ଦକ୍ଷତା ଓ ପ୍ରଭାବୀ ହେବାର ଶୀର୍ଷ ହାସଲ ଲକ୍ଷ୍ୟରେ ଓଡ଼ିଶା ଆଇଟି ବିଭାଗ । ନିକଟରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମହତ୍ତ୍ବାକାଂକ୍ଷୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ (ସ୍ମାର୍ଟ କାର୍ଡ) ଯୋଜନାକୁ ସଫଳ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଭାଗର ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ । ଏ ସମ୍ପର୍କରେ ବିଭାଗୀୟ ସଚିବ ମନୋଜ ମିଶ୍ରଙ୍କ ସହ newsroomodisha.comର ସ୍ୱତନ୍ତ୍ର ସାକ୍ଷାତକାର ।
ପ୍ରଶ୍ନ : ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ସମସ୍ତ ୯୬ ଲକ୍ଷ ପରିବାର କେବେ ସୁଦ୍ଧା ବିଏସ୍କେୱାଇ କାର୍ଡ ପାଇପାରିବେ ?
ଉତ୍ତର : ସମ୍ପ୍ରତି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏକ ଗୁରୁ ଦାୟିତ୍ଵକୁ ସୂଚାରୁ ରୂପେ ତୁଲାଇବାରେ ନିୟୋଜିତ ରହିଛି। ବିଭାଗ ପାଇଁ ଏହା ଏକ ସମ୍ମାନଜନକ ପ୍ରକଳ୍ପ ଯେ ଇ ଆଣ୍ଡ ଆଇଟି ବିଭାଗ ଏବଂ ଓକାକ୍ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର)କୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ସ୍ମାର୍ଟ କାର୍ଡ ପ୍ରସ୍ତୁତି କରିବାର ଗୁରୁ ଦାୟିତ୍ବ ମିଳିଛି। ରାଜ୍ୟର ପ୍ରାୟ ୯୬.୫ ଲକ୍ଷ ହିତାଧିକାରୀ ପରିବାର ପାଇଁ ୨ଟି ଲେଖାଏଁ କାର୍ଡ ପ୍ରସ୍ତୁତ କରିବାର ବିଶାଳ ଓ ଜଟିଳ କାର୍ଯ୍ୟଭାର ଇ ଆଣ୍ଡ ଆଇଟି ବିଭାଗ ଉପରେ ନ୍ୟସ୍ତ କରାଯାଇଛି। ତେବେ ଏକାଧିକ ବିଭାଗର କର୍ମକର୍ତ୍ତାଙ୍କ ବେଶ୍ ଉନ୍ନତ ଓ ଉତ୍ତମ ସମ୍ମିଳିତ ପ୍ରୟାସ ସହ ଏହି କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଛି। ବିଭାଗୀୟ କର୍ତ୍ତୃପକ୍ଷ ଦୃଢ଼ ଆଶାବାଦୀ ଯେ ସମଗ୍ର ପ୍ରକ୍ରିୟାକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ସମ୍ପନ୍ନ କରାଯିବ। ଯୋଜନାର ଆବଶ୍ୟକତା ମୁତାବକ ଜିଲ୍ଲା ପ୍ରଶାସନ ସହଯୋଗରେ ଦାୟିତ୍ବରେ ଥିବା ବିଭାଗ ନାଗରିକଙ୍କୁ କାର୍ଡ ବିତରଣ କରିବ।
ପ୍ରଶ୍ନ : ଏହି ବିଏସ୍କେୱାଇ ସ୍ମାର୍ଟ କାର୍ଡ ଦ୍ୱାରା ହିତାଧିକାରୀମାନେ କେମିତି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ, ଏହା ସେମାନଙ୍କ ପାଇଁ ଉପଯୋଗୀ ହୋଇପାରିବ କି ?
