ଖୁସି ରହନ୍ତୁ, ସୁଖୀ ରହନ୍ତୁ

ବିଜନ କୁମାର ମହାପାତ୍ର

ପରିବର୍ତ୍ତନ ହିଁ ନିରନ୍ତର । ଆଉ ମଣିଷ ପାଇଁ ଖୁସି ଅନ୍ୱେଷଣ ଏକ ନିରନ୍ତର ପ୍ରକ୍ରିୟା । ମହାମାରୀ ଓ ଯୁଦ୍ଧ ପ୍ରଭାବିତ ଦୁନିଆରେ ‘ଖୁସି’ର କଥା କହିବା ଅଡୁଆ ଲାଗିବ ସତ । କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମ ସମସ୍ତଙ୍କୁ ହତାଶ, ନିରାଶ ନ ହୋଇ ଖୁସି ରହିବା ମାର୍ଗ ଖୋଜିବା ଦରକାର । ଆଜି ହେଉଛି ଆନ୍ତର୍ଜାତିକ ଖୁସି ଦିବସ । (ଇଂଟରନ୍ୟାସନାଲ ଡେ’ ଅଫ୍ ହ୍ୟାପିନେସ୍ ) ଦୁନିଆରେ ଲୋକଙ୍କୁ ଏଭଳି ଦୃଷ୍ଟିକୋଣ ଆପଣାଇବା ଜରୁରୀ ହୋଇପଡିଛି,ଯାହା ଦ୍ୱାରା କି ସେମାନେ ନିଜେ ଖୁସି ରହିବା ସହ ସଠିକ ଭାବେ ଏହାର ମଜା ନେଇପାରିବେ ।

ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଆନ୍ତର୍ଜାତିକ ଖୁସି ଦିବସ ପାଳନ କରାଯାଏ । ସାଧାରଣତଃ ଆମେ ବିଶ୍ୱର ଶାନ୍ତି, ସମୃଦ୍ଧି ଓ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥାଉ । ଅସଂଖ୍ୟ ସମସ୍ୟା ମଧ୍ୟରୁ ମାନବାଧିକାର, ସ୍ୱାସ୍ଥ୍ୟ, ପରିବେଶ ଆଦି ବିଷୟରେ ଚର୍ଚ୍ଚା କରିଥାଉ । କିନ୍ତୁ ଏସବୁ ମଧ୍ୟରେ ମଣିଷ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟରୁ ଅନ୍ୟତମ ‘ଖୁସି’କୁ ଆମେ ଅଣଦେଖା କରିଥାଉ । ସାଂପ୍ରତିକ ସମୟରେ କୋଭିଡ-୧୯ ମହାମାରୀ ପ୍ରଭାବରୁ ମୁକ୍ତି ପାଇଁ ଦୁନିଆ ସଂଘର୍ଷରତ । ଏଥିସହ ଋଷ-ୟୁକ୍ରେନ ଯୁଦ୍ଧ ସାରାବିଶ୍ୱ ପାଇଁ ଉଦ୍‌ବେଗର ବିଷୟ ହୋଇଛି । ଏ ଦୃଷ୍ଟିରୁ ‘ଆନ୍ତର୍ଜାତିକ ଖୁସି ଦିବସ’ ପ୍ରାସଙ୍ଗିକତା ପୂର୍ବାପେକ୍ଷା ଅଧିକ ମନେ ହୁଏ ।

୨୦ ମାର୍ଚ୍ଚ ଓ ଆନ୍ତର୍ଜାତିକ ଖୁସି ଦିବସ

୨୦୧୨ ମସିହା ଜୁଲାଇ ୧୨ ତାରିଖରେ ମିଳିତ ଜାତିସଂଘରେ ଗୃହୀତ ପ୍ରସ୍ତାବ ଅନୁସାରେ ପ୍ରତିବର୍ତ୍ତ ମାର୍ଚ୍ଚ ୨୦ ତାରିଖରେ ଆନ୍ତର୍ଜାତିକ ଖୁସି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ଲୋକଙ୍କୁ ଖୁସିର ମହତ୍ତ୍ୱ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ । ଆନ୍ତର୍ଜାତିକ ଖୁସି ଦିବସ ପଛରେ ବିଶ୍ୱର ଖ୍ୟାତନାମା ସମାଜସେବୀ ଜେମି ଇଲିୟନଙ୍କ ପ୍ରୟାସ ରହିଛି । ଇଲିୟନଙ୍କ ବିଚାରଧାରା ତତ୍କାଳୀନ ଜାତିସଂଘ ମହାସଚିବ ବାନ୍ କି ମୁନଙ୍କୁ ପ୍ରଭାବିତ କରିଥିଲ। ୨୦୧୩ ମସିହା ମାର୍ଚ୍ଚ ୨୦ ତାରିଖରେ ଜାତିସଂଘ ପକ୍ଷରୁ ପାଳନ ହୋଇଥିଲା ପ୍ରଥମ ‘ଆନ୍ତର୍ଜାତିକ ଖୁସି ଦିବସ’ ।

