ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ, ଜନ ପ୍ରତିନିଧୀ ଆଇନର ଏହି ଧାରାକୁ ରଦ୍ଦ କରିବାକୁ ଦାବି

ନୂଆଦିଲ୍ଲୀ: ଯେଉଁ ଆଇନ ପାଇଁ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଚାଲିଗଲା ତାକୁ ଏବେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଦୋଷୀ ସାବ୍ୟସ୍ତ ହେବା ପରେ ନିର୍ବାଚିତ ଜନ ପ୍ରତିନିଧୀ ସ୍ବତଃ ଅଯୋଗ୍ୟ ହେବା ସମ୍ବନ୍ଧୀୟ ଆଇନ ବିରୋଧରେ କେରଳର ଆଭା ମୁରଲିଧରନ୍ ନାମ୍ନୀ ମହିଳା ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି । ଏହି ଆବେଦନରେ ସେ ରାହୁଲ ଗାନ୍ଧୀଙ୍କ ମାମଲା ଦର୍ଶାଇ ଜନ ପ୍ରତିନିଧୀ ଆଇନର ଧାରା ୮ (୩)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଧାରାକୁ ରଦ୍ଦ କରିବାକୁ ସେ ଦାବି କରିଛନ୍ତି ।

ଜନ ପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ କୌଣସି ମାମଲାରେ ଯଦି ଜଣେ ଜନ ପ୍ରତିନିଧିଙ୍କୁ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ କାଳ ଜେଲ୍ ହୁଏ, ତେବେ ତାଙ୍କ ସଦସ୍ୟତା ରଦ୍ଦ ହୋଇଯିବ। ଏହାଛଡ଼ା ଦଣ୍ଡ ଅବଧି ଶେଷ ହେବା ପରେ ସେ ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ।

‘ମୋଦୀ ସାଙ୍ଗିଆଧାରୀ ଚୋର’ ବୟାନ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାଛଡ଼ା ଏହି କଂଗ୍ରେସ ନେତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଏହାର ଦିନକ ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା। ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡରୁ ଲୋକସଭା ସାଂସଦ ଥିଲେ।

Comments are closed.