ଉତ୍ତର : ସ୍ମାର୍ଟ ବିଏସକେୱାଇ କାର୍ଡ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହିତାଧିକାରୀଙ୍କ ପରିବାରକୁ ଦିଆଯାଇଥିବା ପ୍ରତିଶୃତିର ଏକ ବାସ୍ତବ ଭୌତିକ ପ୍ରତିରୂପ। ଏହି ଡିଜିଟାଲ୍ କାର୍ଡ ସହାୟତାରେ ପରିବାରର ଯେକୌଣସି ସଦସ୍ୟ ବେଶ୍ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ଯେକୌଣସି ସରକାରୀ ବା ସରକାରଙ୍କ ଦ୍ଵାରା ଅନୁମୋଦିତ ପ୍ରାୟ ୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାକୁ ଯାଇ ନଗଦମୁକ୍ତ ଓ ଜଟିଳତାମୁକ୍ତ ଭାବେ ଚିକିତ୍ସିତ ହୋଇପାରିବେ। ମହତ୍ତ୍ୱପୂର୍ଣ୍ଣ କଥା ହେଲା ଯେ- ବିଏସ୍କେୱାଇ କୌଣସି ବୀମା ଆଧାରିତ ନୁହେଁ, ବରଂ ଆଶ୍ୱସ୍ତଦାୟକ ସ୍ଵାସ୍ଥ୍ୟ ଯୋଜନା ଅଟେ। ଏହା ଡାକ୍ତରଖାନାରେ ହେଉଥିବା ବ୍ୟୟ ଭାରକୁ କୌଣସିମତେ ନାଗରିକଙ୍କ ଉପରକୁ ବୋଝ ପକାଏନି। ଏହି ପ୍ରକ୍ରିୟା ସିଧାସଳଖ ଡାକ୍ତରଖାନାକୁ ସରକାରଙ୍କ ସହ ଯୋଡିଥାଏ ଓ ଚିକିତ୍ସା ବାବଦ ବ୍ୟୟ ଅର୍ଥ ଫେରିପାଇବା (କ୍ଲେମ୍ ପ୍ରୋସେସିଂ) ଦିଗରେ ରୋଗୀଙ୍କ ଉପରେ କୌଣସି ବୋଝ ନଥାଏ। ଏହା ହେଉଛି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବିଶାଳ ରୂପାନ୍ତରଣ ଆଭିମୁଖ୍ୟ ଓ ସମ୍ଭବତଃ ନିଜ କିସମର ଦେଶରେ ଏକମାତ୍ର ସ୍କିମ୍।
ପ୍ରଶ୍ନ : ଏହି ସ୍ମାର୍ଟ କାର୍ଡକୁ କେମିତି ବ୍ୟବହାର କରାଯାଇପାରିବ ?
ଉତ୍ତର : ଇ ଆଣ୍ଡ୍ ଆଇଟି ବିଭାଗ ଏଥିସକାଶେ ପ୍ରତିଟି ଉଦ୍ଦିଷ୍ଟ ଡାକ୍ତରଖାନା ପରିସରରେ ପିଓଏସ୍ ମେସିନ୍ ସ୍ଥାପନ କରୁଛି ଯାହା ସ୍ମାର୍ଟ କାର୍ଡକୁ ପରଖି ପାରିବ। ପିଓଏସ୍ ମେସିନ୍ ଦ୍ଵାରା ଚକ୍ଷୁ ଓ ଅଙ୍ଗୁଳି ଛାପ ଜରିଆରେ ବାୟୋମେଟ୍ରିକ୍ ବୈଧତା ସହ ଆଧାର ଫେମ୍ଓ୍ବର୍କ ମାଧ୍ୟମରେ ହିତାଧିକାରୀଙ୍କୁ ଚିହ୍ନଟ କରାଇବା ନିଶ୍ଚିତ କରାଉଛି। ସେହିପରି ବିଲ୍ ପ୍ରକ୍ରିୟା କାର୍ଯ୍ୟଧାରା ସମ୍ପୂର୍ଣ୍ଣ ରୂପେ ଅନ୍ଲାଇନ୍ରେ ହେଉଛି। ଡାକ୍ତରଖାନାର ଅଭ୍ୟର୍ଥନା କକ୍ଷରୁ ଆରମ୍ଭ କରି ସରକାରଙ୍କ ଦ୍ଵାରା ଅର୍ଥ ଅନୁମୋଦନ ଓ ହସ୍ପିଟାଲ୍ ପାଣ୍ଠିରେ ତାହା ଜମା କରିବା ପ୍ରକ୍ରିୟା ବେଶ୍ ସରଳୀକୃତ ହୋଇପାରିଛି।
