ଭାରତ ପରେ କୋଭିଡ୍ ମୃତ୍ୟୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟକୁ ପାକିସ୍ତାନର ପ୍ରତ୍ୟାଖ୍ୟାନ

ଇସଲାମାବାଦ: ଦେଶରେ କୋଭିଡ-୧୯ କାରଣରୁ ମୃତ୍ୟୁ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ରିପୋର୍ଟକୁ ପାକିସ୍ତାନ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ତଥ୍ୟ ସଂଗ୍ରହ ପାଇଁ ‘ହୁ’ର ପଦ୍ଧତି ଉପରେ ମଧ୍ୟ ପାକିସ୍ତାନ ସରକାର ପ୍ରଶ୍ନ କରିଛନ୍ତି। ମୃତ୍ୟୁ ସଂଖ୍ୟା ସଂଗ୍ରହ ପାଇଁ ‘ହୁ’ ବ୍ୟବହାର କରୁଥିବା ସଫ୍ଟୱେୟାରରେ ତ୍ରୁଟି ଥିବା ଆଶଙ୍କା କରିଛନ୍ତି ପାକିସ୍ତାନ ସରକାର ।

ନିକଟରେ ଜାରି ‘ହୁ’ ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ କୋଭିଡ ଯୋଗୁଁ ୨,୬୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ସରକାରୀ ତଥ୍ୟ ଅନୁଯାୟୀ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୩୦,୩୬୯ ଥିଲା।

‘ହୁ’ର ଦାବିକୁ ଖଣ୍ଡନ କରି ପାକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ କଦିର ପଟେଲ କହିଛନ୍ତି ଯେ କୋଭିଡ୍ ମୃତ୍ୟୁ ବିଷୟରେ ଆମେ ‘ମ୍ୟାନୁଆଲି’ ତଥ୍ୟ ସଂଗ୍ରହ କରୁଛୁ, କିଛି ପାର୍ଥକ୍ୟ ଥାଇପାରେ କିନ୍ତୁ ‘ହୁ’ ରିପୋର୍ଟରେ ଉଲ୍ଲେଖ ଥିବା ମୃତ୍ୟୁସଂଖ୍ୟା ବିଶ୍ୱସନୀୟ ନୁହେଁ। ‘ହୁ’ର ଦାବି ସଂପୂର୍ଣ୍ଣ ଭିତ୍ତିହୀନ |

କୋଭିଡ୍ ମୃତ୍ୟୁ ନେଇ ‘ହୁ’ ନିକଟରେ ଏକ ନୂଆ ରିପୋର୍ଟ ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ ଦୁଇ ବର୍ଷ ମଧ୍ୟରେ ଦକ୍ଷିଣ-ପୂର୍ବ ଏସିଆ, ୟୁରୋପ ଏବଂ ଆମେରିକାରେ ଅଧିକ କରୋନା ମୃତ୍ୟୁ ରେକର୍ଡ କରାଯାଇଛି । ଭାରତରେ ସର୍ବାଧିକ ୪୭ ଲକ୍ଷ କରୋନା ଯୋଗୁଁ ପ୍ରାଣ ହରାଇଥିବା ‘ହୁ’ ଦାବି କରିଥିଲା । ଏହି ସଂଖ୍ୟା ସରକାରୀ ତଥ୍ୟ ଠାରୁ ୧୦ ଗୁଣ ଅଧିକ ଥିଲା । ‘ହୁ’ର ଏପରି ଦାବିକୁ ଭରତ ସରକାର ଅସ୍ବୀକାର କରିଥିଲେ ଏବଂ କୋଭିଡ୍ ମୃତ୍ୟୁ ପାଇଁ ‘ହୁ’ ବ୍ୟବହାର କରିଥିବା ମଡେଲ୍ ଉପରେ ପ୍ରଶ୍ନ ଉଠାଇଥିଲେ ।

Comments are closed.