କାଲିଫର୍ଣ୍ଣିଆ ଚର୍ଚ୍ଚରେ ଗୁଳିକାଣ୍ଡ, ଜଣେ ମୃତ, ପାଞ୍ଚ ଆହତ

ଓ୍ୱାଶିଂଟନ: ଆମେରିକାର ଏକ ଚର୍ଚ୍ଚରେ ଫୁଟିଛି ଗୁଳି । ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଘଟିଥିବା ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି । ଦେଶରେ ଲଗାତାର ଦ୍ବିତୀୟ ଦିନ ପାଇଁ ଏଭଳି ଘଟଣା ଘଟିଛି ।

ଅରେଞ୍ଜ କାଉଣ୍ଟି ଅଣ୍ଡର-ଶେରିଫ୍ ଜେଫ୍ ହାଲକ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଲୋକ ଆକ୍ରମଣକାରୀଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଗୁଳିକାଣ୍ଡ ସମୟରେ ଚର୍ଚ୍ଚରେ ପ୍ରାୟ ୩୦ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ତାଇଓ୍ବାନ ମୂଳର ଥିଲେ ବୋଲି କୁହାଯାଇଛି ।

ଅପରାହ୍ନ ପ୍ରାୟ ୨ ଟା ସମୟରେ ଏହି ଆକ୍ରମଣ ସମ୍ପର୍କରେ ପୋଲିସ ସୂଚନା ଦେଇଥିଲା। ବର୍ତ୍ତମାନ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।

ଏହାପୂର୍ବରୁ ଶନିବାର ନ୍ୟୁୟର୍କର ଏକ ସୁପରମାର୍କଟରେ ଜଣେ ଯୁବକର ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ କୃଷ୍ଣକାୟ ଲୋକ ଥିଲେ। ଆକ୍ରମଣକାରୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା।

Comments are closed.