କ୍ରୀଡା ଭିତ୍ତିଭୂମିକୁ ଆହୁରି ସୁଦୄଢ କରିବେ ରାଜ୍ୟ ସରକାର : ୮୯ ବହୁମୂଖୀ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ଆଜି ” ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ” ଯୋଜନାରେ ୮୯ ଗୋଟି ” ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହା ନିମନ୍ତେ ଟ.୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଅଛି ଏବଂ ଏହା ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବ । ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ।

ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଧାନ କେନ୍ଦ୍ରୀତ କରିଆସୁଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଅଛି । ୫ଟି କାର୍ଯ୍ୟସୁତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧ ଓ କ୍ରୀଡ଼ାବିତ୍ ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଅଛି ।

“ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ” ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ବିକାଶ ନିମନ୍ତେ ଉଦ୍ଦିଷ୍ଟ । ଏହି ପ୍ରକଳ୍ପ ଅଧନରେ ଅଣାନବେ ( ୮୯ ) ଗୋଟି ବହୁମୂଖୀ ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ କରିବା ନିମନ୍ତେ ଯୋଜନା କରାଯାଇଅଛି , ଯେଉଁଠି ବର୍ତ୍ତମାନ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ନାହିଁ ।

ଏହି ଇନ୍‌ଡୋର ଷ୍ଟାଡ଼ିୟମଗୁଡ଼ିକ ବହୁମୂଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ , ଟେବୁଲ ଟେନିସ୍‌ , ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଉକ୍ତ ଷ୍ଟାଡ଼ିୟମରେ ରହିବ । ଏହି ଆନ୍ତଃଗୃହ ଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନ୍‌ଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ । ଇନ୍‌ଡୋର ଷ୍ଟାଡ଼ିୟମଗୁଡ଼ିକ ଘଣ୍ଟାପ୍ରତି ୨୦୦ କି.ମି. ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ ଯଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ । ମହାମାରୀ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଷ୍ଟାଡ଼ିୟମଗୁଡ଼ିକ ୫୦ ଗୋଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଗୋଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । ଏହା ବାଦ୍ ତାଲିମ୍ ପ୍ରଦାନ , ସଭା ପରିଚାଳନା , ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡ଼ିୟମ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ।

ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରି ଦୃଢ଼ୀଭୁତ ହେବ ।

Comments are closed.