ଅଲିମ୍ପିକ୍ ଓ ବିଶ୍ୱକପ୍ ପଦକ ବିଜେତା ହକି ଖେଳାଳି ବରିନ୍ଦର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଅଲିମ୍ପିକ୍ ଏବଂ ବିଶ୍ୱକପ୍ ପଦକ ବିଜେତା ପୂର୍ବତନ ହକି ଖେଳାଳି ବରିନ୍ଦର ସିଂହଙ୍କ ମଙ୍ଗଳବାର ଜଲନ୍ଧରରେ ପରଲୋକ ହୋଇଯାଇଛି ।

୧୯୭୦ ଦଶକରେ ଭାରତର ଅନେକ ସ୍ମରଣୀୟ ବିଜୟର ଅଂଶ ହୋଇଥିବା ବରିନ୍ଦରଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

ବରିନ୍ଦର ୧୯୭୫ ମସିହାରେ କୁଆଲାଲମ୍ପୁରରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ୍‌ରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଏହା ଏପର୍ଯ୍ୟନ୍ତ ଭାରତର ଏକମାତ୍ର ସ୍ୱର୍ଣ୍ଣ ପଦକ | ୧୯୭୫ ବିଶ୍ବକପ୍ ଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨-୧ରେ ହରାଇଥିଲା ।

୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଏବଂ ୧୯୭୩ ମସିହାରେ ଆମଷ୍ଟରଡାମରେ ଅନୁଷ୍ଠିତ ବିଶ୍ୱକପ୍‌ ରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ମଧ୍ୟ ବରିନ୍ଦର ସିଂହ ସଦସ୍ୟ ଥିଲେ।

ଏହାଛଡ଼ା ବରିନ୍ଦର ଭାରତୀୟ ଦଳ ସହ ୧୯୭୪ ଏବଂ ୧୯୭୮ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ | ସେ ୧୯୭୫ ମଣ୍ଟ୍ରିଆଲ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳର ବି ପ୍ରତିନିଧିତ୍ଵ କରିଥିଲେ ।

୨୦୦୭ରେ ବରିନ୍ଦରଙ୍କୁ ସମ୍ମାନଜନକ ଧ୍ୟାନଚାନ୍ଦ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା |
ବରିନ୍ଦରଙ୍କ ଦେହାନ୍ତ ନେଇ ହକି ଇଣ୍ଡିଆ ଶୋକ ପ୍ରକାଶ କରିଛି ।

ହକି ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ ବରିନ୍ଦର ସିଂହଙ୍କ ଉପଲବ୍ଧିକୁ ବିଶ୍ୱ ହକି ସମ୍ପ୍ରଦାୟ ମନେ ରଖିବ ।

Comments are closed.