ପ୍ରଶ୍ନ : ବର୍ତ୍ତମାନ ରାଜ୍ୟ ସରକାର ୫-ଟି ମାଧ୍ୟମରେ ବ୍ୟାପକ ଭାବେ ଟେକ୍ନୋଲୋଜି ବା ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି, ଏଥିରେ ଆପଣଙ୍କ ମତ…
ଉତ୍ତର : ୫-ଟି ମନ୍ତ୍ର ଏବେ ବେଶ୍ ଜଣାଶୁଣା ଓ ସୁପରିଚିତ। ଏହି ରୂପାନ୍ତରଣ ଏଜେଣ୍ଡାର ମୂଳଭୁତ ପ୍ରସଙ୍ଗ ହେଉଛି ପ୍ରଯୁକ୍ତି ଜ୍ଞାନକୌଶଳ (ଟେକ୍ନୋଲୋଜି)ର ବ୍ୟବହାର। ଟେକ୍ନୋଲୋଜି ଦ୍ଵାରା ଟିମ୍ ୱାର୍କ (ସାମୂହିକ କାର୍ଯ୍ୟ)ର ବିକାଶ, ସ୍ବଚ୍ଛତା ତଥା ପାରଦର୍ଶିତା ବ୍ୟାପକ କରାଇବା, ରୂପାନ୍ତରଣ ଫଳବତୀ ହେବା ଦିଗରେ ସମୟ ହ୍ରାସ କରିବା। ନିକଟରେ ମୁଖ୍ୟମନ୍ତ୍ରୀ କେବଳ ଏକ ମାଉସ୍ କ୍ଲିକ୍ ଦ୍ଵାରା ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭୪୩ କୋଟି ଟଙ୍କା ସହାୟତା ପ୍ରଦାନ କରିଥିଲେ। କେବଳ ଟେକ୍ନୋଲୋଜି ଦ୍ଵାରା ଏହି ବିଶାଳ କାର୍ଯ୍ୟ ଅତ୍ୟନ୍ତ ସୀମିତ ସମୟରେ ସୂଚାରୁ ରୂପେ ସମ୍ପନ୍ନ ହୋଇପାରିଲା। ଯୋଗ୍ୟ କୃଷକମାନେ କୌଣସି ମଧ୍ୟସ୍ଥିଙ୍କ ବିନା ଅଥବା କୌଣସି ସରକାରୀ କାର୍ଯ୍ୟାଳୟକୁ ଦୌଡାଦୌଡି ନକରି, ଲମ୍ବା ଚଉଡା ବା ଏକାଧିକ ଫର୍ମ ଓ ଘୋଷଣାନାମା ପୂରଣ କରିବାର ପଦ୍ଧତି ବିନା ସିଧାସଳଖ ସରକାରଙ୍କ ଠାରୁ ଅର୍ଥ ପ୍ରାପ୍ତ କରିପାରିଲେ। ପ୍ରୟୋଗକୁ ସୁନିଶ୍ଚିତ କରିବା ନିମନ୍ତେ ବିଏସ୍କେୱାଇ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ବ୍ୟବହୃତ କରାଯାଉଛି।
କେବଳ ଯେ ସରକାରଙ୍କ କାଳିଆ, ବିଏସକେଓ୍ବାଇ ଭଳି ମହତ୍ତ୍ବାକାଂକ୍ଷୀ ଯୋଜନା ବା କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶା ସରକାରଙ୍କ ୪୩ଟି ବିଭିନ୍ନ ବିଭାଗ ଜରିଆରେ ପ୍ରଦାନ କରାଯାଉଥିବା ୪୦୦ରୁ ଅଧିକ ସେବା ଓଡ଼ିଶାର ନିଜସ୍ବ ଏକୀକୃତ ‘ଓଡ଼ିଶା ୱାନ୍’ ପୋର୍ଟାଲ ଦ୍ବାରା ଆମୂଳଚୁଳ ସରଳୀକୃତ ଢଙ୍ଗରେ କରାଯାଇ ଆସୁଛି।
ପ୍ରଶ୍ନ : ଗ୍ରାମାଞ୍ଚଳ ଲୋକ ଯେଉଁମାନେ ଜ୍ଞାନକୌଶଳର ବ୍ୟବହାର ଉପରେ ଏତେଟା ସଚେତନ ନୁହନ୍ତି ସେମାନଙ୍କ ପାଇଁ କଣ ବ୍ୟବସ୍ଥା ବ୍ୟବସ୍ଥା କରାଯାଇଛି ?
