ସାଂସଦ ପଦ ଗଲା, ଏବେ ରାହୁଲ ଗାନ୍ଧୀଙ୍କ ପାଖରେ କ’ଣ ରହିଛି ବିକଳ୍ପ ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ମାମଲାରେ ସୁରଟର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି। ଶୁକ୍ରବାର ଲୋକସଭା ସଚିବାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା କୋର୍ଟ ରାୟ ପ୍ରକାଶ ପାଇବା ଦିନ ଠାରୁ ଅର୍ଥାତ ୨୩ ମାର୍ଚ୍ଚ, ୨୦୨୩ରୁ ରଦ୍ଦ କରାଯାଇଛି ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି ।

ରାହୁଲ କେରଳର ୱାୟାନାଡରୁ ଲୋକସଭା ସାଂସଦ ଥିଲେ। ରାହୁଲଙ୍କ ସଂସଦ ପଦ ରଦ୍ଦ ନେଇ ଲୋକସଭା ସଚିବାଳୟର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏବେ ୱାୟାନାଡ ଆସନ ପାଇଁ ନିର୍ବାଚନ କମିଶନ ଉପନିର୍ବାଚନ ଘୋଷଣା କରିପାରନ୍ତି। ଏହାଛଡ଼ା ସାଂସଦ ଭାବେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ମଧ୍ୟ ରାହୁଲଙ୍କୁ କୁହାଯାଇପାରେ।

ଯେଉଁ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତାହା ୪ ବର୍ଷ ପୁରୁଣା। ୨୦୧୯ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ରାଲିରେ ରାହୁଲ କହିଥିଲେ ଯେ “ସବୁ ଚୋର ମୋଦୀ ସାଙ୍ଗିଆଧାରୀ କାହିଁକି ହୋଇଥାନ୍ତି।” ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଆକ୍ଷେପ କରି ରାହୁଲ ଗାନ୍ଧୀ ଏପରି କହିଥିଲେ । ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଳାତକ ଲଳିତ ମୋଦୀ ଓ ନିରବ ମୋଦୀ ସହ ତୁଳନା କରିଥିଲେ । ଏପରି ମନ୍ତବ୍ୟ ପାଇଁ ରାହୁଲଙ୍କ ବିରୋଧରେ ବିଜେପି ନେତା ତଥା ସୁରଟ ପଶ୍ଚିମର ତତ୍କାଳୀନ ବିଧାୟକ ପୂର୍ଣ୍ଣେଶ ମୋଦୀ ମାନହାନି ମାମଲା ଦାୟର କରିଥିଲେ । ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଆମ ଜାତିର ଭାବନାକୁ ଆଘାତ ଦେଇଛି ବୋଲି ପୂର୍ଣ୍ଣେଶ ମୋଦୀ ଅଭିଯୋଗ କରିଥିଲେ।

ଚଳିତ ବର୍ଷ ମାର୍ଚ୍ଚ ୧୭ରେ ସୁରଟ ଜିଲ୍ଲା କୋର୍ଟ ଏହି ମାମଲାର ଶୁଣାଣି ଶେଷ କରିଥିଲେ ଏବଂ ରାୟ ସଂରକ୍ଷିତ ରଖିଥିଲେ। କୋର୍ଟ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଏହି ରାୟ ବିରୋଧରେ ହାଇକୋର୍ଟରେ ଅପିଲ କରିବା ପାଇଁ କୋର୍ଟ ରାହୁଲଙ୍କୁ ୩୦ ଦିନ ସମୟ ଦେବା ସହ ତାଙ୍କୁ ଜାମିନ ବି ପ୍ରଦାନ କରିଥିଲେ।

ସୁରଟ କୋର୍ଟ ଦଣ୍ଡ ଘୋଷଣା କରିବା ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇପାରେ ବୋଲି ଆଇନ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଥିଲେ । ଲୋକ ପ୍ରତିନିଧୀ ଆଇନ, ୧୯୫୧ର ଧାରା ୮ (୩) ଅନୁଯାୟୀ, କୌଣସି ଅପରାଧିକ ମାମଲାରେ ଯଦି ଜଣେ ସାଂସଦ ଦୋଷୀ ସାବ୍ୟସ୍ତ ହୁଅନ୍ତି ଓ ତାଙ୍କୁ ଅତି କମରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୁଏ, ତେବେ ତାଙ୍କ ସାଂସଦ ପଦ ରଦ୍ଦ ହେବ ।

ସଂସଦ ପଦ ଫେରିପାଇବା ପାଇଁ ରାହୁଲଙ୍କ ପାଖରେ ଏବେ ଅନେକ ବିକଳ୍ପ ଅଛି । ତଳକୋର୍ଟ ରାୟ ବିରୋଧରେ ରାହୁଲ ଗାନ୍ଧୀ ହାଇକୋର୍ଟରେ ଆବେଦନ କରିବେ ବୋଲି କଂଗ୍ରେସ ସ୍ପଷ୍ଟ କରିସାରଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ତଳକୋର୍ଟ ରାୟକୁ ହାଇକୋର୍ଟ ରଦ୍ଦ କରନ୍ତି, ତେବେ ରାହୁଲ ପୁଣି ସଂସଦ ସଦସ୍ୟତା ଫେରିପାଇବେ । ଯଦି ହାଇକୋର୍ଟ ତଳକୋର୍ଟ ଆଦେଶକୁ କାଏମ ରଖନ୍ତି, ତେବେ ରାହୁଲ ଗାନ୍ଧୀ ୮ ବର୍ଷ ଯାଏଁ ନିର୍ବାଚନ ଲଢ଼ି ପାରିବେ ନାହିଁ । ଯଦି ହାଇକୋର୍ଟ ଆବେଦନ ଗ୍ରହଣ ନ କରନ୍ତି, ତେବେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ।

ଅନ୍ୟପକ୍ଷରେ ଲୋକସଭା ସଚିବାଳୟର ବିଜ୍ଞପ୍ତି ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ କହିଛି ଯେ ରାଷ୍ଟ୍ରପତି ଓ ନିର୍ବାଚନ ଆୟୋଗଙ୍କ ସହ ପରାମର୍ଶ ଆଧାରରେ ହିଁ ଜଣେ ସାଂସଦଙ୍କ ସଦସ୍ୟତା ରଦ୍ଦ କରାଯାଇ ପାରିବ ।

Comments are closed.