କୌଣସି ଜାତି ହେଉ ବା ରାଜ୍ୟ ଅଥବା ରାଷ୍ଟ୍ରର ପ୍ରଗତି ପାଇଁ ଶିକ୍ଷା ହେଉଛି ମୂଳଭୂତ ଆଧାର। ଯେଉଁ ଜାତି ଯେତେ ଶିକ୍ଷିତ ସେହି ଜାତି ଓ ସେମାନେ ରହୁଥିବା ଅଞ୍ଚଳ ସେତେ ବିକଶିତ। ପ୍ରାଚୀନ ଭାରତକୁ ସେଥିପାଇଁ ତ ବିଶ୍ୱ ଗୁରୁର ଆଖ୍ୟା ଦିଆଯାଇଥିଲା। ଏଠିକାର ଗୁରୁକୁଳକୁ ବିଭିନ୍ନ ଦେଶର ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଥିଲେ। ଜ୍ଞାନ ଆହରଣ କରିବାକୁ ବହୁ ବିଦେଶୀ ପରିବ୍ରାଜକ ନିଜ ଦେଶ ଛାଡ଼ି ଭାରତ ପରିଭ୍ରମଣରେ ଆସୁଥିଲେ। ଆଉ ସାମ୍ପ୍ରତିକ ସମୟରେ ଓଡ଼ିଶାକୁ ସାରା ଦେଶରେ ଶିକ୍ଷା କ୍ଷେତ୍ରରେ ସେଭଳି ରୋଲ୍ ମଡେଲ୍ କରିବାକୁ ଭିଜନ୍ ମୋଡରେ ଗୋଟିଏ ପରେ ଗୋଟିଏ ପଦକ୍ଷେପକୁ ବାସ୍ତବ ରୂପ ଦେବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ, ମୋ ସ୍କୁଲ, ମୋ କଲେଜ, ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଭଳି ଅନେକ ଯୋଜନା ତାଙ୍କ ଦୂରଦୃଷ୍ଟିର ପରିଚାୟକ ସାଜିଛି। ସେପ୍ଟେମ୍ବର ୫ ଗୁରୁ ଦିବସରେ ସେହି ଧାରାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାରେ ଶିକ୍ଷାଦାନକୁ ଅଧିକ ବ୍ୟାପକ ଓ ପୂର୍ଣ୍ଣାଙ୍ଗ କରିବାକୁ ନିଯୁକ୍ତ ହୋଇଛନ୍ତି ଆଉ ୧୫୬ ଶିକ୍ଷୟିତ୍ରୀ ଓ ୨୮୭ ଶିକ୍ଷକ।
ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ଚିତ୍ର ଆମୂଳଚୂଳ ପରିବର୍ତ୍ତନ ହେବାରେ ଲାଗିଛି। ଆଉ ସେ ଚାଳ ଛପର ବାଉଁଶରେ ତିଆରି କୁଡ଼ିଆ ଘର ନାହିଁ । ଗଛ ତଳେ ବସି ପିଲାଏ ପଢ଼ିବାର ସେ ବିକଳ ଚିତ୍ର ଏବେ ଧୀରେ ଧୀରେ ଅଦୃଶ୍ୟ ହେବାରେ ଲାଗିଲାଣି। ତାହାର ସ୍ଥାନ ନେବାରେ ଲାଗିଛି ସମସ୍ତ ଆଧୁନିକ ଓ ଯୁଗପଯୋଗୀ ସୁବିଧା ସମ୍ବଳିତ ‘ସ୍ମାର୍ଟ ସ୍କୁଲ’ ବା ‘୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍’। କେବଳ ପୋଥିଗତ ବିଦ୍ୟା ନୁହେଁ, ବିଜ୍ଞାନାଗାର ଓ ଲାଇବ୍ରେରୀରେ ଗବେଷଣା ଏବଂ କମ୍ପ୍ୟୁଟର ପରିଚାଳନାରୁ ଆରମ୍ଭ କରି ଖେଳ ପଡ଼ିଆରେ ଦୌଡ଼କୁଦ ପର୍ଯ୍ୟନ୍ତ ସବୁଥିରେ ଯେମିତି ଓଡ଼ିଶାର ଛାତ୍ରଛାତ୍ରୀ ପାରଙ୍ଗମ ହୋଇ ଆଗାମୀ ଦିନର ଆହ୍ବାନକୁ ମୁକାବିଲା କରିବା ସକାଶେ ନିଜକୁ ଯଥାର୍ଥ ରୂପେ ପ୍ରସ୍ତୁତ କରିପାରିବେ ସେହି ଲକ୍ଷ୍ୟକୁ ହାସଲ କରିବାରେ ଲାଗିଛି ଓଡ଼ିଶା। ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ୫୦ ଗୋଟି ଟ୍ରାନ୍ସଫର୍ମେସନ୍ ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଚଳିତ ବର୍ଷ ଆଉ ୧୦୦୦ଟି ଏବଂ ଆସନ୍ତା ୩ ବର୍ଷରେ ମୋଟ ୫୦୦୦ଟି ସ୍କୁଲ ଏଭଳି ଚକାଚକ୍ ଓ ଯୁଗୋପଯୋଗୀ ଶିକ୍ଷାୟତନରେ ପରିଣତ ହୋଇଉଠିବେ।
ଯେତେବେଳେ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ କରିଥିଲେ ଯେ ଓଡ଼ିଶା ରୂପକ ତାଙ୍କ ବିଶାଳ ପରିବାରର ସାଧାରଣ ଛାତ୍ରଛାତ୍ରୀଟିଏ ପାଇଁ ଦୁରୂହ ଇଂରାଜୀ ମାଧ୍ୟମ ଶିକ୍ଷା ଅନେକ କ୍ଷେତ୍ରରେ ବ୍ୟାପକ ହେଉଛି, ସେତେବେଳେ ସେ ଆରମ୍ଭ କରିଥିଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ରାଜ୍ୟର ସମସ୍ତ ବ୍ଲକ୍ରେ ଖୋଲିଥିବା ସରକାରୀ ପରିଚାଳିତ ଏହି ସ୍କୁଲମାନଙ୍କରେ ୬ଷ୍ଠରୁ ଦ୍ବାଦଶ ପର୍ଯ୍ୟନ୍ତ ସିବିଏସ୍ଇ ଢାଞ୍ଚାରେ ଇଂରାଜୀ ମାଧ୍ୟମ ଶିକ୍ଷା ପାଇପାରୁଛନ୍ତି ସାଧାରଣ ଓଡ଼ିଆ ପରିବାରର ଛାତ୍ରଛାତ୍ରୀ । ଫଳସ୍ବରୂପ ଓଡ଼ିଶା- ଆନ୍ଧ୍ର ସୀମାବର୍ତ୍ତୀ ପାତ୍ରପୁର ବ୍ଲକର ଉପାନ୍ତ ପାହାଡ଼ିଆ ଗାଁର ବାଳକଟିଏ ମଧ୍ୟ ଏବେ ସ୍ପଷ୍ଟ ଇଂରାଜୀ କହି ଗାଁକୁ ବୁଲି ଆସିଥିବା ପ୍ରଶାସକଙ୍କୁ ଚକିତ କରିବାକୁ ସକ୍ଷମ ହେଉଛନ୍ତି।
ଶିକ୍ଷାର ପୁନର୍ବିନ୍ୟାସ ପାଇଁ ଉଭୟ ସରକାରୀ ଏବଂ ଘରୋଇ କର୍ତ୍ତୃପକ୍ଷଙ୍କ ଉତ୍ତରଦାୟିତ୍ବର ସନ୍ତୁଳନର ଆବଶ୍ୟକତା ହେତୁ ଏଥିରେ ସହଭାଗୀତା ଓ ସହଯୋଗିତାକୁ ଗୁରୁତ୍ବ ଦେଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ‘ମୋ ସ୍କୁଲ’ ଏବଂ ‘ମୋ କଲେଜ’ ଅଭିଯାନର ପରିକଳ୍ପନା ଏବଂ ବାସ୍ତବାୟନ ସେ କରି ଥିଲେ ଏଇଥି ପାଇଁ। ପୁରାତନ ଛାତ୍ରଛାତ୍ରୀମାନେ ତାଙ୍କର ମାତୃଶିକ୍ଷାୟତନକୁ, ତା’ଙ୍କୁ ବଡ଼ ମଣିଷ କରି ଗଢି ଥିବା ପୁରୁଣା ଦିନର ବିଦ୍ୟାଳୟ ବା ମହାବିଦ୍ୟାଳୟକୁ ଯଥାସାଧ୍ୟ ଆର୍ଥିକ ସହାୟତା ଯୋଗାଇଦେବେ; ସେମାନେ ଯେତେ ଅର୍ଥ ପ୍ରଦାନ କରିବେ, ରାଜ୍ୟ ସରକାର ତାହାର ଦୁଇ ଗୁଣ ସହାୟତା