ଉତ୍ତରକାଶୀ ଟନେଲ୍ ଦୁର୍ଘଟଣା: ସୁଡ଼ଙ୍ଗ ଭିତରେ ରହିଯାଇଥିବା ଅଗର ମେସିନ୍ ଅଂଶକୁ ବାହାର କରାଗଲା

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲକ୍ୟାରା ଟନେଲ୍ ଭିତରେ ଗତ ୧୫ ଦିନ ଧରି ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଏକ ବଡ଼ ସଫଳତା ମିଳିଛି | ଆମେରିକୀୟ ଅଗର୍ ମେସିନର ଯେଉଁ ଏକ ବଡ଼ ଅଂଶ ଟନେଲ ଖୋଳିବା ସମୟରେ ମାଟିପଥର ଭିତରେ ରହିଯାଇଥିଲା, ଏହାକୁ ପ୍ଲାଜମା କଟର ସାହାଯ୍ୟରେ ବାହାର କରାଯାଇଛି। ଫଳରେ ଏବେ ହ୍ୟାଣ୍ଡ ଡ୍ରିଲିଂ ଆରମ୍ଭ ହୋଇପାରିବ । ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ କହିବା ଅନୁସାରେ ଆଜି ଅପରାହ୍ନ ୧୨.୩୦ରୁ ହ୍ୟାଣ୍ଡ ଡ୍ରିଲିଂ ଆରମ୍ଭ ହେବ ।

ଶ୍ରମିକମାନେ ଫସିଥିବା ସ୍ଥାନରେ ପହଞ୍ଚିବା ପାଇଁ ଆଉ ମାତ୍ର ୧୦ ରୁ ୧୨ ମିଟର ଖୋଳିବାକୁ ବାକିଥିବା ବେଳେ ଶୁକ୍ରବାର ଅଗର ମେସିନର ଆଗ ଭାଗ ବ୍ଲେଡ୍ ଆଗରେ ବଡ଼ କଂକ୍ରିଟ ଆସିବାରୁ ଏହା ଭାଙ୍ଗିଯାଇଥିଲା । ଏହି କାରଣରୁ ଖନନ କାର୍ଯ୍ୟ ବନ୍ଦ ରଖିବାକୁ ପଡ଼ିଥିଲା।

ଅନ୍ୟପକ୍ଷରେ ଗତକାଲି ଠାରୁ ଟନେଲ୍ ଉପରେ ପାହାଡ଼ରେ ଆରମ୍ଭ ହୋଇଥିବା ଭର୍ଟିକାଲ୍ ଡ୍ରିଲିଂ ବା ଭୂଲମ୍ବ ଖନନ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମହମୁଦ ଅହମ୍ମଦଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୧୯.୨ ମିଟର ଭୂଲମ୍ବ ଡ୍ରିଲିଂ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଓ ସତର୍କତାର ସହ କରାଯାଉଛି |

ସିଲକ୍ୟାରା ଟନେଲ ନିକଟରେ ରବିବାର ଏକ କାର୍ ଓ ଏକ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ସୀମା ସଡକ ସଂଗଠନ (ବିଆରଓ) ଦୁଇ ଅଧିକାରୀ ଆହତ ହୋଇଛନ୍ତି। ଟନେଲଠାରୁ ଅଧ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି। ଯେତେବେଳେ ବିଆରଓ ଅଧିକାରୀମାନେ ସେମାନଙ୍କ ସରକାରୀ ଗାଡିରେ ଟନେଲ ନିକଟକୁ ଯାଉଥିଲେ, ଏହି ଦୁର୍ଘଟଣା ଘଟିଥିଲା | ଆହତ ଅଧିକାରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ପ୍ରଥମ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି।

Comments are closed.