ତୃତୀୟ ଟେଷ୍ଟ: ପନ୍ତଙ୍କ ଲଢୁଆ ଶତକ, ବିଜୟରୁ ୮ ଓ୍ବିକେଟ୍ ଦୂରରେ ଭାରତ

କେପ୍ ଟାଉନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍ ନିର୍ଣ୍ଣାୟକ ତୃତୀୟ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି । ରିଷଭ ପନ୍ତଙ୍କ ଲଢୁଆ ତଥା ଅପରାଜିତ ଶତକ ବଳରେ ଭାରତ ଘରୋଇ ଦଳ ଆଗରେ ୨୧୨ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି । ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ ୧୦୧ ରନ୍ କରିଛି । ଦ୍ୱିତୀୟ ଟେଷ୍ଟରେ ଭାରତ ହାତରୁ ବିଜୟ ଛଡ଼ାଇ ନେଇଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍ ଏଲଗାରଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଭାରତ ମୁହଁରେ ସ୍ମିତହାସ୍ୟ ଫୁଟାଇଛନ୍ତି । ହେଲେ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ସିରିଜ ବିଜୟ ପାଇଁ ଭାରତକୁ ଆହୁରି ୮ ୱିକେଟ୍ ଦରକାର । ଦକ୍ଷିଣ ଆଫ୍ରିକା ଆବଶ୍ୟକ ଆଉ ୧୧୧ ରନ୍ । ପୂରା ସିରିଜରେ ବୋଲର ଭାରତକୁ ଅନେକ ସୁଯୋଗ ଦେଇଛନ୍ତି । ଏବେ ପୁଣିଥରେ ଏହି ନିର୍ଣ୍ଣାୟକ ମ୍ୟାଚରେ ଭାରତ ନିଜ ବୋଲର, ବିଶେଷକରି ପେସ୍ ବାହିନୀର ଭରସାରେ ରହିଛି ।

୨୧୨ ରନର ବିଜୟଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକା ଓପନର ଏଡେନ ମାର୍କରମଙ୍କ ସହ ଅଧିନାୟକ ଏଲଗାରଙ୍କ ୱିକେଟ୍ ହରାଇଛି । ତେବେ କିଗାନ୍ ପିଟରସନ୍ ପୁଣିଥରେ ଭାରତ ପଥରେ ପ୍ରତିବନ୍ଧକ ସାଜିଛନ୍ତି । ପ୍ରଥମ ଇନିଂସରେ ନିଜ ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଥିବା ପିଟରସନ୍ ଷ୍ଟମ୍ପ ଅପସାରଣ ବେଳକୁ ୪୮ ରନ୍ କରି ଅପରାଜି ରହିଛନ୍ତି । ଏହା ପୂର୍ବରୁ ମାର୍କରମ (୧୬)ଙ୍କୁ ଆଉଟ୍ କରି ମହମ୍ମଦ ସାମି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ପିଟରସନ ଓ ଏଲଗାର ଦ୍ୱିତୀୟ ୱିକେଟରେ ୭୮ ରନ୍ ଯୋଗକରି ଦଳୀୟ ସ୍ଥିତି ସୁଦୃଢ କରିଥିଲେ । ହେଲେ ଦିନର ଶେଷ ଓଭରରେ ଏଲଗାରଙ୍କୁ ଆଉଟ୍ କରି ବୁମରା ଏହି ଯୋଡ଼ି ଭାଙ୍ଗିଥିଲେ ।

ପୂର୍ବରୁ ଭାରତର ସିନିୟର ବ୍ୟାଟ୍‌ସମ୍ୟାନ୍ ପୁଣି ଫେଲ୍ ମାରିଥିବା ବେଳେ ପନ୍ତ ଏକାକୀ ଲଢ଼ିଥିଲେ । ପନ୍ତଙ୍କ ଶତକ ସତ୍ତ୍ୱେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଏଥିମଧ୍ୟରୁ ପନ୍ତ ହିଁ ୧୦୦ ରନ୍ କରିଥିଲେ । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏହା ତାଙ୍କର ଚତୁର୍ଥ ଟେଷ୍ଟ ଶତକ ଥିଲା । ତାଙ୍କର ଏହି ଇନିଂସରେ ୬ଟି ଚୌକା ଓ ୪ଟି ଚୌକା ସାମିଲ ଥିଲା । ପନ୍ତଙ୍କ ବ୍ୟତୀତ ଭାରତୀୟ ଇନିଂସରେ କେବଳ ଅଧିନାୟକ ବିରାଟ କୋହଲି (୨୯) ଓ କେଏଲ ରାହୁଲ (୧୦) ହିଁ ଦୁଇଅଙ୍କ ଛୁଇଁବାକୁ ସମର୍ଥ ହୋଇଥିଲେ ।

ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ପାଳିରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ୭୯ ରନର ଇନିଂସ୍ ଖେଳିଥିବା କ୍ୟାପଟେନ୍ ବିରାଟ୍ କୋହଲି ଧୀମା ବ୍ୟାଟିଂ କରି ମାତ୍ର ୨୯ ରନରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଲୁଙ୍ଗି ଏନଗିଡି ଆଉଟ୍ କରିଥିଲେ। ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୯) ଓ ଆଉଟ୍ ଅଫ୍ ଫର୍ମ ଅଜିଙ୍କ୍ୟ ରାହାଣେ (୧) ପୁଣି ଫେଲ୍ ମାରିଥିଲେ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପନ୍ତ ଏକାକୀ ଭାରତ ପାଇଁ ଲଢ଼ିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ। ପନ୍ତ ୧୩୩ ବଲରେ ନିଜର ଚତୁର୍ଥ ଟେଷ୍ଟ ଶତକ ପୂରଣ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଏହା ତାଙ୍କର ପ୍ରଥମ ଶତକ। ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୭), ଶାର୍ଦ୍ଦୁଲ ଠାକୁର (୫), ଉମେଶ ଯାଦବ (୦), ମହମ୍ମଦ ଶାମି (୦), ଯଶପ୍ରୀତ ବୁମ୍ରା (୨) ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା ଓ ଏନଗିଡି ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Comments are closed.