‘ବୋଧହୁଏ ପେଲେଙ୍କ ପାଇଁ ଆବିଷ୍କାର ହୋଇଥିଲା ଫୁଟବଲ’

ଲେଖକ : ବିଜନ କୁମାର ମହାପାତ୍ର

ବର୍ଷ ଶେଷରେ ସାରାବିଶ୍ୱର କ୍ରୀଡାପ୍ରେମୀଙ୍କୁ ଦୁଃଖ ଦେଇଗଲେ ଫୁଟବଲ କିମ୍ବଦନ୍ତୀ ପେଲେ । କର୍କଟ ସହ ସଂଗ୍ରାମରେ ହାରି ୮୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଫୁଟବଲର ସର୍ବକାଳୀନ ମହାନ ଖେଳାଳି । ନିଜର ମୂଲ୍ୟବାନ ରତ୍ନ ହରାଇଛି ଫୁଟବଲ ଜଗତ । କୁହାଯାଏ, ପେଲେଙ୍କ ଯୋଗୁଁ ଫୁଟବଲ ସୁନ୍ଦର ଖେଳର ଆଖ୍ୟା ପାଇଥିଲା । ଜଣେ ଯୋଗଜନ୍ମା , ବିଚକ୍ଷଣ ପ୍ରତିଭାଙ୍କ କ୍ଷେତ୍ରରେ ହିଁ ଏଭଳି କଥା କୁହାଯାଇପାରେ, ଯାହା କି କୌଣସିମତେ ଅତିରଞ୍ଜିତ ନୁହେଁ । ‘‘ବୋଧହୁଏ ଫୁଟବଲ ଖେଳ ପେଲେଙ୍କ ପାଇଁ ହିଁ ଆବିଷ୍କାର ହୋଇଛି । ’’- ବ୍ଲାକ ପର୍ଲ ଭାବେ ପରିଚିତ ପେଲେଙ୍କ ଖେଳରେ ପ୍ରଭାବିତ ହୋଇ ଇଂଲଣ୍ଡର ପ୍ରଖ୍ୟାତ ଖେଳାଳି ବବି ଚାର୍ଲଟନ ଦିନେ ଏହି ମନ୍ତବ୍ୟ ଦେଇଥିଲେ । ଫୁଟବଲ ପଡିଆରେ ବିଦ୍ୟୁତ ବେଗର ଗତି ସହ କଳାତ୍ମକ ଓ ସଠିକ ବଲକୁ ଗୋଲପୋଷ୍ଟ ଭିତରକୁ ପଠାଇବାର ଭିନ୍ନ ଶୈଳୀ ଯୋଗୁଁ ହିଁ ପେଲେଙ୍କୁ ମହାନ ଖେଳାଳି କରିଥିଲା । ପେଲେଙ୍କ ଖେଳରେ ଥିଲା କିଛି ଅଲଗା ଆକର୍ଷଣ , ଅଭିନବ ସୁନ୍ଦରତା । ପେଲେଙ୍କ ଭଳି ଯୋଗଜନ୍ମା ପ୍ରତିଭା ଏହି ଧରାପୃଷ୍ଠରେ କେବଳ ଥରେ ମାତ୍ର ଜନ୍ମ ନିଅନ୍ତି । ପେଲେ ଥିଲେ ଶ୍ରେଷ୍ଠଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ । କିନ୍ତୁ ସେ କେବେ ବି ନିଜକୁ ଶ୍ରେଷ୍ଠ ଫୁଟବଲର ଭାବେ ଦାବି କରିନଥିଲେ । କିନ୍ତୁ ପଡିଆରେ ପେଲେଙ୍କ ଯାଦୁ ତାଙ୍କୁ ଫୁଟବଲର ଗ୍ଲୋବାଲ ଆଇକନରେ ପରିଣତ କରିଥିଲା ।

