ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ବିରୋଧୀଙ୍କ ଆକ୍ରମଣ, କହିଲେ ନିର୍ବାଚନ ଆୟୋଗକୁ ଦୁର୍ବଳ କରୁଛି ବିଜେପି 

ନୂଆଦିଲ୍ଲୀ: ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ଏବଂ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ତାଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ ମାଗିବା ପରେ ପ୍ରମୁଖ ବିରୋଧୀ ଦଳ ଗୁଡିକ ବିଜେପିକୁ ଟାର୍ଗେଟ କରିଛନ୍ତି । ବିରୋଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରର ବିଜେପି ସରକାର ନିର୍ବାଚନ ଆୟୋଗକୁ ଦୁର୍ବଳ କରୁଛନ୍ତି । ନିର୍ବାଚନ କମିଶନରଙ୍କ ଚୟନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ଦଳମତ ନିର୍ବିଶେଷରେ ଊର୍ଦ୍ଧ୍ବରେ ରହିବା ଉଚିତ ବୋଲି କଂଗ୍ରେସ, ଟିଏମସି, ଜେଡିୟୁ, ଆରଜେଡି ଏବଂ ବାମ ଦଳ କହିଛନ୍ତି। କିଛି ଦଳ କହିଛନ୍ତି ଯେ ନିର୍ବାଚନ ଆୟୋଗରେ ମୁଖ୍ୟଙ୍କ ନିଯୁକ୍ତି ଏକ ସ୍ୱତନ୍ତ୍ର ପ୍ୟାନେଲ ଦ୍ୱାରା କରାଯିବା ଉଚିତ। କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ଗୋଏଲଙ୍କ ନିଯୁକ୍ତି ସମ୍ବନ୍ଧୀୟ କାଗଜପତ୍ର ଦେଖାଇବାରେ କେନ୍ଦ୍ର ସରକାର କୌଣସି ଆପତ୍ତି ପ୍ରକାଶ କରିବା କଥା ନୁହେଁ ।

ସେହିପରି ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି ଯେ ଏହା ସର୍ବଦା ଆମର ଦାବି ରହିଛି ଯେ ନିର୍ବାଚନ କମିଶନରଙ୍କ ଚୟନ ପ୍ରକ୍ରିୟା ମଧ୍ୟ ସିବିଆଇ ନିର୍ଦ୍ଦେଶକ ଏବଂ ଲୋକପାଳ ନିଯୁକ୍ତି ପ୍ରକ୍ରିୟା ଭଳି ହେବା ଉଚିତ୍। ଆରଜେଡି ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ମନୋଜ ଝା କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟ କରିଥିବା ଟିପ୍ପଣୀ ଏହାର ପ୍ରମାଣ ଯେ ଦୀର୍ଘ ଦିନ ଧରି ଆମେ ଯାହା କହୁଛୁ ତାହା ଠିକ୍। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ଧାରା ୩୨୪ ଅନୁଯାୟୀ ଏହାର ଦାୟିତ୍ବକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରୁନାହିଁ। ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାଏନ୍ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାର ନିର୍ବାଚନ ଆୟୋଗକୁ ଦୁର୍ବଳ କରି ଦେଇଛନ୍ତି।

Comments are closed.