦୧୮ ହକି ବିଶ୍ୱକପ୍ ଆୟୋଜନ ଆମ ଖେଳାଳିମାନେ ଟିଭି ପରଦାରେ ଦେଖିଥିଲେ। ସେମାନେ ଏବେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବା ନେଇ ବେଶ୍ ଉତ୍ସାହିତ। ଭାରତୀୟ ଦଳରେ ସାମିଲ ଫରୱାର୍ଡ ପୋଜିସନ୍‌ରେ ଖେଳୁଥିବା ସୁଦୀପ, ଡିଫେଣ୍ଡର- ମିଡ୍‌ଫିଲ୍ମର ସୁନୀଲ ଓ ଅଭିଷେକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସମଗ୍ର ଭାରତୀୟ ଟିମ୍‌କୁ ଘରୋଇ ପରିବେଶରେ ଟାଇଟଲ ବିଜୟୀ ପ୍ରଦର୍ଶନ ପାଇଁ ଶୁଭକାମନା ଜଣାଇଛନ୍ତି ସେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଓଡ଼ିଶାକୁ ହକିର ରାଜଧାନୀ ତଥା ହବ୍ କରିବାକୁ ରାଜ୍ୟ ସରକାର ପ୍ରୟାସରତ। ସେଥିପାଇଁ ତ ୨୦୨୩ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ପୂର୍ବରୁ ଜୁନିଅର୍ ବିଶ୍ୱକପ୍ ହକିର ଆୟୋଜନ ଆଉ ଏକ ଛୋଟିଆ ପ୍ରଚେଷ୍ଟା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସମେତ ରାଉରକେଲାରେ ୨୦ ହଜାର ଦର୍ଶକ କ୍ଷମତାବିଶିଷ୍ଟ ଅନ୍ତର୍ଜାତୀୟମାନର ନୂତନ ଷ୍ଟାଡିୟମ୍‌ରେ ଖେଳାଯିବ ଏଫ୍‌ଆଇଏଚ୍ ବିଶ୍ୱକପ୍ ହକିର ଏହି ୧୫ତମ ସଂସ୍କରଣ। ହାତରେ ଆଉ ମାତ୍ର ଏକ ବର୍ଷ ଏକ ମାସରୁ ହାତଗଣତି କିଛିଟା ଅଧିକ ଦିନ। ତଥାପି ଜୁନିଅର୍ ବିଶ୍ୱକପ୍ ହକିର ସଫଳ ଆୟୋଜନ ସହ ଓଡ଼ିଶା ଆୟୋଜକ ଭୂମିକାରେ ତାର ପ୍ରଦର୍ଶନକୁ ଅଧିକ ଚମକାଇବ ସେଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି। ଭାରତୀୟ ହକି ଦଳର ବିଶ୍ବର କ୍ରୀଡ଼ା ମହାକୁମ୍ଭରେ ଉତ୍ତମ ପ୍ରଦର୍ଶନ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଭଳି ପ୍ରୋତ୍ସାହନ ରହିଥିଲା, ଆଗକୁ ଆହୁରି ଅନେକ ଖେଳକୁଦ କ୍ଷେତ୍ରରେ ତାହାର ପୁନରାବୃତ୍ତି ଦେଖିବାକୁ ମିଳିବା ଆଶା କରାଯାଇ ପାରେ। ବିଶ୍ବ ଓ ଜାତୀୟ କ୍ରୀଡ଼ା ଦରବାରରେ ଓଡ଼ିଶା ଆୟୋଜକ ଓ ପ୍ରାୟୋଜକ ଭାବେ ଯେଉଁଭଳି ଦାବିଦାରୀ ମଜବୁତ କରିପାରିଛି, ସେଥିରୁ ଦେଶର କ୍ରୀଡ଼ା କ୍ଷେତ୍ରକୁ ସଫଳତା ମିଳିବା ନିଶ୍ଚୟ।

ହକି ଖେଳର ସମୃଦ୍ଧି, ପ୍ରଚାର ପ୍ରସାର ଦିଗରେ ଓଡ଼ିଶା ତାର ଦାୟିତ୍ଵକୁ ବେଶ୍ ସୂଚାରୁ ରୂପେ ତୁଲାଇ ଆସିଛି। ସେଥିପାଇଁ ତ ମୁଖ୍ୟମନ୍ତ୍ରୀ ଜାତୀୟ ପୁରୁଷ ଓ ମହିଳା ହକି ଦଳର ଆଉ ୧୦ ବର୍ଷର ପ୍ରାୟୋଜକ ହେବା ପାଇଁ ଘୋଷଣା କରି ସାରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍, ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ତ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ଦୌଡ଼ରେ ଅଗ୍ରଣୀ ରହିବ। ଏହା ବ୍ୟତୀତ ସୁନ୍ଦରରଡ଼ ଜିଲ୍ଲାରେ ୧୭ଟି ସିନ୍ଥେଟିକ୍ ଟର୍ଫ ନିର୍ମାଣ ଆରମ୍ଭ ହେଇଛି। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସମେତ ଅନ୍ୟ ଜିଲ୍ଲାମାନଙ୍କରେ ହକି ଗ୍ରାଉଣ୍ଡ୍ ପ୍ରସ୍ତୁତ ହେବ। ହକି ଖେଳ ରାଜ୍ୟର ବିଭିନ୍ନ କୋଣରେ ଖେଳାଯାଇ ତାର ଚମକ ଫେରିପାଇବ। ଓଡ଼ିଶାବାସୀଙ୍କ ହକି ପ୍ରତି ଭଲ ପାଇବା ଓ ଉତ୍ସାହ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଏକ ସମ୍ମାନ I ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାର ସୁଫଳ ଏୟା ଯେ ହକି, ଆଥଲେଟିକ୍ ସମେତ ବିଭିନ୍ନ ଖେଳରେ ଓଡ଼ିଶାରେ କ୍ରୀଡ଼ା ପାଇଁ ଏକ ଉତ୍ସାହପ୍ରଦ, ଶୁଭଙ୍କର ପରିବେଶ ସୃଷ୍ଟି ହୋଇପାରିଛି। ଆଗକୁ ଏହା ଆହୁରି ବ୍ୟାପକ ହେବାକୁ ଯାଉଛି। ସେଥିପାଇଁ ତ ରାଜ୍ୟରେ ଏଯାବତ୍ ୧୧ଟିରୁ ୯ଟି କ୍ରୀଡ଼ା ଉତ୍କର୍ଷ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଗଲାଣି।

Comments are closed.