ଜିଏସ୍‌ଟି ଅଧୀନକୁ ଆସିବନି ପେଟ୍ରୋଲ-ଡିଜେଲ, ଡିସେମ୍ବର ୩୧ ଯାଏଁ କରୋନା ଔଷଧ ଟିକସମୁକ୍ତ | News Room Odisha

ଜିଏସ୍‌ଟି ଅଧୀନକୁ ଆସିବନି ପେଟ୍ରୋଲ-ଡିଜେଲ, ଡିସେମ୍ବର ୩୧ ଯାଏଁ କରୋନା ଔଷଧ ଟିକସମୁକ୍ତ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଏବେ ଜିଏସ୍‌ଟି ଅଧୀନକୁ ଆସିବ ନାହିଁ । ଆଜି ଲକ୍ଷ୍ନୌରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି କାଉନସିଲର ୪୫ତମ ବୈଠକରେ ପେଟ୍ରୋଲିୟମ ଜାତ ଉତ୍ପାଦକୁ ଜିଏସ୍‌ଟି ପରିସରକୁ ଆଣିବା ପାଇଁ ଆଲୋଚନା ହୋଇଥିଲା । ତେବେ ୬ଟି ରାଜ୍ୟର ବିରୋଧ ଯୋଗୁଁ ସରକାର ପେଟ୍ରୋଲ-ଡିଜେଲକୁ ପୂର୍ବଭଳି ଜିଏସ୍‌ଟି ବାହାରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ସୂଚନା ଦେଇ ସୀତାରମଣ କହିଛନ୍ତି ଯେ, କେରଳ ହାଇକୋର୍ଟଙ୍କ ଆଦେଶ କ୍ରମେ ବୈଠକରେ ପେଟ୍ରୋଲ-ଡିଜେଲକୁ ଜିଏସଟି ଅଧୀନକୁ ଆଣିବା ପାଇଁ ଆଲୋଚନା ହୋଇଥିଲା । କିନ୍ତୁ କିଛି ରାଜ୍ୟ ଏହାକୁ ବିରୋଧ କରିଥିଲେ । ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ଅଧୀନକୁ ଆଣିବା ଏବେ ଠିକ ହେବନି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏନେଇ କେରଳ ହାଇକୋର୍ଟଙ୍କୁ ଜଣାଇ ଦିଆଯିବ ବୋଲି ବୋଲି ସୀତାରମଣ କହିଛନ୍ତି । କିଛି ଦିନ ତଳେ କେରଳ ହାଇକୋର୍ଟ ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟି ଅଧୀନକୁ ଆଣିବା ପାଇଁ ବିଚାର କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଥିଲେ ।

ଜିଏସ୍‌ଟି କାଉନସିଲ ବୈଠକରେ ହୋଇଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଏମ୍ଫୋଟେରିସିନ-ବି ଏବଂ ଟେସିଲିଜୁମ୍ୟାବ ଭଳି କରୋନା ଔଷଧ ଉପରେ ଜିଏସ୍‌ଟି ଛାଡ଼ ଚଳିତ ବର୍ଷ ଡିସେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଛି । ରେମଡିସିଭିର ଏବଂ ହେପରିନ୍ ଭଳି ଔଷଧ ଉପରେ ୫% ଜିଏସ୍‌ଟି ଲାଗିବ । ତେବେ ଚିକିତ୍ସା ଉପରକରଣ ଗୁଡିକ ଉପରେ ଟିକସଛାଡ଼ ହେବ ନାହିଁ । ସେହିପରି ଟ୍ରୁଡା ଭଳି କିଛି କ୍ୟାନସର ଔଷଧ ଉପରେ ଜିଏସ୍‌ଟି ଦର ୧୨%ରୁ ୫%କୁ ହ୍ରାସ କରାଯାଇଛି ।

ଅନ୍ୟପକ୍ଷେ ଜମାଟୋ ଏବଂ ସ୍ୱିଗି ଭଳି ଫୁଡ୍ ଡେଲିଭରି ଆପ୍ ମାନଙ୍କ ଉପରେ ୫% ଜିଏସ୍‌ଟି ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତେବେ ରେଷ୍ଟୁରାଣ୍ଟ ଗୁଡିକ ପରିବର୍ତ୍ତେ ଏବେ ଜମାଟୋ ଏବଂ ସ୍ୱିଗି ଭଳି ଫୁଡ୍ ଡେଲିଭରି ଆପ୍ ସରକାରଙ୍କୁ ଜିଏସ୍‌ଟି ପୈଠ କରିବେ ।