ଭାରତରେ ମିଳିଲା ଓମିକ୍ରନ ସବ୍ ଭାରିଆଣ୍ଟ ବିଏ.୪ ଓ ବିଏ.୫ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନାର ଓମିକ୍ରନ୍ ଭାରିଆଣ୍ଟର ଦୁଇଟି ସବ୍ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଗୋଟିଏ ମାମଲା ତାମିଲନାଡୁରେ ଏବଂ ଅନ୍ୟଟି ତେଲେଙ୍ଗାନାରେ ରିପୋର୍ଟ ହୋଇଛି | ଭାରତୀୟ ସାର୍ସ-କୋଭ୍-୨ ସିକ୍ୱେନ୍ସିଂ ଆସୋସିଏସନ୍ (ଆଇଏନ୍ଏସ୍ଏସିଓଜି) ଏହା ସ୍ପଷ୍ଟ କରିଛି । ଆଇଏନ୍ଏସ୍ଏସିଓଜି ଏକ ବିବୃତ୍ତିରେ କହିଛି ଯେ ତାମିଲନାଡୁର ଜଣେ ମହିଳା ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୪ ରେ ସଂକ୍ରମିତ ହୋଇଛନ୍ତି ।

ବିବୃତ୍ତି ଅନୁଯାୟୀ, ମହିଳାଙ୍କର ସାମାନ୍ୟ ଲକ୍ଷଣ ରହଛି ଏବଂ ସେ କୋଭିଡ୍ ଟିକାର ଉଭୟ ଡୋଜ ନେଇଛନ୍ତି । ତାଙ୍କର ମଧ୍ୟ କୌଣସି ଭ୍ରମଣ ଇତିହାସ ନଥିଲା । ସୂଚନାନୁସାରେ, ତେଲେଙ୍ଗାନାର ଜଣେ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କର ନମୁନାରେ ବିଏ.୫ ଚିହ୍ନଟ ହୋଇଛି | ବୃଦ୍ଧ ବ୍ୟକ୍ତିଙ୍କର ସାମାନ୍ୟ ଲକ୍ଷଣ ରହିଛି ଏବଂ ସେ ମଧ୍ୟ ଟିକାର ଉଭୟ ଡୋଜ ନେଇଛନ୍ତି । ବୃଦ୍ଧ ଜଣକ ମଧ୍ୟ କୌଣସି ସ୍ଥାନକୁ ଯାତ୍ରା କରିନଥିଲେ |

ଓମିକ୍ରନର ଏହି ଦୁଇ ସବ୍ ଭାରିଆଣ୍ଟ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ମିଳିଥିଲା । ବର୍ତ୍ତମାନ ଅନ୍ୟାନ୍ୟ ଦେଶରୁ ମଧ୍ୟ ବିଏ.୪ ଏବଂ ବିଏ.୫ ମାମଲା ରିପୋର୍ଟ ହେଉଛି |

Comments are closed.