ପିପିଲି ଭୋଟ୍ : ଅଧିକ ବ୍ୟବଧାନରେ ଜିତିବା ଲକ୍ଷ୍ୟରେ ବିଜେଡି, ଆସନ ଛଡାଇ ଆଣିବା ଆଶାରେ ବିଜେପି 

ପିପିଲି: ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଗୁରୁବାର ଭୋଟ୍ ଗ୍ରହଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋରୋନା ମହାମାରୀ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଗାଇଡଲାଇନ ଅନୁସାରେ ଭୋଟ୍ ଗ୍ରହଣ ହେବ । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ । ନିର୍ବାଚନୀ ରଣାଙ୍ଗନରେ ଏଥର ମୋଟ ୧୦ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ହେବ । ଏହି ଆସନରୁ ବିଧାୟକ ଥିବା ବିଜେଡି ହେଭି ୱେଟ୍ ପ୍ରଦୀପ ମହାରଥୀଙ୍କ ଗତବର୍ଷ ମୃତ୍ୟୁ ପରେ ଉପନିର୍ବାଚନର ଆବଶ୍ୟକ ହୋଇଥିଲା । ଏହି ବର୍ଷ ଏପ୍ରିଲ ୧୬ରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋରୋନାରେ ମୃତ୍ୟୁ ପରେ ଉପନିର୍ବାଚନ ସ୍ଥଗିତ ରଖାଯାଇ ମେ ୧୬କୁ ଘୁଂଚାଯାଇଥିଲା । କିନ୍ତୁ କୋରୋନାର ଦ୍ୱିତୀୟ ଲହର ଯୋଗୁଁ ପୁଣି ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଜୋରଦାର ପ୍ରଚାର କରିଛନ୍ତି । ସେପଟେମ୍ବର ୨୦ରୁ ୨୭ ତାରିଖ ଯାଏଁ ତାରକା ପ୍ରଚାରକଙ୍କ ଭିଡ ଦେଖିବାକୁ ମିଳିଥିଲା । ଦିଲ୍ଲୀ ଗସ୍ତ ଯୋଗୁଁ ଏଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରରୁ ଦୂରେଇ ରହିଛନ୍ତି । ବିଜେପି ଏଥର ପିପିଲି ଆସନ ଶାସକ ଦଳଠାରୁ ଛଡାଇ ଆଣିବା ଲକ୍ଷ୍ୟରେ ରହିଥିବା ବେଳେ କଂଗ୍ରେସ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଆଶା ରଖିଛି ।

ଏଥର ବିଜେଡି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିଛି । ବିଜେଡି ଏଥର ଆଗ ଅପେକ୍ଷା ଅଧିକ ଭୋଟରେ ବିଜୟୀ ହେବ ବୋଲି ଦଳର ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେପି ଆଶ୍ରିତ ପଟ୍ଟନାୟକଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଥିବା ବେଳେ କଂଗ୍ରେସ ବିଶ୍ୱକେତନ ହରିଚନ୍ଦନ ମହାପାତ୍ରଙ୍କୁ ଛିଡା କରିଛି ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮ ହଜାର ଭୋଟ୍ (୬୦ ଦଶମିକ ୬୬ ପ୍ରତିଶତ ) ପାଇଥିଲେ । ବିଜେପିର ଆଶ୍ରିତ ପଟ୍ଟନାୟକ ୭୨ ହଜାର ଭୋଟ ( ୪୧ ଦଶମିକ ୬୨ ପ୍ରତିଶତ ) ପାଇଥିଲେ । ସେତେବେଳର କଂଗ୍ରେସ ପ୍ରାର୍ଥୀ ଦିଂବଗତ ଅଜିତ ମଙ୍ଗରାଜ ମାତ୍ର ୯ ହଜାର ୮୦୯ ଭୋଟ୍ ( ୫ ଦଶମିକ ୬ ପ୍ରତିଶତ ) ପାଇଥିଲେ । ତେଣୁ ଏଥର କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବା ଆଶାରେ ରହିଛି ।

ଭୋଟ୍ ଗ୍ରହଣ ପାଇଁ ୩୦ ତାରିଖରେ ସରକାରୀ ଅଫିସ ଛୁଟି ଘୋଷଣା କରାଯାଇଛି । ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅଫିସ ବନ୍ଦ ରହିବ । କୋଭିଡ ଗାଇଡଲାଇନ ଅନୁସାରେ ୭୨ ଘଂଟା ପୂର୍ବରୁ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା । ନିର୍ବାଚନ ପରିଚାଳନା ପାଇଁ ୨୨୦୦ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦୦୦ ପୋଲିସ କର୍ମୀ ଓ ବିଏସଏଫର ୩ଟି ଟିମ ମୁତୟନ କରାଯାଇଛି । ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ ।

ପିପିଲିରେ ଏଥର ମୋଟ ୩୪୮ ବୁଥରେ ଭୋଟ ଗ୍ରହଣ ହେବ । ଏଥିମଧ୍ୟରୁ ୨୦୧ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏସବୁ ବୁଥରେ ମାଇକ୍ରୋ ଅବଜରଭର କିମ୍ବା କେନ୍ଦ୍ରୀୟ ବାହିନୀ ମୁତୟନ କରାଯିବ । ଏହାଛଡା ଏହି ବୁଥଗୁଡିକର ୱେବକାଷ୍ଟିଂ କରାଯିବ । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଡ୍ୟୁଟିକୁ ଆସିବା ବେଳେ ଦୁଇ ଡୋଜ୍ କୋଭିଡ ଟିକା ନେଇଥିବାର ପ୍ରମାଣପତ୍ର ଆଣିବେ । କୌଣସି ଇଭିଏମରେ ତ୍ରୁଟି ଦେଖାଦେଲେ ତୁରନ୍ତ ଏହାକୁ ସଜଡାଯିବ । କିଛି ଇଭିଏମ ରିଜର୍ଭ ରଖାଯାଇଛି । ୮୦ ବର୍ଷରୁ ଅଧିକ ବୟସର ଭୋଟର୍‌, କୋଭିଡ ଆକ୍ରାନ୍ତ ଓ ଦିବ୍ୟାଙ୍ଗ ଭୋଟରେ ଘରେ ରହି ପୋଷ୍ଟାଲ ବାଲାଟ ଜରିଆରେ ଭୋଟ୍ ଦେଇପାରିବେ ।

କୋଭିଡ ଗାଇଡଲାଇନ ମଧ୍ୟରେ ହେବ ନିର୍ବାଚନ । ପ୍ରତି ବୁଥରେ ୧୦୦୦ ମତଦାତା ହିଁ ଭୋଟ୍ ଦେବେ । ପ୍ରତ୍ୟେକ ଭୋଟରଙ୍କୁ ହ୍ୟାଣ୍ଡ୍ ଗ୍ଲୋଭସ ଦିଆଯିବ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ . ଯେଉଁମାନଙ୍କର ଅଧିକ ତାପମାତ୍ର ଥିବ , ସେମାନେ ଶେଷରେ ଆସି ଭୋଟ୍ ଦେଇପାରିବେ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Comments are closed.