ବ୍ରାଜିଲର ଦକ୍ଷିଣ-ପୂର୍ବ ସହର ଟ୍ରେସ୍ କାରୋକୋଏସରେ ୧୯୪୦ ମସିହା ଅକ୍ଟୋବର ୨୩ ତାରିଖରେ ଏକ ଗରିବ ପରିବାରରେ ଭୂମିଷ୍ଠ ହୁଅନ୍ତି ଏଡସନ ଆରାଂଟେସ୍ ଡୋ ନାସିମେଂଟୋ । ବିଦ୍ୟୁତ ଶକ୍ତିର ଉଦ୍ଭାବକ ଥୋମାସ ଆଲଭା ଏଡିସନଙ୍କ ନାଁରେ ତାଙ୍କର ନାମକରଣ କରାଯାଇଥିଲା । ସେ ଜନ୍ମ ହେବାର ଦୁଇ ବର୍ଷ ପୂର୍ବରୁ ତାଙ୍କ ଘରେ ବିଦ୍ୟୁତ ଆଲୋକ ଜଳିଥିଲା । ଆଉ ଏଥିପାଇଁ ତାଙ୍କ ନାଁରେ ଏଡିସନ ଯୋଡାଯାଇଥିଲା ବୋଲି ଖୋଦ୍ ପେଲେ କହିଥିଲେ । ପରେ ତାଙ୍କ ନାଁରୁ ‘ଆଇ’ ବାଦ୍ ଦେଇଥିଲେ ବାପାମାଆ । ସ୍କୁଲରେ ସାଙ୍ଗମାନେ ତାଙ୍କୁ ପ୍ରଥମ ଥର ପାଇଁ ‘ପେଲେ’ ନାଁରେ ଡାକିଥିଲେ । ସେ କିନ୍ତୁ ଏହି ଡାକନାମକୁ ପସନ୍ଦ କରୁ ନଥିଲେ । କିନ୍ତୁ ଏହି ନାଁରେ ହିଁ ସେ ବିଶ୍ୱ ବିଖ୍ୟାତ ହେଲେ ।

