ଭଙ୍ଗ ହେଲା ପାକିସ୍ତାନ ସଂସଦ, ପ୍ରଧାନମନ୍ତ୍ରୀ ଶହାବାଜଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ଅନୁମୋଦନ | News Room Odisha

ଭଙ୍ଗ ହେଲା ପାକିସ୍ତାନ ସଂସଦ, ପ୍ରଧାନମନ୍ତ୍ରୀ ଶହାବାଜଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଇସଲାମାବାଦ: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ବୁଧବାର ହଠାତ୍ ବିଳମ୍ବିତ ରାତିରେ ସଂସଦ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି। ସମ୍ବିଧାନର ଧାରା ୫୮ ଅନୁଯାୟୀ ସଂସଦ ଭଙ୍ଗ ହୋଇଛି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଆସନ୍ତା ତିନି ମାସ ମଧ୍ୟରେ ଦେଶରେ ନିର୍ବାଚନ ହେବା ସମ୍ଭାବନା ରହିଛି।

ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଆରିଫ ଅଲଭି ବୁଧବାର ପାଞ୍ଚ ବର୍ଷର ସାମ୍ବିଧାନିକ କାର୍ଯ୍ୟକାଳ ସମାପ୍ତ ହେବାର ତିନି ଦିନ ପୂର୍ବରୁ ସଂସଦର ନିମ୍ନ ସଦନ ‘ନ୍ୟାସନାଲ ଆସେମ୍ଲି’କୁ ଭଙ୍ଗ କରିଛନ୍ତି।

‘ନ୍ୟାସନାଲ ଆସେମ୍ଲି’ ଭଙ୍ଗ କରିବାକୁ ସୁପାରିସ କରି ଶହାବାଜ ସରିଫ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ପାକିସ୍ତାନ ମୁସଲିମ ଲିଗ୍-ନୱାଜ ନେତୃତ୍ୱାଧୀନ ମେଣ୍ଟ ସରକାର ଆଉ ଦୁଇ ଦିନ କ୍ଷମତାରେ ରହିପାରିଥାନ୍ତେ । କିନ୍ତୁ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଦଳ ‘ପିଟିଆଇ’ର ପୂର୍ବତନ ନେତା ତଥା ରାଷ୍ଟ୍ରପତି ଅଲଭି ନିମ୍ନ ସଦନକୁ ତୁରନ୍ତ ଭଙ୍ଗ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ମନା କରି ଦେଇପାରନ୍ତି ବୋଲି ଆଶଙ୍କାରେ ପ୍ରଧାନମନ୍ତ୍ରୀ ଶରିଫ ଏପରି ସୁପାରିସ କରିଥିଲେ ।

‘ନ୍ୟାସନାଲ ଆସେମ୍ଲି’ ଭଙ୍ଗ କରିବାକୁ ରାଷ୍ଟ୍ରପତି ଅଲଭି ତୁରନ୍ତ ବିଜ୍ଞପ୍ତି ପ୍ରକାଶ କରିପାରନ୍ତି କିମ୍ବା ଏହାକୁ ୪୮ ଘଣ୍ଟା ବିଳମ୍ବ କରିପାରିବେ। ‘ନ୍ୟାସନାଲ ଆସେମ୍ଲି’କୁ ଆଗୁଆ ଭଙ୍ଗ କରାଗଲେ ପାକିସ୍ତାନର ନିର୍ବାଚନ ଆୟୋଗ ୯୦ ଦିନ ମଧ୍ୟରେ ନିର୍ବାଚନ କରିବେ। ଅନ୍ୟପକ୍ଷରେ, ଯଦି ‘ନ୍ୟାସନାଲ ଆସେମ୍ଲି’ ଏହାର ସାମ୍ବିଧାନିକ କାର୍ଯ୍ୟକାଳ ଶେଷ କରିଥାନ୍ତା, ତେବେ ୬୦ ଦିନ ମଧ୍ୟରେ ନିର୍ବାଚନ ହୋଇଥାନ୍ତା।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟ ବିରୋଧୀ ଦଳର ନେତା ଇମ୍ରାନ ଖାନ ନିର୍ବାଚନ ଲଢ଼ିବେ କି ନାହିଁ। ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ବର୍ତ୍ତମାନ ଜେଲରେ ଅଛନ୍ତି। ତୋଷଖାନା ଦୁର୍ନୀତି ମାମଲାରେ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏହି ମାମଲାରେ ପାକିସ୍ତାନ ନିର୍ବାଚନ ଆୟୋଗ ତାଙ୍କୁ ପାଞ୍ଚ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ବାସନ୍ଦ କରିଛନ୍ତି ।