ଏନ୍ଆଇଏ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି କେରଳରେ ପିଏଫ୍ଆଇର ବନ୍ଦ ଡାକରା, ବିଭିନ୍ନ ସ୍ଥାନରେ ଗାଡ଼ି ଭଙ୍ଗାରୁଜା

ନୂଆଦିଲ୍ଲୀ: ଟେରର ଫଣ୍ଡିଂ ଓ ଆତଙ୍କବାଦ ଗତିବିଧି ଅଭିଯୋଗରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନ୍ଆଇଏ ଏବଂ ଇଡି ମିଳିତ ଭାବେ ୧୫ଟି ରାଜ୍ୟରେ ୯୬ଟି ସ୍ଥାନରେ ଚଢ଼ାଉ କରି ପିଏଫଆଇ ମୁଖ୍ୟଙ୍କ ସମେତ ଏହି ମୁସଲିମ ସଂଗଠନର ୧୦୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ଗିରଫ କରିଛି । ପିଏଫଆଇ ଉପରେ କଟକଣା ଲାଗିବା ସମ୍ଭାବନା ବି ରହିଛି | ଅନ୍ୟପକ୍ଷରେ ଏନଆଇଏର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପିଏଫ୍ଆଇ ଆଜି କେରଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି |

ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ କେରଳରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେରଳରେ ୧୨ ଘଣ୍ଟିଆ ବନ୍ଦ ଘୋଷଣା କରାଯାଇଛି। କେରଳ ବନ୍ଦ ଘୋଷଣାକୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ତେବେ ଥିରୁଭନନ୍ତପୁରମ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପିଏଫ୍ଆଇ କର୍ମୀଙ୍କ ଦ୍ବାରା ସରକାରୀ ବସ ସହ ଅନେକ ଗାଡି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି ।

ଏନଆଇଏ କହିଛି ଯେ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟରେ ପିଏଫ୍ଆଇ, ଏହାର ନେତା ତଥା ସଦସ୍ୟଙ୍କ ବିରୋଧରେ ଟେରର ଫଣ୍ଡିଂ ସହ ହିଂସାତ୍ମକ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି।

ଅଧିକାରୀ କହିଛନ୍ତି ଯେ ‘ଲଭ୍ ଜିହାଦ୍’, ବଳପୂର୍ବକ ଧର୍ମାନ୍ତରୀକରଣ, ନାଗରିକତା (ସଂଶୋଧନ) ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ପ୍ରଦର୍ଶନ, ମୁସଲମାନ ଯୁବକମାନଙ୍କୁ ଚରମପନ୍ଥୀ କରିବା, ଅର୍ଥ ହେରଫେର ଓ ନିଷିଦ୍ଧ ସଂଗଠନ ଗୁଡ଼ିକ ସହ ସମ୍ପର୍କ ରଖିବା ଅଭିଯୋଗରେ ପିଏଫ୍ଆଇ ଏନ୍ଆଇଏ ନଜରରେ ଥିଲା ।

Comments are closed.