ଗରିବ ପରିବାରରେ ଜନ୍ମିତ ପେଲେଙ୍କ ପିଲା ଦିନ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ । ପରିବାରର ଖର୍ଚ୍ଚ ତୁଲାଇବା ପାଇଁ ସ୍ଥାନ ବାଉରୁ ସହରରେ କାଫେରେ ପାର୍ଟଟାଇମ କାମ କରିଥିଲେ ପେଲେ । ପିତାଙ୍କଠାରୁ ସେ ଫୁଟବଲ ଶିଖିଥିଲେ । ପିତା ହିଁ ଥିଲେ ତାଙ୍କର ପ୍ରଥମ କୋଚ୍ । କିନ୍ତୁ ପେଲେଙ୍କ ପାଇଁ ବଲଟିଏ କିଣିବା ପାଇଁ ଅସମର୍ଥ ଥିଲେ ପରିବାର । ଚିରା ମୋଜା ଗୁଡାଇ ସାହିବସ୍ତିରେ ଗଡାଇ ଗଡାଇ ଖେଳୁଥିଲେ ପେଲେ । କିଶୋର ଅବସ୍ଥାରେ ଏକାଧିକ ଅଣପେଷାଦାର କ୍ଲବ ପାଇଁ ଫୁଟବଲ ଖେଳିଥିଲେ ପେଲେ । ପେଲେଙ୍କ ଫୁଟବଲ ପ୍ରତିଭା ତାଙ୍କ କୋଚ୍ ୱାଲଡିମାର ଡି ବ୍ରିଟୋଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତାଙ୍କ ଶିଷ୍ୟ ଦିନେ ବିଶ୍ୱର ଶ୍ରେଷ୍ଠ ଫୁଟବଲର ହେବେ, ଏହି ବିଶ୍ୱାସ ରଖିଥିଲେ କୋଚ୍ ବ୍ରିଟୋ । ୧୯୫୬ ମସିହାରେ ବ୍ରିଟୋ ପେଲେଙ୍କୁ ସେତେବେଳର ଅଗ୍ରଣୀ ପେଷାଦାର ଫୁଟବଲ କ୍ଲବ ସାଟୋଂସ ପକ୍ଷରୁ ଖେଳିବା ପାଇଁ ନେଇଥିଲେ । ପ୍ରତିଭାବନ ପେଲେଙ୍କୁ ସୁଯୋଗ ଦେବା ପାଇଁ କ୍ଲବର ନିର୍ଦ୍ଦେଶକଙ୍କୁ ମନାଇବାରେ ସଫଳ ହୋଇଥିଲେ କୋଚ ବ୍ରିଟୋ । ଅତି କମ୍ ସମୟ ମଧ୍ୟରେ ନିଜର ଫୁଟବଲ ଦକ୍ଷତା ବଳରେ ସାଟୋଂସ କ୍ଲବକୁ ପ୍ରଭାବିତ କରିବାରେ ସଫଳ ହୋଇଥିଲେ ପେଲେ । ୧୯୫୬ ମସିହା ଜୁନ ମାସରେ ତାଙ୍କୁ କ୍ଲବ ପକ୍ଷରୁ ଖେଳିବା ପାଇଁ ଚୁକ୍ତିବଦ୍ଧ କରାଯାଇଥିଲା । ସେତେବେଳେ ପେଲେଙ୍କ ବୟସ ଥିଲା ମାତ୍ର ୧୫ । ଏତେ ଅଳ୍ପ ବୟସରେ ସାଟୋଂସ କ୍ଲବ ପାଇଁ ଚୁକ୍ତିବଦ୍ଧ ହେବା ଥିଲା ପେଲେଙ୍କ ଘଟଣାବହୁ ୨୧ ବର୍ଷର ଫୁଟବଲ କ୍ୟାରିଅରର ପ୍ରଥମ ସଫଳତା । ବର୍ଷକ ପରେ ପେଲେ ସାଟୋଂସ ସିନିଅର ଟିମ୍ ପାଇଁ ଖେଳିବା ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚରେ ହିଁ ସେ ଗୋଲ୍ ସ୍କୋର କରିଥିଲେ । ପେଷାଦାର ଖେଳାଳି ଭାବେ ସାଟୋଂସ କ୍ଲବର ସିନିଅର ଟିମ ପକ୍ଷରୁ ଖେଳିବାର ମାତ୍ର ୧୦ ମାସ ପରେ ହିଁ ବ୍ରାଜିଲର ଜାତୀୟ ଦଳ ପାଇଁ ତାଙ୍କୁ ଡାକରା ଆସିଥିଲା । ରିଓର ପ୍ରସିଦ୍ଧ ମାରାକାନା ଷ୍ଟାଡିୟମରେ ଆର୍ଜେଟିଂନା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ ଥିଲା ପେଲେଙ୍କ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ । ବ୍ରାଜିଲ ୨-୧ରେ ମ୍ୟାଚ ହାରିଥିଲା । ବ୍ରାଜିଲର ଗୋଲ ସ୍କୋର କରିଥିଲେ ୧୬ ବର୍ଷିୟ ପେଲେ ।

