ସୁନ୍ଦରଗଡରେ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗ: କେନ୍ଦ୍ରର ଆଭିମୁଖ୍ୟ ନେଇ ଅଡ଼ୁଆରେ ପଶ୍ଚିମ ଓଡ଼ିଶା ବିଜେପି

ସୁନ୍ଦରଗଡ : ଖଣି ଖାଦାନାର ଭରପୁର ସୁନ୍ଦରଗଡ଼ ଜିଲ୍ଲା ସବୁ ବେଳେ ଜାତୀୟ ରାଜକୋଷକୁ ସମୃଦ୍ଧ କରି ଆସିଛି । ରାଜ୍ୟ ସରକାର ବାରମ୍ବାର ଦାବି ସତ୍ତ୍ୱେ ତାଙ୍କ ଯଥାର୍ଥ ରୟାଲଟି ପାଇ ପାରୁନାହାନ୍ତି । ହେଲେ କେନ୍ଦ୍ର ମୋଟା ଅଙ୍କର ରୟାଲଟି ଅସୁଲ ସତ୍ତ୍ବେ ଖଣି ଅଞ୍ଚଳର ବିକାଶ ଦିଗରେ ଧ୍ୟାନ ଦେଉନଥିବା ସବୁ ବେଳେ ଅଭିଯୋଗ ହୋଇଆସୁଛି । ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ଏମସ୍ ପ୍ରତିଷ୍ଠା ପାଇଁ ସାରା ପଶ୍ଚିମ ଓଡ଼ିଶାରୁ ଦାବି ହୋଇଆସୁଥିଲେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରି ଆସୁଛି । ଆଉ ଏହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜେପି ସାଂଘାତିକ ଅଡୁଆ ପରିସ୍ଥିତିରେ ପଡ଼ିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ନିଜସ ଉଦ୍ୟମରେ ସୁନ୍ଦରଗଡ଼ରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଦେବା ପରେ ବିଜେପି ନେତା ମୁହଁ ଲୁଚାଇବାକୁ ବି ଜାଗା ପାଉନଥିବା ଚର୍ଚ୍ଚା ଜୋର ଧରିଲାଣି ।

ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ସେବାର ବିକାଶ ଦିଗରେ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । ଇତିମଧ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିପାରିଛି । ହେଲେ ସୁନ୍ଦରଗଡ଼ ଭଳି ଆଦିବାସୀ ଅଧୁଷିତ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ବିକାଶ ଦୃଷ୍ଟିରୁ ଏମ୍ସ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ଗତ ୨୦୧୪ ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶର ବିଭିନ୍ନ ସ୍ଥାନରେ ୧୫ଟି ଏମ୍ସ ପ୍ରତିଷ୍ଠା କରିଥିଲେ । ହେଲେ ଏଥିରୁ ଓଡ଼ିଶା ଭାଗରେ ଗୋଟିଏ ବି ପଡ଼ିଲାନି । ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ବିଜେପି ସାଂସଦ ଜୁଏଲ ଓରାମ ଏହା ପୂର୍ବରୁ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ରହି ଆସିଛନ୍ତି । ତଥାପି ଜିଲ୍ଲାକୁ ଏହି ନ୍ୟାଯୋଚିତ ହକ୍ ଦେବାରେ କେନ୍ଦ୍ର ଅବହେଳା ପ୍ରଦର୍ଶନ କରି ଆସିଛି ।

ଖାଲି ସେତିକି ନୁହେଁ ମୋଦି ସରକାରର ଦ୍ବିତୀୟ ପାଳିରେ ରାଜ୍ୟର ୮ଜଣ ବିଜେପି ସାଂସଦଙ୍କ ମଧ୍ୟରୁ ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଯାକ ଲୋକସଭା ଆସନରୁ ବିଜେପି ସାଂସଦ ନିର୍ବାଚିତ ହୋଇଛନ୍ତି । ତଥାପି ଏହି ଦାବି ପ୍ରତି ପଶ୍ଚିମ ଓଡ଼ିଶାର ସାଂସଦମାନଙ୍କ ଅନାଗ୍ରହ ଜନ ଅସନ୍ତୋଷର କାରଣ ହେଲାଣି । ଏପରିକି ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ବାରମ୍ବାର ସୁପାରିଶ କରିବା ପରେ ବି କେନ୍ଦ୍ର କର୍ଣପାତ କରୁନାହିଁ । ଖାଲି ସୁନ୍ଦରଗଡ଼ର ବିଭିନ୍ନ ଖଣିରୁ ରୟାଲଟି ବାବଦକୁ ହଜାର ହଜାର କୋଟି ଟଙ୍କା ନେଇ ରାଜକୋଷ ଭର୍ତ୍ତି କରୁଥିବା ବେଳେ ଏହି ଜିଲ୍ଲାର ନ୍ୟାୟସଙ୍ଗତ ଯୁକ୍ତି ପ୍ରତି କେନ୍ଦ୍ର ଆଦୌ ଧ୍ୟାନ ଦେଉନାହିଁ ।

ଏନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡିଆରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମରେ ଘନ ଘନ ଚର୍ଚ୍ଚା ଲାଗି ରହିଛି । ସୁନ୍ଦରଗଡ଼ରେ ଏମ୍ସ ସ୍ଥାପନ ଦିଗରେ ଖୋଦ୍ ବିଜେପିର ସ୍ଥାନୀୟ ସାଂସଦ ଜୁଏଲ ଓରାମଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଧକ ସାଜିଥିବା ନେଇ ଖୋଲାଖୋଲି ସୋସିଆଲ୍ ମିଡିଆରେ ପ୍ରଚାର ଚାଲିଥିବା ଦେଖିବାକୁ ମିଳୁଛି ।

ସେପଟେ , ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଆଇଜିଏଚ୍ ହସପିଟାଲକୁ ମେଡିକାଲ କଲେଜ ଭାବେ ପରିଣତ କରିବାକୁ ମୋଦି ତାଙ୍କର ନିର୍ବାଚନୀ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲେ । ଆଉ ଜିତିବା ପରେ ତାଙ୍କ ପ୍ରଥମ ଗସ୍ତ ବେଳେ ଏନେଇ ଘୋଷଣା ବି କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଏ ଦିଗରେ ପାହୁଣ୍ଡେ ବି କଥା ଆଗେଇ ପାରିନାହିଁ । ସବୁଠାରୁ ପରିତାପର ବିଷୟ ଯେ , ଆଇଜିଏଚରେ ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମ ଖୋଲିବା ନେଇ ହୋଇଥିବା ଘୋଷଣାକୁ ବି ଜିଲ୍ଲାର ବିଜେପି ବିଧାୟକ ଏବଂ ସାଂସଦଙ୍କ ସମେତ କେନ୍ଦ୍ର ସରକାର ସଂପୂର୍ଣ ଭୁଲି ଯାଇଛନ୍ତି ।

ଏଭଳି ସ୍ଥିତିରେ କେନ୍ଦ୍ରର ଏଭଳି ମନୋଭାବକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ସେପଟେ , ରାଜ୍ୟ ସରକାର ଏନ୍‌ଟିପିସି ସହଭାଗିତାରେ ସୁନ୍ଦରଗଡ଼ରେ ମେଡିକାଲ କଲେଜ ସ୍ଥାପନ ନେଇ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ରାଜ୍ୟ ସରକାର ଏଥିପାଇଁ ୨୧ ଏକର ଜମି ହସ୍ତାନ୍ତର କରି ସାରିଥିବା ବେଳେ ନିଯୁକ୍ତି ପ୍ରକ୍ରିୟା ବି ଆରମ୍ଭ କରିସାରିଛନ୍ତି । ତଥାପି କେନ୍ଦ୍ର ସରକାର ସୁନ୍ଦରଗଡରେ ଏମସ ସ୍ଥାପନ ନେଇ ମୁହଁ ଖୋଲୁନଥିବା ବେଳେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଆରମ୍ଭ ହେବାକୁ ଥିବା ମେଡିକାଲ କଲେଜକୁ ଏମ୍ସରେ ରୂପାନ୍ତର କରିବାକୁ ବି ଆଗ୍ରହ ନ ଦେଖାଇବା ଚିନ୍ତାର କାରଣ ହେଲାଣି ।

ଉଲ୍ଲେଖଯୋଗ୍ୟ ଯେ , ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାରମ୍ବାର ପତ୍ର ପରେ ଭୁବନେଶ୍ବର ଏମସର ନିର୍ଦ୍ଦେଶିକାଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ୍ ଏମସ ସ୍ଥାପନ ନେଇ ଅନୁଧ୍ୟାନ କରି ଫେରିଥିଲେ । ଏଥିପାଇଁ ଆବଶ୍ୟକ ୨ ଶହ ଏକର ଜମି ସହ ଜିଲ୍ଲା ଖଣିଜ ପାଣ୍ଠିରୁ ଆବଶ୍ୟକ ଅର୍ଥ ଦେବାକୁ ବି ଜିଲ୍ଲା ନିଜ ଆଡୁ ପ୍ରସ୍ତାବ ଦେଇଥିଲା । ତଥାପି ଇତିମଧ୍ୟରେ ୫ ମାସ ବିତିଥିଲେ ମଧ୍ୟ କେନ୍ଦ୍ର ସରକାର ଏ ନେଇ ସଂପୂର୍ଣ୍ଣ ନିରବ ରହିଥିବା ସାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରକାଶ କରିଛନ୍ତି ।

ମୋଟାମୋଟି ଭାବେ ଏହି ପ୍ରସଙ୍ଗକୁ ନେଇ ସାରା ପଶ୍ଚିମ ଓଡିଶାରେ ଅସନ୍ତୋଷ ତେଜିବାରେ ଲାଗିଥିବା ବେଳେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ବେଳେ ଏହା ବିଜେପିକୁ ସାଂଘାତିକ ଅଡୁଆରେ ପକାଇବ ବୋଲି ଚର୍ଚ୍ଚା ହେଲାଣି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ସାଂସଦ ଜୁଏଲ ଓରାମ ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ଲୋକଙ୍କ ସାମ୍ନା କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚ ଘନେଇଲାଣି ।

Comments are closed.