ଦୁଇ ସପ୍ତାହରେ ୩୮ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ୍, ‘ହୁ’ କହିଲା ଏଯାବତ୍ କୌଣସି ମୃତ୍ୟୁ ହୋଇନି

ଜେନେଭା: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ଧୀରେ ଧୀରେ ବିଶ୍ବର ଅନ୍ୟ ଦେଶମାନଙ୍କରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନାର ଏହି ନୂଆ ଭାରିଆଣ୍ଟ ୩୮ଟି ଦେଶକୁ ବ୍ୟାପିଥିବା ଜଣାପଡ଼ିଛି। ତେବେ ଓମିକ୍ରନ୍ ଯୋଗୁଁ ଏଯାବତ୍ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଏହି ଷ୍ଟ୍ରେନ୍ ର କିଛି ମାମଲା ରିପୋର୍ଟ କରାଯାଇଛି | କରୋନାର ଏହି ନୂଆ ପ୍ରଜାତି ଚିହ୍ନଟ ହେବାର ଇତିମଧ୍ୟରେ ପ୍ରାୟ ଦୁଇ ସପ୍ତାହ ବିତିଛି |

ଓମିକ୍ରନ୍ ସଂପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏହି ଭାରିଆଣ୍ଟ କେତେ ସଂକ୍ରାମକ ଓ ଏହା ଉପରେ ତାହା ନିର୍ଣ୍ଣୟ କରିବାକୁ ସପ୍ତାହେ ସମୟ ଲାଗିପାରେ। ଆସନ୍ତା କିଛି ମାସ ମଧ୍ୟରେ ଏହା ୟୁରୋପର ଅଧାରୁ ଅଧିକ କରୋନା ମାମଲାର କାରଣ ହୋଇପାରେ ବୋଲି ‘ହୁ’ ଚେତାବନୀ ଦେଇଛି।

ଆମେରିକାରେ ଏହି ଭାରିଆଣ୍ଟର ଦୁଇଟି ମାମଲା ପଞ୍ଜିକୃତ ହୋଇଛି | ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କହିଛି ଯେ ସିଡନୀରେ ତିନିଜଣ ଛାତ୍ର ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି। ନରୱେରେ ଅତି କମରେ ୧୩ ଜଣଙ୍କ ଠାରେ ଓମିକ୍ରନ୍ ଭାରିଆଣ୍ଟ ମିଳିଛି। ମାଲେସିଆରେ ନଭେମ୍ବର ୧୯ରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ବିଦେଶୀ ଛାତ୍ର ମଧ୍ୟ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା କୁହାଯାଇଛି | ସେହିପରି ଶ୍ରୀଲଙ୍କାରେ ମଧ୍ୟ ଏଭଳି ଏକ ମାମଲା ରିପୋର୍ଟ ହୋଇଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ |

Comments are closed.