ଏ ବର୍ଷର ଥିମ୍

ପ୍ରତିବର୍ଷ ଆନ୍ତର୍ଜାତିକ ଖୁସି ଦିବସର ଏକ ଥିମ୍ ରହିଥାଏ । ଏବର୍ଷର ଥିମ ହେଉଛି – ‘Keep Calm, Stay Wise and Be Kind’ ( ଶାନ୍ତ ଓ ବୁଦ୍ଧିମାନ ରହନ୍ତୁ ଓ ଅନ୍ୟପ୍ରତି ଦୟା ପରବଶ ହୁଅନ୍ତୁ ) । ଏହାର ଅର୍ଥ ହେଲା ଯେ, ଜୀବନରେ ଯେ କୌଣସି ପରିସ୍ଥିତିରେ ମଧ୍ୟ ମଣିଷକୁ ସ୍ଥିର,ଶାନ୍ତ ଓ ବୁଦ୍ଧିମାନ ରହିବାକୁ ପଡିବ । ଏହାଦ୍ୱାରା ସେ ଜୀବନର ପ୍ରଗତି ଆଡକୁ ଅଗ୍ରସର ହୋଇପାରିବ । ଅନ୍ୟମାନଙ୍କ ପ୍ରତି ଦୟା ମନୋଭାବ ବି ରଖିବା ଦରକାର । ଏହା ଦ୍ୱାରା ସେ ଜୀବନରେ ଅଗ୍ରଗତି କରିପାରିବ ।

ସରକାରୀ ଆଭିମୁଖ୍ୟ ଓ ଖୁସି

ଦେଖାଯାଇଛି ଯେ, ବିଶ୍ୱରେ ବିଭିନ୍ନ ଦେଶର ସରକାର ଲୋକଙ୍କ ସମସ୍ୟାର ସମାଧାନ ସହ ସେମାନଙ୍କ ପାଇଁ ନାନା ସୁବିଧା ସୁଯୋଗ କରିବା ଓ ବିକାଶ କାର୍ଯ୍ୟରେ ବ୍ୟସ୍ତ ରହି ଯୋଜନାମାନ ପ୍ରସ୍ତୁତ କରନ୍ତି । ତେବେ,ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ଲକ୍ଷ୍ୟ ହାସଲ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ସବୁ ଲୋକଙ୍କ ଖୁସି ପାଇଁ କେତେ ପ୍ରଭାବଶାଳୀ ସାବ୍ୟସ୍ତ ହେବ, ସେଥିପ୍ରତି ସରକାରଗୁଡିକ ଧ୍ୟାନ ଦିଅନ୍ତି ନାହିଁ । ଏ ଦୃଷ୍ଟିରୁ ବି ଆନ୍ତର୍ଜାଚିକ ଖୁସି ଦିବସର ମହତ୍ତ୍ୱ ଆହୁରି ବଢିଯାଏ ।

ଭୂଟାନ ଓ ଖୁସି

ମିଳିତ ଜାତିସଂଘ ମତରେ ବିଶ୍ୱରେ ସାମଗ୍ରିକ ବିକାଶ, ଦାରିଦ୍ର୍ୟଅ ଦୂରୀକରଣ ଓ ଖୁସି ପାଇଁ ଆର୍ଥିକ ବିକାଶରେ ସମାନତା, ସମାବେଶତା, ସନ୍ତୁଳନକୁ ସାମିଲ କରିବା ଆବଶ୍ୟକ । ଭୂଟାନ ଭଳି ଏକ ଛୋଟ ଦେଶ ପ୍ରଥମେ ଖୁସିକୁ ମହତ୍ତ୍ୱ ଦେଇଥିଲା । ୧୯୭୦ ଦଶକରେ ଦକ୍ଷିଣ ଏସିଆରେ ଏହି ଛୋଟ ଦେଶ ନିଜର ଜାତୀୟ ଆୟ ଅପେକ୍ଷା ଜାତୀୟ ଖୁସିକୁ ପ୍ରାଧାନ୍ୟ ଦେଇଆସିଛି ।

କେତୋଟି କଥା ପ୍ରତି ଧ୍ୟାନ ଦେବା ଜରୁରୀ

ଖୁସି ରହିବା ପାଇଁ ଆମକୁ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡିବ । ଖୁସି ପାଇଁ ସ୍ପଷ୍ଟ ଆଭିମୁଖ୍ୟ ରହିବା ଜରୁରୀ । ଏଥିପାଇଁ ସର୍ବତା ସକାରାତ୍ମାକ ମନୋଭାବ ବଜାୟ ରଖିବା ଆବଶ୍ୟକ । ଯଦି ଆମ ଆଖପାଖରେ ନକାରାତ୍ମକତା ରହେ, ତାହା ହେଲେ ଆମେ ଖୁସି ରହିବା କେମିତି ?
ଖୁସି ରହିବା ପାଇଁ ବିଭିନ୍ନ ଉପାୟ ରହିଛି । ଖୁସି ରହିବା ପାଇଁ ଏକ ସୂଚୀ ପ୍ରସ୍ତୁତ କରିବା, ପ୍ରକୃତି ସହ ଅଧିକ ସମୟ ବିତାଇବା, କୃତଜ୍ଞତାର ଭାବନା ରଖିବା, ନିସ୍ୱାର୍ଥପର ଭାବେ ଅନ୍ୟର ସେବା ଓ ସହାୟତା କରିବା, ଏକ ନୂଆ ହବିରେ ନିଜକୁ ବ୍ରତୀ କରିବା ଭଳି ବିଭିନ୍ନ ଉପାୟରେ ଜଣେ ନିଜକୁ ଖୁସି ଓ ପ୍ରଫୁଲ୍ଲିତ ରଖିପାରିବ ।

ଖୁସି ରହିବା ଦୃଷ୍ଟିରୁ ଭାରତୀୟମାନେ ବହୁ ପଛରେ । ବିଶ୍ୱ ଖୁସି ରିପୋର୍ଟ-୨୦୨୧ ଅନୁସାରେ ଭାରତର ମାନ୍ୟତା ହେଉଛି ୧୩୬ । ୨୦୨୦ ରିପୋର୍ଟରେ ଭାରତର ମାନ୍ୟତା ଥିଲା ୧୪୦ ।

Comments are closed.