ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ପୁରୁଣା ଭିଡିଓ ଟ୍ବିଟ୍ କରି କେନ୍ଦ୍ରକୁ ଟାର୍ଗେଟ କଲେ ବରୁଣ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁରୁଣା ଭିଡିଓ ଟୁଇଟ୍ କରି ବିଜେପି ସାଂସଦ ବରୁଣ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବରୁଣ ଗାନ୍ଧୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ବାଜପେୟୀ ସେହି ସମୟର ଚାଷୀ ଆନ୍ଦୋଳନ ଉପରେ ଭାଷଣ ଦେଉଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓ ସେୟାର କରିବା ସହ ବରୁଣ ଲେଖିଛନ୍ତି – “ଜଣେ ବଡ଼ ହୃଦୟବାନ ନେତାଙ୍କ ମହତ୍ ବାଣୀ।”

ବରୁଣ ଗାନ୍ଧୀ ସେୟାର କରିଥିବା ଭିଡିଓରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକ ମଞ୍ଚରୁ ଭାଷଣ ଦେଉଛନ୍ତି। ଏଥିରେ ବାଜପେୟୀ ସେହି ସମୟର କଂଗ୍ରେସ ସରକାରଙ୍କୁ ଚେତାବନୀ ଦେଇ କହୁଛନ୍ତି ଯେ ଯଦି ସରକାର ଆଇନର ଅପବ୍ୟବହାର କରନ୍ତି, ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରନ୍ତି, ତା’ହେଲେ ଆମେ କୃଷକ ଆନ୍ଦୋଳନରେ ସାମିଲ ହେବା ପାଇଁ କୁଣ୍ଠାବୋଧ କରିବୁ ନାହିଁ। ଆମେ ସେମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଠିଆ ହେବୁ। ”

ଏହାପୂର୍ବରୁ ଗୁରୁବାର ଦିନ ବରୁଣ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ଘଟଣାର ଏକ ଭିଡିଓ କ୍ଲିପ ଟ୍ୱିଟରରେ ସେୟାର କରିଥିଲେ। ଏଥିରେ ଏକ ଏସୟୁଭି ଚାଷୀଙ୍କୁ ଧକ୍କା ଦେଇ ଚାଲିଯିବାର ଛାତିଥରା ଦୃଶ୍ୟ ଦେଖିବାକୁ ମିଳୁଛି ।

ବରୁଣ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଚିଠି ଲେଖି ଲକ୍ଷ୍ମୀପୁର ହିଂସା ଘଟଣାରେ କୃଷକଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ବରୁଣ ଗାନ୍ଧୀ ଟ୍ୱିଟରରେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ତାଙ୍କ ଚିଠିର ନକଲ ସେୟାର କରିଥିଲେ ଯେଉଁଥିରେ ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ପୀଡିତଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କହିଛନ୍ତି।

ନିକଟରେ ବରୁଣ ଏବଂ ତାଙ୍କ ମା ସାଂସଦ ମେନକା ଗାନ୍ଧୀଙ୍କୁ ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ହଟାଇ ଦିଆଯାଇଥିଲା। ଲକ୍ଷ୍ମୀପୁର ଘଟଣା ନେଇ ସରକାରଙ୍କ ଉଦାସୀନତା ବିରୋଧରେ ବରୁଣ ଅନେକ ଟ୍ବିଟ୍ କରିଥିଲେ । ଏହି କାରଣରୁ ତାଙ୍କୁ ଜାତୀୟ କାର୍ଯ୍ୟକାରିଣୀରୁ ହଟାଇ ଦିଆଯାଇ ଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା ।

Comments are closed.