ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଉଦଘାଟିତ ହେବାର ୫ ଦିନ ମଧ୍ୟରେ ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ | News Room Odisha

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଉଦଘାଟିତ ହେବାର ୫ ଦିନ ମଧ୍ୟରେ ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟନ ହେବାର ମାତ୍ର ୫ ଦିନ ମଧ୍ୟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ବର୍ଷା ଯୋଗୁଁ ଧସିଯାଇଛି । ବର୍ଷା ଯୋଗୁଁ ଏକ୍ସପ୍ରେସୱେର ବିଭିନ୍ନ ସ୍ଥାନରେ ରାସ୍ତା ଧସିବା ସହ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି। ୧୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୬ରେ ଜାଲୌନ ଜିଲ୍ଲା କୈଠାରୀ ଠାରେ ବଡ଼ ଆଡ଼ମ୍ବରରେ ଉଦଘାଟନ କରିଥିଲେ। ଧାର୍ଯ୍ୟ ୩୬ ମାସ ବଦଳରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ କାର୍ଯ୍ୟ ମାତ୍ର ୨୮ ମାସରେ ସରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିଜ ସରକାରକୁ ଶ୍ରେୟ ଦେଇଥିଲେ । କିନ୍ତୁ ସାମାନ୍ୟ ବର୍ଷାରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଧସିବା ପରେ ନିମ୍ନମାନର କାର୍ଯ୍ୟ ହୋଇଥିବା ସ୍ପଷ୍ଟ ହୋଇଛି । ଏନେଇ ବିରୋଧୀ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ବର୍ଷାରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଧସିବା କାରଣରୁ ଅନେକ ଛୋଟବଡ଼ ମଧ୍ୟ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି | ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେ ଚିତ୍ରକୋଟର ଭରତକପରୁ ଆରମ୍ଭ ହୋଇ ଏଟାୱାର କୁଡ୍ରେଲରେ ମିଶିଛି |

ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ କିଲୋମିଟର କ୍ରମିକ ନମ୍ବର ୧୯୫ର ଛିରିୟା ସାଲେମପୁର ନିକଟରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ଗତକାଲି ରାତିରେ ଦୁଇଟି କାର ଏବଂ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀମାନେ ଏହାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ଭାଇରାଲ ମଧ୍ୟ କରିଥିଲେ। ଏହା ବ୍ୟତୀତ ଅରୟା ଜିଲ୍ଲାର ଅଜିତମଲ ନିକଟରେ ମଧ୍ୟ ଏକ୍ସପ୍ରେସୱେ ଧସିଯାଇଛି। ଉଦଘାଟନ ମାତ୍ର ୫ ଦିନ ପରେ ଏକ୍ସପ୍ରେସ ୱେ ଭୁଶୁଡ଼ିବା କାରଣରୁ ଏହାର ଗୁଣବତ୍ତା ଉପରେ ଅନେକ ପ୍ରଶ୍ନ ଉଠିଛି।