ଉତ୍ତର : ଆମେ ଯେତେବେଳେ ଦକ୍ଷତା ଓ ପ୍ରଭାବ ବ୍ୟାପକ କରିବା ସକାଶେ ଟେକ୍ନୋଲୋଜିର ବ୍ୟବହାର ତଥା ପ୍ରୟୋଗ କରୁଛେ, ସେତେବେଳେ ଆମେ ସମାଜର ସେହି ବର୍ଗର ଲୋକଙ୍କ କଥା ବି ଚିନ୍ତା କରୁଛେ ଯେଉଁମାନେ ଡିଜିଟାଲ୍ ପ୍ଲାଟଫର୍ମର ଲାଭ ହାସଲ କରିବାରେ ବିଭିନ୍ନ କାରଣରୁ ସକ୍ଷମ ହୋଇପାରନ୍ତି ନାହିଁ। ସେମାନଙ୍କ ସକାଶେ ଗ୍ରାମ ପଞ୍ଚାୟତସ୍ତରରେ ଓଡ଼ିଶାର ନିଜସ୍ବ ଡିଜିଟାଲ୍ ସର୍ଭିସ୍ କିଓସ୍କ ‘ମୋ ସେବା କେନ୍ଦ୍ର’ ଭଳି ହାଇବ୍ରିଡ୍ ମଡେଲ୍ ଆପଣାଯାଇଛି। ଏହାଦ୍ୱାରା ଲୋକେ ଘର ଠାରୁ ଦୂର କୌଣସି ସରକାରୀ କାର୍ଯ୍ୟାଳୟକୁ ନଯାଇ ମଧ୍ୟ ସରକାରୀ ସେବା ହାତ ପାଆନ୍ତାରେ ପାଇପାରୁଛନ୍ତି। ସାରା ରାଜ୍ୟରେ ୪ ହଜାରରୁ ଅଧିକ ମୋ ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇ ଥିବା ବେଳେ ଏହାର ଅବସ୍ଥିତିକୁ ଅଧିକ ବ୍ୟାପକ କରାଯାଉଛି ଯାହାଦ୍ଵାରା କି ପ୍ରତି ପଞ୍ଚାୟତରେ ଏହା ଉପଲବ୍ଧ ହୋଇପାରିବ।
ପ୍ରଶ୍ନ : ଆଇଟି ବିଭାଗର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ କିଛି କୁହନ୍ତୁ ?
