ଚାଟ୍‌ଜିପିଟି ନିର୍ମାତା ‘ଓପନ୍ଏଆଇ’ର ମୁଖ୍ଯ ସାମ୍ ଅଲ୍ଟମ୍ୟାନ୍ ବରଖାସ୍ତ, ଟେକ୍ ଜଗତ ଚକିତ

ୱାଶିଂଟନ୍: ଚାଟ୍‌ଜିପିଟି ଭଳି ଆପ୍ ଲଞ୍ଚ କରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ‘ଓପନ୍ଏଆଇ’ କମ୍ପାନୀ ଏହାର ପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ଟମ୍ୟାନଙ୍କୁ ବରଖାସ୍ତ କରିଛି । କମ୍ପାନୀ ଏକ ବିବୃତିରେ କହିଛି, ଅଲ୍ଟମ୍ୟାନଙ୍କ ନେତୃତ୍ୱ ଉପରେ ଆମେ ବିଶ୍ବାସ ହରାଇଛୁ । ଅଲ୍ଟମ୍ୟାନଙ୍କ ବରଖାସ୍ତ ପ୍ରତିବାଦରେ ସହ ପ୍ରତିଷ୍ଠାତା ଗ୍ରେଗ୍ ବ୍ରୋକମ୍ୟାନ୍ ବି କମ୍ପାନୀରୁ ଇସ୍ତଫା ଦେଇଛନ୍ତି ।

୨୦୨୨ରେ ଚାଟ୍‌ଜିପିଟି ଲଞ୍ଚ କରି ୩୮ ବର୍ଷୀୟ ଅଲ୍ଟମ୍ୟାନ୍ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିଲେ | ଅତି କମ୍ ସମୟ ମଧ୍ୟରେ ଚାଟ୍‌ଜିପିଟି ଲୋକପ୍ରିୟ ହୋଇପାରିଥିଲା | ଚାଟ୍‌ଜିପିଟି କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ଚାଟ୍‌ବଟ୍ ଯାହା କିଛି ସେକେଣ୍ଡ ମଧ୍ୟରେ ପ୍ରାୟ ସବୁ ବିଷୟ ସମ୍ପର୍କିତ ଉତ୍ତର ଦେଇପାରିବ ।

ଚାଟ୍‌ଜିପିଟି ତିଆରି କରିଥିବା ‘ଓପନ୍ଏଆଇ’ର ପ୍ରତିଷ୍ଠାତା ଅଲ୍ଟମ୍ୟାନଙ୍କ ବରଖାସ୍ତ ସମଗ୍ର ଟେକ୍ନୋଲୋଜି ଜଗତକୁ ଆଶ୍ଚର୍ଯ୍ୟ କରିଛି। ତାଙ୍କୁ ଅଚାନକ ବରଖାସ୍ତ କରିବାର କାରଣ କ’ଣ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଓପନ୍ଏଆଇ ବୋର୍ଡ ଏକ ବିବୃତ୍ତିରେ କହିଛି ଯେ ସୁଚିନ୍ତିତ ସମୀକ୍ଷା ପ୍ରକ୍ରିୟା ପରେ ଅଲ୍ଟମ୍ୟାନଙ୍କୁ ତାଙ୍କ ପଦରୁ ହଟାଯାଇଛି।

ବିବୃତ୍ତିରେ କୁହାଯାଇଛି ଯେ ‘ ଓପନ୍ଏଆଇକୁ ଆଗେଇ ନେବାକୁ ତାଙ୍କ ଦକ୍ଷତା ଉପରେ ବୋର୍ଡର ଆଉ ଭରସା ନାହିଁ।

ସେପଟେ ‘ଏକ୍ସ’ରେ ରେ କରିଥିବା ଏକ ପୋଷ୍ଟରେ ଅଲ୍ଟମ୍ୟାନ୍ କହିଛନ୍ତି, ସେ ଓପନ୍ଏଆଇରେ ତାଙ୍କ ସମୟକୁ ଉପଭୋଗ କରିଛନ୍ତି। ଏହା ବ୍ୟକ୍ତିଗତ ଭାବେ ମୋ ପାଇଁ ପରିବର୍ତ୍ତନଶୀଳ ଥିଲା । ଆଶା କରୁଛି ବିଶ୍ବ ପାଇଁ ବି ଏପରି ଟିକିଏ ଅନୁଭୂତି ହୋଇଥିବ। ’ପରବର୍ତ୍ତୀ ସମୟରେ କ’ଣ ହେବ ସେ ବିଷୟରେ ତାଙ୍କୁ ଅଧିକ କିଛି କହିବାକୁ ପଡ଼ିବ ବୋଲି ଅଲ୍ଟମ୍ୟାନ୍ କହିଛନ୍ତି।

Comments are closed.