୧୯୫୮ ବିଶ୍ୱକପ ଫୁଟବଲ ପାଇଁ ବ୍ରାଜିଲ ଦଳରେ ପେଲେ ସ୍ଥାନ ପାଇବା ନିଶ୍ଚିତ ଥିଲା । କିନ୍ତୁ ଆଣ୍ଠୁରେ ଆଘାତ ଯୋଗୁଁ ମଉଳି ଯାଇଥିଲା ପେଲେଙ୍କ ବିଶ୍ୱକପ ଖେଳିଆ ଆଶା । କିନ୍ତୁ ସାଥୀ ଖେଳାଳିମାନେ ପେଲେଙ୍କୁ ବିଶ୍ୱକପ ଦଳରେ ସ୍ଥାନ ଦେ୍‌ବା ପାଇଁ ଟିମ୍ ମ୍ୟାନେଜମ୍ୟାଂଟ ଉପରେ ଚାପ ପ୍ରୟୋଗ କରି ସଫଳ ହୋଇଥିଲେ । ୧୯୫୮ ମସିହା ସୁଇଡେନ ବିଶ୍ୱକପ୍ ପାଇଁ ବ୍ରାଜିଲ ବିଶ୍ୱକପ୍ ଦଳରେ ସ୍ଥାନ ପାଇଥିଲେ ପେଲେ । ତତ୍କାଳୀନ ସୋଭିଏତ ସଂଘ ବିପକ୍ଷ ମ୍ୟାଚ ଥିଲା ୧୭ ବର୍ଷିୟ ପେଲେଙ୍କ ବିଶ୍ୱକପର ପଦାର୍ପଣ ମ୍ୟାଚ୍ । ବିଶ୍ୱକପର ନକଆଉଟ୍ ପର୍ଯ୍ୟାୟରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିଲେ ପେଲେ । ୱେଲସ ବିପକ୍ଷ କ୍ୱାର୍ଟର ଫାଇନାଲରେ ସେ ବ୍ରାଜିଲର ବିଜୟସୂଚକ ଏକମାତ୍ର ଗୋଲ୍ ସ୍କୋର କରିଥିଲେ । ଫ୍ରାନଓ ବିପକ୍ଷ ସେମିଫାଇନାଲରେ ସେ ହ୍ୟାଟ୍ରିକ ହାସଲ କରିଥିଲେ । ଫାଇନାଲରେ ଆୟୋଜକ ସୁଇଡେନ ବିପକ୍ଷରେ ଦୁଇଟି ଗୋଲ୍ ସ୍କୋର କରିଥିଲେ ପେଲେ । ୫-୨ ଗୋଲରେ ଜିତି ବ୍ରାଜିଲ ପ୍ରଥମ ଥର ହୋଇଥିଲା ବିଶ୍ୱ ଚାମ୍ପିଅନ । ଆଉ ୧୭ ବର୍ଷିୟ ପେଲେଙ୍କ ଅବଦାନ ଥିଲା ଉଲ୍ଲେଖନୀୟ । ଏହି ବିଶ୍ୱକପ ପରେ ପେଲେଙ୍କୁ ଜଣେ ଫୁଟବଲ ଜିନିୟସ ଭାବେ ସ୍ୱୀକୃତି ଦେଇଥିଲା ବିଶ୍ୱ । ତାଙ୍କ ଯାଦୁକରୀ ଖେଳରେ ସମସ୍ତଙ୍କୁ ରୋମାଚିଂତ କରିଥିଲା, ଦେଇଥିଲା ଅସରନ୍ତି ଆନନ୍ଦ ।

୧୯୬୨ ମସିହା ବିଶ୍ୱକପର ପ୍ରଥମ ମ୍ୟାଚରେ ଆହତ ହେବା ଯୋଗୁଁ ସେ ଅବଶିଷ୍ଟ ମ୍ୟାଚ ଖେଳି ପାରିନଥିଲେ । କିନ୍ତୁ ବ୍ରାଜିଲ ହୋଇଥିଲା ବିଶ୍ୱବିଜେତା । ଦ୍ୱିତୀୟ ଥର ପାଇଁ ଏକ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିଲେ ପେଲେ । ଦିନକୁ ଦିନ ବଢିବାରେ ଲାଗଥିିଲା ପେଲେଙ୍କ ଲୋକପ୍ରିୟତା । ମହାନ ଫୁଟବଲ ଖେଳାଳି ଭାବେ ସେ ସ୍ୱୀକୃତ ହୋଇସାରିଥିଲେ । ପେଲେଙ୍କ ଖେଳରେ ପ୍ରଭାବିତ ହୋଇ ତାଙ୍କୁ ମାଂଚେଷ୍ଟର ୟୁନାଇଟେଡ୍ ଓ ରିୟଲ ମାଦ୍ରିଦ ଭଳି ୟୁରୋପର ଖ୍ୟାତନାମା କ୍ଲବ ଚୁକ୍ତିବଦ୍ଧ କରିବାକୁ ଚାହିଁଥିଲେ । କିନ୍ତୁ ତତ୍କାଳୀନ ବ୍ରାଜିଲ ସରକାର ଚାହୁଁ ନଥଲେ ଯେ, ପେଲେ ବିଦେଶରେ ଯାଇ ଖେଳନ୍ତୁ । ଏଥିପାଇଁ ତାଙ୍କୁ ବ୍ରାଜିଲର ‘ନ୍ୟାସନାଲ ଟ୍ରେଜର’ ଭାବେ ଘୋଷଣା କରିଥିଲେ ସରକାର । ବ୍ରାଜିଲ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ୟୁରୋପୀୟ କ୍ଲବ ପାଇଁ ଖେଳିବା ପେଲେଙ୍କ ପକ୍ଷେ ସମ୍ଭବ ନଥିଲା ।