ଉତ୍ତର : ସରକାରଙ୍କ କାର୍ଯ୍ୟଧାରାରେ ଟେକ୍ନୋଲୋଜିର ବ୍ୟବହାର ପ୍ରାଥମିକତା ରହିଛି। ପ୍ରତିଟି ବିଭାଗର ଆଭ୍ୟନ୍ତରୀଣ ଭାବେ ଫାଇଲ କାର୍ଯ୍ୟ, ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚସ୍ତର ପର୍ଯ୍ୟନ୍ତ, ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ମଧ୍ୟ ସବୁକିଛି ଏକ ଡିଜିଟାଲ ପ୍ଲାଟଫର୍ମ ‘ଓସ୍ୱାସ୍’ ଜରିଆରେ ସମ୍ପନ୍ନ ହେଉଛି। ବର୍ତ୍ତମାନ ଏହାକୁ ଏଭଳି ସମ୍ପ୍ରସାରିତ କରାଯାଇଛି ଯାହା ଜରିଆରେ ସମସ୍ତ ବିଭାଗୀୟ ନିର୍ଦ୍ଦେଶାଳୟ ଓ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗୋଟିଏ ଛାତ ତଳେ ଆସିପାରିଛି। ତେଣୁ ରାଜ୍ୟ ସରକାରଙ୍କ ଦ୍ବାରା ଟେକ୍ନୋଲୋଜିକୁ ଗ୍ରହଣ କରିବା ପ୍ରକ୍ରିୟା ଅତି ଦ୍ରୁତ ଓ ବେଶ୍ ବ୍ୟାପକ ହୋଇଛି। ଉଦାହରଣ ସ୍ଵରୂପ କାଳିଆ ଯୋଜନା କଥା କହିପାରିବା।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା କୌଶଳ ବିଭାଗ ଦ୍ୱାରା ଭବିଷ୍ୟତକୁ ନଜରରେ ରଖି ଗ୍ରହଣ କରାଯାଇଥିବା ଏକ ଅଭିନବ ତଥା ସାହାସିକ ପଦକ୍ଷେପ ହେଉଛି ଯେ ୫-ଟି ଲକ୍ଷ୍ୟକୁ ଆଧାର କରି ଏକ ସାମାଜିକ ସୁରକ୍ଷା ପ୍ରଦାନକାରୀ ପ୍ଲାଟଫର୍ମ (ଏସ୍ପିଡିପି) ସୃଷ୍ଟି କରିବା। ଏହି ଆଧାର ଜରିଆରେ ଉଭୟ ହିତାଧିକାରୀ ଓ ସରକାର ପାଇଁ ସୁଦୂରପ୍ରସାରୀ ସକରାତ୍ମକ ଫଳାଫଳ ପ୍ରାପ୍ତ ହୋଇପାରିବ। ଏହି ପ୍ଲାଟଫର୍ମ ସରକାରଙ୍କୁ ଏଥିପାଇଁ ସକ୍ଷମ କରାଇପାରିବ ଯେ ସ୍ବୟଂକୃତ ଭାବେ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସେବା ଯୋଗାଇ ହେବ। ନାଗରିକଙ୍କୁ ନିଜ ନାର୍ଯ୍ୟ ଅଧିକାର ଓ ପ୍ରାପ୍ୟ ହାସଲ ପାଇଁ ଆବେଦନ କରିବାର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ। ଆମେ ଯେତେବେଳେ ଏହି ପ୍ଲାଟଫର୍ମ ପ୍ରସ୍ତୁତ କରିବା ସହ ‘ସିଙ୍ଗଲ୍ ସୋର୍ସ ଅଫ୍ ଟ୍ରୁଥ୍’ ସୃଷ୍ଟି କରୁଛୁ, ସେତେବେଳେ ଆମର ଲକ୍ଷ୍ୟ ରହିଛି ଯେ ସିଧାସଳଖ, ତ୍ରୁଟିଶୂନ୍ୟ ଓ ସମୟାନୁବର୍ତ୍ତୀ ଭାବେ ସେବା ପ୍ରଦାନ କ୍ଷେତ୍ରରେ ଦକ୍ଷତା ଓ ପ୍ରଭାବୀ ହେବାର ଶୀର୍ଷସ୍ତରରେ ପହଞ୍ଚିହେବ ।
Comments are closed.