ପଞ୍ଚମ ଟେଷ୍ଟ: ବିପର୍ଯ୍ୟୟରୁ ଉଦ୍ଧାର କଲେ ପନ୍ତ-ଜାଡେଜା, ଭାରତ ୩୩୮/୭

ବର୍ମିଂହମ: ୱିକେଟକିପର ବ୍ୟାଟର ରିଷଭ ପନ୍ତଙ୍କ ଧମାକାଦାର ଶତକ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସହ ତାଙ୍କର ଦ୍ବିଶତକୀୟ ଭାଗିଦାରୀ ବଳରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚରେ ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟରୁ ମୁକୁଳି ସ୍ଥିତି ସୁଦୃଢ କରିନେଇଛି । ଦୁହେଁ ଆକ୍ରମଣାତ୍ମକ ବ୍ୟାଟିଂ ସହ ଇଂଲିଶ ବୋଲରଙ୍କ ରଣନୀତି ପଣ୍ଡ କରିଛନ୍ତି। ପନ୍ତ ମାତ୍ର ୧୧୧ଟି ବ୍ଲକରେ ୧୯ଟି ଚୌକା ଓ ୪ଟି ଛକା ସହ ୧୪୬ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ । ଏହା ତାଙ୍କ କ୍ୟାରିୟରର ପଞ୍ଚମ ଟେଷ୍ଟ ଶତକ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ତାର ପ୍ରଥମ ଇନିଂସରେ ୭ ୱିକେଟ ବିନିମୟରେ ୩୩୮ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରବୀନ୍ଦ୍ର ଜାଡେଜା ୮୩ ଓ ମହମ୍ମଦ ସାମି ବିନା ରନରେ ବ୍ୟାଟିଂ କରୁଛନ୍ତି।

ପୂର୍ବରୁ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ଭାରତକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲେ। ଅଧିନାୟକଙ୍କ ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦିତ କରି ଜେମ୍ସ ଆଣ୍ଡରସନଏବଂ ମାଥ୍ୟୁ ପଟ୍ସ ଭାରତର ବିପର୍ଯ୍ୟୟ ଘଟାଇଥିଲେ। ଶୁବମନ ଗିଲ ୧୬, ଚେତେଶ୍ଵର ପୂଜାରା ୧୩, ହନୁମା ବିହାରୀ ୨୦, ବିରାଟ କୋହଲି ୧୧ ଓ ଶ୍ରେୟାସ ଆୟାର ୧୫ ରନରେ ଆଉଟ ହୋଇଥିଲେ । ଏହି ସମୟରେ ଭାରତ ୯୮ ରନରେ ୫ ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।

ଏହାପରେ ପନ୍ତ ଓ ଜାଡେଜା କ୍ରିଜରେ ଏକାଠି ହୋଇଥିଲେ। ଗୋଟିଏ ପଟେ ପନ୍ତ ଦୃଢ଼ତାର ସହ ଖେଳୁଥିବାବେଳେ ଅନ୍ୟପଟେ ଜାଡେଜା ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ । ଏହି ଯୋଡି ଷଷ୍ଠ ୱିକେଟରେ ୨୨୨ ରନର ପାର୍ଟନରସିପ୍ କରି ଦଳୀୟ ସ୍କୋର ୩୦୦ ଅତିକ୍ରମ କରାଇଥିଲେ। ପନ୍ତ କ୍ୟାରିୟରର ପଞ୍ଚମ ଶତକ ସହ ୨୦୦୦ ରନ ପୂରଣ କରିଛନ୍ତି । ସେ ଆଉଟ ହେବା ପୂର୍ବରୁ ୧୪୬ ରନର ଯୋଗଦାନ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ସର୍ବାଧିକ ୩ଟି ୱିକେଟ ନେଇଛନ୍ତି।

Comments are closed.