ଦେବେ। ସେହି ଆଧାରରେ ସଂଗଠିତ ପ୍ରାପ୍ତ ସାଧନରେ ବିଦ୍ୟାଳୟ ଶୈକ୍ଷିକ ପରିବେଶ ଓ ଆନୁସଙ୍ଗିକ ସୁବିଧା ସୁଯୋଗକୁ ବେଶ୍ ଉନ୍ନତ କରାଯାଇ ପାରୁଛି। ଏଭଳି ପରିବର୍ତ୍ତିତ, ନୂତନ, ଉତ୍ସାହପ୍ରଦ ଶିକ୍ଷାୟତନ ପରିବେଶ ଦେଖି ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।
ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଭବିଷ୍ୟତରେ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି କ୍ଷେତ୍ରରେ ବେସରକାରୀ ଅନୁଷ୍ଠାନର ଉପଜଙ୍କଠୁ ଭେଟୁ ଥିବା କଡ଼ା ପ୍ରତିଦ୍ବନ୍ଦ୍ବିତାରେ ସେମାନଙ୍କ ସହାୟକ ହେବା ପାଇଁ ଚିନ୍ତା କରିଥିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ସେଥିପାଇଁ ସରକାରୀ ସ୍କୁଲରେ ପଢିଥିବା ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷଣର ଘୋଷଣା କରିଥିଲେ ସେ, ଯାହା ଥିଲା ସାରା ଦେଶରେ ପ୍ରଥମ ଏବଂ ନଜିର୍-ସୃଷ୍ଟିକାରୀ ପଦକ୍ଷେପ। ତଦ୍ ସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁବିଧା ସକାଶେ ବହୁ ସଂଖ୍ୟାରେ ହଷ୍ଟେଲ ନିର୍ମାଣରୁ ଆରମ୍ଭ କରି ସେମାନଙ୍କୁ ପୋଷାକ, ଯୋତାରୁ ଆରମ୍ଭ କରି ସାଇକେଲ ଓ ଲାପଟପ୍ ପ୍ରଦାନ ପର୍ଯ୍ୟନ୍ତ ଅନେକ ପ୍ରୋତ୍ସାହନମୂଳକ ଯୋଜନା ଏବେ ଆମ ରାଜ୍ୟରେ ପ୍ରଚଳିତ। ପ୍ରତିଟି ଯୋଜନାର ସୁଫଳ ଯେଭଳି ବାସ୍ତବ ମେଧାବୀ ଓ ଯୋଗ୍ୟ ଛାତ୍ରଛାତ୍ରୀ ପାଇପାରିବେ ତାହା ଉପରେ ନଜର ରଖିଛନ୍ତି ସରକାର। ତାହା ହିଁ ଓଡ଼ିଶାରେ ଶିକ୍ଷା କ୍ଷେତ୍ରର ସ୍ଥିତିକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଯୁକ୍ତିତଃ ପ୍ରାୟ ୧୮୦ ଡିଗ୍ରୀ ବଦଳାଇ ଦେଇଛି।
‘କଳିଙ୍ଗ ଶିକ୍ଷା ସାଥି’ ଯୋଜନା ଆଉ ଏକ ଉଦାହରଣ। ଉଚ୍ଚଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କୁ ମାତ୍ର ୧ ପ୍ରତିଶତ ସୁଧରେ ଋଣ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏହି ସ୍କିମ୍। ଅଭିଭାବକଙ୍କ ଉପରୁ ଏହା ଅନେକ ପରିମାଣରେ ଆର୍ଥିକ ବୋଝକୁ ଲାଘବ କରିବାରେ ସହାୟକ ହୋଇପାରିଛି। ଯୋଗ୍ୟ ଓ ମେଧାବୀ ବିଦ୍ୟାର୍ଥୀ ଏହାଦ୍ବାରା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସ୍କିମ୍ ଆଜି ରାଜ୍ୟରେ ଉଚ୍ଚଶିକ୍ଷାରେ ସାଧାରଣ ଆର୍ଥିକ ବର୍ଗ ବା ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶକୁ ଅଧିକ ସୁଗମ କରିପାରିଛି। ‘ମଧୁ ଆପ୍’ କୁହନ୍ତୁ ବା ଅନୁସୂଚିତ ଜାତି ଓ ଜନଜାତିର ବିଦ୍ୟାର୍ଥୀଙ୍କ ଗୁଣାତ୍ମକ ଶିକ୍ଷା ଗ୍ରହଣ ସକାଶେ ‘ଅନ୍ବେଷା’ ଅଥବା ସ୍ମାର୍ଟ ସ୍କୁଲରେ ଡିଜିଟାଲ ପଦ୍ଧତିରେ ଶିକ୍ଷାଦାନ – ଏକବିଂଶ ଶତାବ୍ଦୀର ବୈଷୟିକ ଜ୍ଞାନକୌଶଳକୁ ଶିକ୍ଷା କ୍ଷେତ୍ରରେ କ୍ରମାଗତ ପ୍ରୟୋଗ କରି ଯୁଗୋପଯୋଗୀ ପଦକ୍ଷେପମାନ ନେଇ ଆସିଛନ୍ତି ସେ। କୋଭିଡ୍ ସମୟରେ ସ୍କୁଲକୁ ଆସିପାରୁ ନଥିବା ଛାତ୍ରଛାତ୍ରୀ ଯେପରି ଶିକ୍ଷାଗ୍ରହଣରୁ ବଞ୍ଚିତ ନ ରୁହନ୍ତି ସେଥିପାଇଁ ୟୁ-ଟ୍ୟୁବ୍ କ୍ଲାସ୍ ପ୍ରଚଳନ କରିଛନ୍ତି ରାଜ୍ୟ ସରକାର।
ଆଦିବାସୀ ବିଦ୍ୟାର୍ଥୀଙ୍କ ସକାଶେ ‘ଅଲ୍ ଏକ୍ସକ୍ଲୁଜିଭ୍ ସ୍କୁଲ ଫର୍ ଏସଟି ଷ୍ଟୁଡେଣ୍ଟ’ ରାଜ୍ୟ ସରକାରଙ୍କ ଆଉ ଏକ ଅଦ୍ବିତୀୟ ଚିନ୍ତାଧାରା। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ରେ ୨୦୧୬ ମସିହାରେ ଖୋଲିଥିବା ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ (ଆବାସିକ) ଏବେ ସାରା ଦେଶ ପାଇଁ ଉଦାହରଣ ହୋଇଛି। କାଳ କାଳ ଧରି ଅବହେଳିତ ଓ ଅଣଦେଖାର ଶିକାର ଏଇ ବର୍ଗର ପିଲାଏ ଏବେ ଯେମିତି ସରକାରୀ ପ୍ରୋତ୍ସାନନରେ ଉଚିତ୍ ଶିକ୍ଷା ପାଇପାରିବେ, ସେଥିପାଇଁ ଏହାକୁ କାର୍ଯ୍ୟକ୍ଷମ କରାଇଥିଲେ ରାଜ୍ୟର ସୁଧାରବାଦୀ ମୁଖ୍ୟମନ୍ତ୍ରୀ। ଆଦିବାସୀ ବାଳିକାମାନେ ଯେପରି ଉତ୍ତମ ଶିକ୍ଷା ପାଇବେ ସେଥିପାଇଁ ‘ଅନ୍ବୈଷା’ ସ୍କିମକୁ ଖୋଦ୍ ବ୍ୟକ୍ତିଗତ ଭାବେ ତତ୍ତ୍ବାବଧାନ କରି ଆସୁଛନ୍ତି ସେ। ୨୦୧୭ ମସିହାରେ ପ୍ରଥମ କରି ୯ ଜଣ ଡଙ୍ଗରିଆ କନ୍ଧ ଛାତ୍ରୀ ମାଟ୍ରିକ୍ ପାସ୍ କରିବା ଥିଲା ଏହି ଯୋଜନାର ସଫଳତାର ପ୍ରଥମ ସୁଖକର ନଜିର। ଉଲ୍ଲେଖଯୋଗ୍ୟ ଯେ ଆଦିବାସୀ ଜନସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦେଶରେ ଏବେ ତୃତୀୟ ସ୍ଥାନରେ ରହିଛି।
ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ବକ୍ତବ୍ୟ ଆମେ ବ୍ୟାଖ୍ୟାକାରୀ ଉଦ୍ଧୃତି ଭାବେ ନେଇ ପାରିବା: “ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ। …ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟଗୁଡିକ ଏକ ରୋଲ ମଡେଲ ହେଉ।… ପିଲାମାନଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ବାସ ବୃଦ୍ଧି ହେବ ଏବଂ ସେମାନେ ଏହି ପ୍ରତିଯୋଗିତାମୂଳକ ଦୁନିଆରେ ସବୁପ୍ରକାର ବାଧାବିଘ୍ନକୁ ଅତିକ୍ରାନ୍ତ କରି ସଫଳତାର ପାହାଚ ଚଢ଼ି ପାରିବେ ତାହା ଆମର ଲକ୍ଷ୍ୟ… ପ୍ରତି ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ଉଦ୍ୟମ ହେବ ନୂଆ ଓ ରୂପାନ୍ତରିତ ଓଡ଼ିଶା ଗଠନରେ ବଳିଷ୍ଠ ପଦକ୍ଷେପ।”
ସାରା ଦେଶ ସ୍ବାଧୀନତା ଏବଂ ଉପଲବ୍ଧିର ୭୫ ବର୍ଷ ପାଳନ କରୁ ଥିଲା ବେଳେ, ରାଜ୍ୟରେ ଶିକ୍ଷା, କ୍ରୀଡ଼ା ସମେତ ଅନେକ କ୍ଷେତ୍ରକୁ ଗୁରୁତ୍ବ ଦେଇ ଭବିଷ୍ୟତ ନକ୍ସାର ଯୋଜନା କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଦୃଢ଼ ପଣ ଯେ ଓଡ଼ିଶାକୁ ଭାରତର ‘ମୋଷ୍ଟ ପ୍ରିଫରଡ୍ ଏଜୁକେସନାଲ ହବ୍’ରେ ପରିଣତ କରି ତୋଳିବେ। ଆମ ରାଜ୍ୟ ଦେଶର ଅଗ୍ରଣୀ ଗବେଷଣା କେନ୍ଦ୍ର ଭାବେ ଗଢି ଉଠିବ। ରାଜ୍ୟର ଶିକ୍ଷା ତ୍ବରିତ ରୂପାନ୍ତରଣର କ୍ଷେତ୍ର ପାଲଟିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ।
ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା, ସ୍କୁଲ ସମୟରୁ ସେମାନଙ୍କ ଦକ୍ଷତାର ବିକାଶ ପ୍ରତି ଯତ୍ନବାନ ରହିବାକୁ ସଦା ଗୁରୁତ୍ବ ଦେଇ ଆସିଛନ୍ତି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ। ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଶିକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି – ଏ ନେଇ ରାଜ୍ୟର ବୁଦ୍ଧିଜୀବୀ, ଶିକ୍ଷାବିତ୍ ମହଲ ବେଶ୍ ସନ୍ତୁଷ୍ଟ ଓ ଆଶ୍ବସ୍ତ। ରାଜ୍ୟର ଭବିଷ୍ୟତକୁ ଏବେ ଠାରୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଓ ପ୍ରୟାସର ପ୍ରଶଂସାରେ ଶତମୁଖ ରାଜ୍ୟର ସଂସ୍କାରପ୍ରେମୀ।