କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ ବି ପ୍ରତ୍ୟାଖ୍ୟାନ କଲେ ପଦ୍ମ ସମ୍ମାନ, କହିଲେ ୯୦ ବର୍ଷରେ ଅପମାନିତ କରାଯାଇଛି

ନୂଆଦିଲ୍ଲୀ: ବିଶିଷ୍ଟ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ ଓରଫ୍ ସାନ୍ଧ୍ୟା ମୁଖୋପାଧ୍ୟାୟ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହି ସମ୍ମାନ ପାଇଁ ତାଙ୍କ ସମ୍ମତି ଲୋଡ଼ିବା ଲାଗି କେନ୍ଦ୍ର ସରକାର କର୍ମଚାରୀମାନେ ଟେଲିଫୋନ୍ ଯୋଗେ ତାଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେ ଏହି ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସନ୍ଧ୍ୟାଙ୍କ ଝିଅ ସୋମି ସେନଗୁପ୍ତା କହିଛନ୍ତି ଯେ ଦିଲ୍ଲୀରୁ ଫୋନ୍ କରିଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ମୁଖାର୍ଜୀ କହିଥିଲେ ଯେ ସେ ପଦ୍ମଶ୍ରୀ ସମ୍ମାନ ତାଲିକାରେ ସାମିଲ ହେବାକୁ ପ୍ରସ୍ତୁତ ନୁହଁନ୍ତି। ୯୦ ବର୍ଷ ବୟସରେ ଏବଂ ଗାୟନ କ୍ୟାରିୟରର ପ୍ରାୟ ଆଠ ଦଶନ୍ଧି ପରେ ପଦ୍ମଶ୍ରୀ ପାଇଁ ମନୋନୀତ ହେବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି କହି ସନ୍ଧ୍ୟା ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ଭେଟେରାନ କଣ୍ଠଶିଳ୍ପୀଙ୍କ ନିଷ୍ପତ୍ତିକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ସମର୍ଥନ କରିଛନ୍ତି ।

ସନ୍ଧ୍ୟା ମୁଖାର୍ଜୀ ଏସଡି ବର୍ମନ, ଅନିଲ ବିଶ୍ବାସ, ମଦନ ମୋହନ, ରୋଶନ ଏବଂ ସଲିଲ ଚୌଧୁରୀଙ୍କ ଭଳି ବିଶିଷ୍ଟ ସଙ୍ଗୀତକାରଙ୍କ ନିର୍ଦ୍ଦେଶନାରେ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ଏହାଛଡ଼ା ସେ ଅନେକ ଓଡ଼ିଆ ଫିଲ୍ମ ପାଇଁ ମଧ୍ୟ ଗୀତ ଗାଇଛନ୍ତି ‌। ତାଙ୍କୁ ‘ବଙ୍ଗ ବିଭୂଷଣ’ ସମେତ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି।

ପଦ୍ମ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବାରେ ସାନ୍ଧ୍ୟା ମୁଖାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗର ଦ୍ୱିତୀୟ ବ୍ୟକ୍ତିତ୍ୱ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମଧ୍ୟ ପଦ୍ମଭୂଷଣ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Comments are closed.