୧୯୬୬ ମସିହା ବିଶ୍ୱକପରେ ପେଲେଙ୍କୁ ବିପକ୍ଷ ଦଳର ଖେଳାଳିମାନେ ଟାର୍ଗେଟ କରିଥିଲେ । ବିଶେଷ କରି ପର୍ତ୍ତୁଗାଲ ଓ ବୁଲଗାରିଆ ବିପକ୍ଷ ମ୍ୟାଚରେ ପେଲେ ଫାଉଲିଂର ଶୀକାର ହୋଇଥିଲେ । ଏଥିଯୋଗୁଁ ଆହତ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ବ୍ରାଜିଲ ମଧ୍ୟ କ୍ୱାର୍ଟରରୁ ବିଦାୟ ନେଇଥିଲା ।

୧୯୭୦ ବିଶ୍ୱକପ ପୂର୍ବରୁ ପେଲେଙ୍କ ବୟସ ଥିଲା ୨୯ ବର୍ଷ । ସେ ଏହି ବୟସରେ ବ୍ରାଜିଲ ପାଇଁ ଆଉ ଏକ ବିଶ୍ୱକପ୍ ଖେଳିବାକୁ କୁଣ୍ଠାବୋଧ କରିଥିଲେ । ସେତେବେଳେ ବ୍ରାଜିଲର ତତ୍କାଳୀନ ସାମରିକ ଏକଛତ୍ରବାଦୀ ସରକାର ପେଲେଙ୍କୁ ଜଣେ ବାମପନ୍ଥୀ ସମର୍ଥକ ଭାବେ ସନ୍ଦେହ କରି ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିଥିଲେ । ଏସବୁ କାରଣରୁ ୧୯୭୦ ମସିହା ବିଶ୍ୱକପ ଖେଳିବା ପାଇଁ ଟିକେ ଅନିଚ୍ଛୁକ ଥିଲେ ପେଲେ । କିନ୍ତୁ ତାଙ୍କୁ ବ୍ରାଜିଲର ୧୯୭୦ ମସିହା ବିଶ୍ୱକପ ଦଳରେ ସ୍ଥାନ ମିଳିଥିଲା । ବୟସ ତୁଳନାରେ ଚମତ୍କାର ପ୍ରଦର୍ଶନ କରିଥିଲେ ପେଲେ । ଫାଇନାଲରେ ବ୍ରାଜିଲ ଇଟାଲୀକୁ ୪-୧ ଗୋଲରେ ପରାସ୍ତ କରି ତୃତୀୟ ଥର ପାଇଁ ହୋଇଥିଲା ବିଶ୍ୱ ଚାମ୍ପିଅନ । ବ୍ରାଜିଲର ପ୍ରଥମ ଗୋଲ୍ ସ୍କୋର କରିଥିଲେ ପେଲେ । ଏଥିସହ ତିନି ତିନି ଥର ବିଶ୍ୱକପ୍ ଜିତିବାରେ ପେଲେ ହୋଇଥିଲେ ପ୍ରଥମ ଖେଳାଳି । ଆଉ ଏହି ରେକର୍ଡ ଅତୁଟ ରହିଛି । ୧୯୭୦ ବିଶ୍ୱକପ୍ ଥିଲା ପେଲେଙ୍କ ଶେଷ ବିଶ୍ୱକପ୍ ।

