ଜୟଲଳିତା ମୃତ୍ୟୁ ମାମଲା: ସହଯୋଗୀ ଶଶିକଳାଙ୍କୁ ଦାୟୀ‌ କଲେ ତଦନ୍ତ କମିଶନ, ଅଧିକ ଯାଞ୍ଚ ପାଇଁ ସୁପାରିସ

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଗଠିତ ଅରୁମୁଗାସ୍ବାମୀ କମିଶନ ରିପୋର୍ଟକୁ ତାମିଲନାଡୁ ସରକାର ମଙ୍ଗଳବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଜଷ୍ଟିସ ଏ.ଅରୁମୁଗାସ୍ବାମୀ କମିଶନ ନିଜ ଶେଷ ବକ୍ତବ୍ୟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କୁ ଦାୟୀ କରିଛନ୍ତି ଏବଂ ତାଙ୍କ ଭୂମିକା ନେଇ ତଦନ୍ତ ହେବା ଉଚିତ୍ ବୋଲି କହିଛନ୍ତି । କମିଶନ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳାଙ୍କ ବ୍ୟତୀତ ଡ଼. ଏସ୍ ଶିବକୁମାର (ଜୟଲଳିତାଙ୍କ ବ୍ୟକ୍ତିଗତ ଚିକିତ୍ସକ ତଥା ଶଶିକଳାଙ୍କ ସମ୍ପର୍କୀୟ), ପୂର୍ବତନ ସ୍ୱାସ୍ଥ୍ୟ ସଚିବ ରାଧାକ୍ରିଷ୍ଣନ୍ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟଭାସ୍କକରଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରି ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ଜୟଲଳିତାଙ୍କ ରହସ୍ୟମୟ ଚିକିତ୍ସା ତଥା ମୃତ୍ୟୁ ଘଟଣାର ତଦନ୍ତ ପାଇଁ ତତ୍କାଳୀନ ଇକେ ପଲାନିସ୍ବାମୀ ସରକାର ଜଷ୍ଟିସ ଅରୁମୁଗାସ୍ବାମୀଙ୍କ ନେତୃତ୍ୱରେ ଏକ ତଦନ୍ତ କମିଶନ ଗଠନ କରିଥିଲେ। ଅରୁମୁଗାସ୍ବାମୀ କମିଶନ ରିପୋର୍ଟରେ ଆପୋଲୋ ହସ୍ପିଟାଲର ଏକ ବିବୃତ୍ତି ଉଲ୍ଲେଖ କରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କର ୫ ଡିସେମ୍ବର ୨୦୧୬ ରାତି ୧୧.୩୦ରେ ମୃତ୍ୟୁ ହୋଇଥିଲା | ତେବେ କିଛି ସାକ୍ଷୀଙ୍କ କହିବାନୁଯାୟୀ ଜୟଲଳିତାଙ୍କ ମୃତ୍ୟୁ ୪ ଡିସେମ୍ବର ୨୦୧୬ରେ ଅପରାହ୍ନ ୩ ରୁ ୩.୫୦ ମଧ୍ୟରେ ହୋଇଥିଲା ​​। ଜୟଲଳିତାଙ୍କ ଦେହାନ୍ତ ନେଇ ସରକାରୀ ଘୋଷଣାରେ ବିଳମ୍ବ ହୋଇଥିଲା ବୋଲି ତଦନ୍ତ କମିଶନ ନିଜ ରିପୋର୍ଟରେ କହିଛନ୍ତି ।

୨୨ ସେପ୍ଟେମ୍ବର ୨୦୧୬ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ତାଙ୍କୁ ଦିଆଯାଇଥିବା ଚିକିତ୍ସା ବିଷୟରେ ଅଗଷ୍ଟ ୨୦୨୨ରେ କ୍ୟାବିନେଟ୍ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଏହାର ଦୁଇ ଦିନ ପରେ ଜଷ୍ଟିସ୍ ଏ ଅରୁମୁଗାସ୍ବାମୀ ତାଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ପ୍ରଦାନ କରିଥିଲେ। ମଙ୍ଗଳବାର ତାମିଲନାଡୁ ବିଧାନସଭା ସମ୍ମୁଖରେ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରାଯାଇଛି। ଜୟଲଳିତାଙ୍କର ୫ ଡିସେମ୍ବର ୨୦୧୬ରେ ପରଲୋକ ହୋଇଥିଲା | ଜୟଲଳିତାଙ୍କ ରହସ୍ୟମୟ ମୃତ୍ୟୁର ତଦନ୍ତ ପାଇଁ ଗତ ଏଆଇଏମଡିକେ ସରକାର ଦ୍ୱାରା ଗଠିତ ଅରୁମୁଗାସ୍ବାମୀ କମିଶନ ୨୨ ନଭେମ୍ବର ୨୦୧୭ରେ ଶୁଣାଣି ଆରମ୍ଭ କରିଥିଲେ। କମିଶନର ମୁଖ୍ୟ ହେଉଛନ୍ତି ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁମୁଗାସ୍ବାମୀ ।

Comments are closed.