ଫିଫା ବିଶ୍ୱକପ ଫାଇନାଲ ପରେ କେରଳରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ଫ୍ୟାନଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ | News Room Odisha

ଫିଫା ବିଶ୍ୱକପ ଫାଇନାଲ ପରେ କେରଳରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ଫ୍ୟାନଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ

କୋଚି: ଫିଫା ବିଶ୍ୱକପ ୨୦୨୨ ରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ୍ ପରେ କେରଳର ବିଭିନ୍ନ ସ୍ଥାନରେ ହିଂସା ଘଟିଛି । କନ୍ନୁରରେ ଉଭୟ ଦଳର ଫ୍ୟାନ୍ ମାନଙ୍କ ମଧ୍ୟରେ ସଂଘର୍ଷ ଘଟି ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟପଟେ ରାଜ୍ୟର କୋଲାମରେ ଜଣେ ୧୭ ବର୍ଷୀୟ ବାଳକଙ୍କ ମୃତ୍ୟୁ ହୋଇଛି ।

ପୋଲିସର ସୂଚନାନୁସାରେ, ଫିଫା ବିଶ୍ୱକପ ମ୍ୟାଚରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ହରାଇବା ପରେ ଉଭୟ ଦଳର ଫ୍ୟାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଆର୍ଜେଣ୍ଟିନା ଦଳର ଫ୍ଯାନମାନେ ଫ୍ରାନ୍ସ ସମର୍ଥକଙ୍କୁ ଚିଡାଇବାରୁ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା । ପୋଲିସ କହିଛି ଯେ ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖାଯାଇଛି ।

କୋଚି ଏବଂ ଥିରୁବନନ୍ତପୁରମରେ ଦୁଇଟି ପୃଥକ୍ ଘଟଣାରେ ଆର୍ଜେଣ୍ଟିନାର ବିଜୟ ଉତ୍ସବ ପାଳନ କରୁଥିବା ପ୍ରଶଂସକଙ୍କୁ ନିୟନ୍ତ୍ରଣ କରୁଥିବାବେଳେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କୋଚିରେ ଜଣେ ସିଭିଲ୍ ପୋଲିସ୍ କର୍ମଚାରୀଙ୍କୁ ଭିଡ଼ ନିୟନ୍ତ୍ରଣ ବେଳେ ଆକ୍ରମଣ କରାଯାଇ ତାଙ୍କୁ ରାସ୍ତାରେ ଘୋଷାରି ନିଆଯାଇଥିଲା ବୋଲି ପୋଲିସ କହିଛି। ଏହି କାରଣରୁ ଟ୍ରାଫିକ ମଧ୍ୟ ବ୍ୟାହତ ହୋଇଥିଲା।

ଥିରୁବନନ୍ତପୁରମ୍ ନିକଟ ପୋଜିୟୁରରେ ଫାଇନାଲ୍ ମ୍ୟାଚ୍ ସ୍କ୍ରିନିଂ ହେଉଥିବା ସ୍ଥାନରେ ମଧ୍ୟ ଜଣେ ସବ୍ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରାଯାଇଥିଲା। ଦୁଇ ଜଣ ଯୁବକଙ୍କୁ ହଟାଇବା ସମୟରେ କନଷ୍ଟେବଳଙ୍କୁ ଆକ୍ରମଣ କରାଯାଇଥିଲା। ପୋଲିସ କହିଛି ଯେ କୋଲାମର ଏକ ସ୍ଥାନୀୟ ଷ୍ଟାଡିୟମରୁ ଆର୍ଜେଣ୍ଟିନା ପ୍ରଶଂସକଙ୍କ ଶୋଭାଯାତ୍ରା ସମୟରେ ଗାଡ଼ିରୁ ଖସି ଅକ୍ଷୟ କୁମାର ନାମକ ଜଣେ ୧୭ ବର୍ଷର ବାଳକଙ୍କର ମୃତ୍ୟୁ ଘଟିଛି।

ଅପରପକ୍ଷରେ ଫିଫା ବିଶ୍ୱକପରେ ଆର୍ଜେଣ୍ଟିନାକୁ ପରାସ୍ତ କରିବା ପରେ ଫ୍ରାନ୍ସରେ ମଧ୍ୟ ହିଂସା ହୋଇଥିଲା । ଫାଇନାଲ୍ ମ୍ୟାଚ୍ ପରେ ପ୍ୟାରିସ୍ ଏବଂ ଲିଅନରେ ଦଙ୍ଗା ଆରମ୍ଭ ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ଏବଂ ଓ୍ବାଟର କ୍ୟାନନ ବ୍ୟବହାର କରିଥିଲା।