ଆଜିଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଦଳଙ୍କ ୧୧ ଦିନିଆ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ପେଗାସସ୍ ଠାରୁ ଆରମ୍ଭ କରି ଦରଦାମ୍ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗ ନେଇ ଆଜିଠାରୁ ୧୯ଟି ବିରୋଧୀ ଦଳ କେନ୍ଦ୍ରର ବିଜେପି ସରକାର ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବେ। ବାରୋଧୀଙ୍କ ଏହି ପ୍ରଦର୍ଶନ ଆଗାମୀ ୧୧ ଦିନ ଅର୍ଥାତ୍ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ | ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଡାକିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା।

ସୋନିଆଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୨୦ ରେ ହୋଇଥିବା ଭର୍ଚୁଆଲ୍ ବୈଠକରେ ବିରୋଧୀ ଦଳ ମଧ୍ୟରେ ଏକମତ ହୋଇଥିଲା ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପିକୁ ପରାସ୍ତ କରିବାକୁ ଏକତା ପ୍ରଦର୍ଶନ କରିବାକୁ ପଡିବ। ଏହି ଦଳର ନେତାମାନେ ମଧ୍ୟ କେନ୍ଦ୍ର ସମ୍ମୁଖରେ ୧୧ଟି ଦାବି ରଖିଥିଲେ। ବୈଠକ ପରେ ସେପ୍ଟେମ୍ବର ୨୦ରୁ ୩୦ ମଧ୍ୟରେ ୧୯ଟି ବିରୋଧୀ ଦଳ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବେ ବୋଲି ମିଳିତ ବିବୃତ୍ତିରେ କୁହାଯାଇଛି।

ପେଗାସସ୍ ମାମଲାରେ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ତଦନ୍ତ କରିବା, ତିନୋଟି କୃଷି ଆଇନକୁ ରଦ୍ଦ କରିବା, ଦରଦାମ୍ ବୃଦ୍ଧି ରୋକିବା ଏବଂ ଜାମ୍ମୁ କାଶ୍ମୀରର ପୂର୍ଣ୍ଣ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ ବିରୋଧୀ ଦଳ ଦାବି କରିଥିଲେ। ଆୟକର ପରିପ୍ରେକ୍ଷୀରେ ଥିବା ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ସହାୟତା ଦିଆଯାଉ ଏବଂ ମାଗଣାରେ ଖାଦ୍ୟ ଶସ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉ ବୋଲି ବିରୋଧୀଦଳ ଦାବି କରିଛନ୍ତି।
ବିରୋଧୀ ଦଳ କହିଛନ୍ତି ଯେ ପେଟ୍ରୋଲିୟମ ଉତ୍ପାଦ, ରନ୍ଧନ ଗ୍ୟାସ, ଖାଇବା ତେଲ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ମୂଲ୍ୟ ହ୍ରାସ କରାଯିବା ଉଚିତ। କୃଷକ ବିରୋଧୀ ସମସ୍ତ ତିନୋଟି ଆଇନକୁ ରଦ୍ଦ କରାଯିବା ଉଚିତ ଏବଂ ଏମଏସପି ନିଶ୍ଚିତ ହେବା ଉଚିତ। ଏହାଛଡ଼ା ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ ଆଇନ ରଦ୍ଦ କରାଯିବା ସହ ଶ୍ରମିକ ଶ୍ରେଣୀର ଅଧିକାର ପୁନର୍ବାହାଲ କରିବାକୁ ସେମାନେ ଦାବି କରିଛନ୍ତି।

Comments are closed.