କୋଭିଡ ଟେଷ୍ଟିଂ କ୍ଷେତ୍ରରେ ବହୁ ବଡ ରାଜ୍ୟକୁ ପଛେରେ ଛାଡିଲା ଓଡିଶା, ଦେଶରେ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ

ଭୁବନେଶ୍ୱର: କୋରୋନା ବିରୋଧୀ ଲଢେଇରେ ଓଡିଶାକୁ ସଫଳତା । ମହାମାରୀ ନିୟନ୍ତ୍ରଣ ପାଇଁ ନମୁନା ପରୀକ୍ଷଣ କ୍ଷେତ୍ରରେ ଦେଶର ବଡ ବଡ ରାଜ୍ୟ ପ୍ରତି ଆଦର୍ଶ ପାଲଟିଛି ଓଡିଶା । ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ପ୍ରତିଦିନ ଅଧିକ ଟେଷ୍ଟିଂ ହେଉଥିବା ରାଜ୍ୟଗୁଡିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡିଶା । ଏ କ୍ଷେତ୍ରରେ ବହୁ ବଡ ବଡ ରାଜ୍ୟକୁ ପଛରେ ପକାଇଦେଇଛି ଓଡିଶା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ତୁଳନାତ୍ମକ ପରିସଂଖ୍ୟନ ଟ୍ୱିଟରେ ଏହା ଦର୍ଶାଯାଇଛି ।

କେନ୍ଦ୍ରର ସୂଚନା ଅନୁସାରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟା ପିଛା ଦିନକୁ ହେଉଥିବା କୋଭିଡ ଟେଷ୍ଟିଂରେ ଓଡିଶାର ସ୍ଥାନ ଦ୍ୱିତୀୟ । ରାଜ୍ୟରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦିନକୁ ୧ ହଜାର ୨୬୫ କୋଭିଡ ଟେଷ୍ଟ କରାଯାଉଛି, ଯାହା କି ଜାତୀୟ ଆଭରେଜଠାରୁ ଅଧିକ । ଭାରତରେ ଜାତୀୟ ଆଭରେଜ୍ ୫୮୦ ଥିବା ବେଳେ ଓଡିଶା ଏହାଠାରୁ ଯଥେଷ୍ଟ ଆଗରେ ରହିଛି । ଜାତୀୟ ଆଭରେଜଠାରୁ ଓଡିଶା ଅତିରିକ୍ତ ଭାବେ ୬୮୫ଟି ଅଧିକ ଟେଷ୍ଟ କରୁଛି ।

ମଧ୍ୟପ୍ରଦେଶ ଭଳି ବଡ ରାଜ୍ୟ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଦୈନିକ ମାତ୍ର ୨୪୪ ଟେଷ୍‌ଟିଂ କରୁଛି । ରାଜସ୍ଥାନ ୩୦୯, ପଶ୍ଚିମବଙ୍ଗ ୩୬୫, ବିହାର ୪୦୮, କେରଳ ୫୩୪, ପଂଜାବ ୫୪୬ ଓ ମହାରାଷ୍ଟ୍ର ଦିନକୁ ମାତ୍ର ୫୭୯ ଟେଷ୍ଟିଂ କରୁଛି । ଏପରିକି ଦିଲ୍ଲୀ, କର୍ନାଟକ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ଗୁଜରାଟ ମଧ୍ୟ ଓଡିଶାଠାରୁ ଖୁବ୍ ପଛରେ ଅଛନ୍ତି ।

ରାଜ୍ୟରେ ନବୀନ ସରକାର ଦୈନିକ ଟେଷ୍ଟିଂ ୫୦ ହଜାରକୁ ବୃଦ୍ଧି କରିଥିବା ବେଳେ ଏ କ୍ଷେତ୍ରରେ ଓଡିଶା , ଦେଶର ବଡ ବଡ ରାଜ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି ।

Comments are closed.