୧୯୭୧ ମସିହା ଜୁଲାଇ ୧୮ ତାରିଖରେ ବ୍ରାଜିଲ ପାଇଁ ପେଲେ ଖେଳିଥିଲେ ନିଜର ଶେଷ ଆନ୍ତର୍ଜାତିକ ମ୍ୟାଚ । ରିଓରେ ଯୁଗୋସ୍ଲୋଭିଆ ବିପକ୍ଷରେ ମ୍ୟାଚ ଖେଳି ଆନ୍ତର୍ଜାତିକ କ୍ୟାରିଅର ଶେଷ କରିଥିଲେ କିମ୍ବଦନ୍ତୀ ଫୁଟବଲର । ବ୍ରାଜିଲ ପାଇଁ ମୋଟ ୯୨ଟି ମ୍ୟାଚ୍ ଖେଳି ୭୭ଟି ଗୋଲ୍ ସ୍କୋର କରିଥିଲେ ପେଲେ । ୧୯୭୪ ମସିହାରେ ସେ ବ୍ରାଜିଲ କ୍ଲବ ଫୁଟବଲରୁ ଅବସର ନେଇଥିଲେ । ଦୁଇବର୍ଷ ପରେ ସେ ଆମେରିକାର ନିଉୟର୍କ କସମସ ଫୁଟବଲ କ୍ଲବ ପାଇଁ ଅନୁବନ୍ଧିତ ହୋଇଥିଲେ । ବୟସ ହୋଇଯାଇଥିଲେ ମଧ୍ୟ ପେଲେ ଆମେରିକୀୟ କ୍ଲବ ପାଇଁ ଖେଳିଥିବାରୁ ସେ ଦେଶରେ ଫୁଟବଲର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ୨୦୦୦ ମସିହାରେ ସେ ଫିଫା ପକ୍ଷରୁ ‘ଶତାବ୍ଦୀର ଫୁଟବଲର’ ଭାବେ ଘୋଷିତ ହୋଇଥିଲେ ।

୨୧ ବର୍ଷର ଫୁଟବଲ କ୍ୟାରିଅର ମଧ୍ୟରେ ପେଲେ ମୋଟ ୧ ହଜାର ୩୬୩ ମ୍ୟାଚ ଖେଳି ୧ ହଜାର ୨୮୧ଟି ଗୋଲ୍ ସ୍କୋର କରିଛନ୍ତି । ଫୁଟବଲ ଜଗତରେ ଆଉ ଜଣେ ପେଲେ ସୃଷ୍ଟି ହେବା ଅସମ୍ଭବ । ଏଭଳି ଯୋଗଜନ୍ମା ଖେଳାଳି ପୃଥିବୀରେ ଥରେ ମାତ୍ର ଜନ୍ମ ନିଅନ୍ତି । ଫୁଟବଲ ସହ ସର୍ବଦା ଯୋଡି ହୋଇରହିବ ପେଲେଙ୍କ ନାମ । ସବୁ ପୀଢିର ଫୁଟବଲ ଖେଳାଳିଙ୍କ ପାଇଁ ପେଲେ ଏକ ଆଦର୍ଶ ଓ ପ୍ରେରଣାର ନାମ । ସେ ଥିଲେ ଫୁଟବଲର ଯାଦୁକର । ବିଶ୍ୱର ସବୁ ଦେଶରେ ରହିଛି ପେଲେଙ୍କ ଲୋକପ୍ରିୟତା । ଅନ୍ୟ କ୍ରୀଡାର ଖେଳାଳିମାନଙ୍କ ପାଇଁ ପେଲେ ଥିଲେ ପ୍ରେରଣା ପୁରୁଷ । ସେଥିପାଇଁ ତ ସେ ଶ୍ରେଷ୍ଠଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ।

ଲେଖକ : ବିଜନ କୁମାର ମହାପାତ୍ର, ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।

Comments are closed.